ଖୋଲିବ କି ବିଜେପି ମୁଖା?

Spread the love

() ଟିଆରଏସ ବିଧାୟକଙ୍କୁ କେମିତି କିଣିବାକୁ ବିଜେପି ଡିଲ୍ କରୁଥିଲା, ତାହାର ଭିଡ଼ିଓକୁ ରିଲିଜ୍ କରିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର୍। ଟଙ୍କା ଓ ପଦବୀର ପ୍ରଲୋଭନ ଦେଖାଇ କିଭଳି ପ୍ରଧାନମନ୍ତ୍ରୀ ମୋଦି ଓ ଗୃହମନ୍ତ୍ରୀ ଶାହା ଟିଆରଏସ ସରକାରଙ୍କୁ ଭାଙ୍ଗିବାକୁ ଚେଷ୍ଟା କରୁଛି, ସେ ନେଇ ବର୍ଷିଛନ୍ତି। କେବଳ ଏତିକି ନୁହେଁ, ଏ ସବୁ ଡିଲ୍ ଭିଡ଼ିଓକୁ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି, ସମସ୍ତ ହାଇକୋର୍ଟକୁ ପଠାଇବେ ବୋଲି କହିଛନ୍ତି କେସିଆର୍। ଆଉ ତଦନ୍ତକାରୀ ଏଜେନ୍ସିକୁ ଦେବେ ବୋଲି କହିବା ପରେ ତେଲେଙ୍ଗାନାରେ ହଇଚଇ ଖେଳିଛି।

ଏକ୍ସପୋଜ୍ ହେଲା ବିଧାୟକଙ୍କ  ସହ ଡିଲ୍ ହେବାର ଭିଡ଼ିଓ। ପ୍ରାୟ ୩ ଘଣ୍ଟାର ଭିଡିଓ ଫୁଟେଜକୁ ସାର୍ବଜନୀନ କରିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର୍। ଟିଆରସ୍ ବା ନୂଆ କରି ଦଳର ନାଁ ହୋଇଥିବା ବିଆରଏସର ୪ ବିଧାୟକଙ୍କୁ କେମିତି କିଣିବାକୁ ବିଜେପିର ଏଜେଣ୍ଟ ଡିଲ୍ କରିଥିଲେ, ତାକୁ ପ୍ରେସମିଟରେ ଦର୍ଶାଇଛନ୍ତି କେସିଆର୍। ଆଉ ତେଲେଙ୍ଗାନାର ନିର୍ବାଚିତ ସରକାରଙ୍କୁ ଭାଙ୍ଗିବାକୁ ଏହି ଡିଲ୍ ପଛରେ ପ୍ରଧାନମନ୍ତ୍ରୀ ମୋଦି ଓ ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ପ୍ରଛଦ ହାତ ଥିବାର ସଙ୍ଗୀନ ଅଭିଯୋଗ ଆଣିଛନ୍ତି କେସିଆର୍। ଆଉ ତଦନ୍ତରେ ବାହାରିଥିବା ସମସ୍ତ ଭିଡିଓ ଫୁଟେଜକୁ କେବଳ ତେଲେଙ୍ଗାନା ହାଇକୋର୍ଟରେ ଦାଖଲ କରାଯାଇନି। ବରଂ ଏ ସବୁ ଭିଡିଓ ଫୁଟେଜ ସହ ଡିଲ୍ ସମ୍ପର୍କିତ ସମସ୍ତ ତଥ୍ୟକୁ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି, ସମସ୍ତ ବିଚାରପତି, ଦେଶ ତମାମ ହାଇକୋର୍ଟର ବିଚାରପତିଙ୍କୁ ଦେବି ବୋଲି କହିଛନ୍ତି କେସିଆର୍।

କେବଳ ଭିଡ଼ିଓ ନୁହେଁ, ଏହା ସହ ଡିଲ ଆଗରୁ କିଛି ଅଡିଓ କଲର କଥାକୁ ବି ସାର୍ବଜନୀନ କରାଯାଇଛି। ବି.ଏଲ ସନ୍ତୋଷ ଦଳର ସର୍ବୋଚ୍ଚ ପଦାଧିକାରୀ। କୌଣସି ଛୋଟ ନେତା ନୁହଁନ୍ତି। ଏପରିକି ସନ୍ତୋଷଙ୍କୁ ଭେଟିବାକୁ ହେଲେ ମନ୍ତ୍ରୀମାନଙ୍କୁ ବି ଆଗୁଆ ଆପଏଣ୍ଟମେଣ୍ଟ ନେବାକୁ ପଡ଼େ। ଆଉ ଟିଆରଏସ ବିଧାୟକଙ୍କୁ କିଣିବାକୁ ଦଳର ନମ୍ୱର ଓ୍ୱାନ ଓ ନମ୍ୱର ଟୁ ନେତାଙ୍କ ସବୁଜ ସଙ୍କେତ ରହିଛି। ଅର୍ଥାତ୍ ମୋଦି ଓ  ଶାହା ଏହା ଚାହୁଁଛନ୍ତି ବୋଲି ଅଡିଓ ବି ଭାଇରାଲ ହେଉଛି ସୋସିଆଲ ମିଡ଼ିଆରେ। ଏଜେଣ୍ଟ ବି ଭିଡିଓରେ ଜେପି ନଡ୍ଡାଙ୍କ ନାଁ ଧରୁଥିବା ଦେଖାଯାଉଛି। କେନ୍ଦ୍ରର ୩ ଶୀର୍ଷ ନେତୃତ୍ୱଙ୍କ ଇସାରାରେ ଏହି ଡିଲ୍ କରୁଛୁ ବୋଲି ବାର୍ତ୍ତାଳାପରେ ରହିଛି। ପଶ୍ଚିମବଙ୍ଗରେ ମୋଦି ରାଲିକୁ ସମ୍ୱୋଧିତ ବେଳେ କିଭଳି ଲୋକତନ୍ତ୍ରକୁ ସ୍ୱୀକାର କରିବା ପରାମର୍ଶ ଛଳରେ ଦିଦିଙ୍କ ୪୦ ବିଧାୟକ ତାଙ୍କ ସଂସ୍ପର୍ଶରେ ଥିବା କଥା ଧମକ ଦେଇଥିଲେ ପ୍ରଧାନମନ୍ତ୍ରୀ, ତାହାର ପୁରୁଣା ଭିଡ଼ିଓ ଦେଖାଇ କେସିଆର ଜୋରଦାର ବର୍ଷିଛନ୍ତି।

ଟିଆରଏସର କହିବା କଥା, ପଶ୍ଚିମବଙ୍ଗ, ବିହାର, ରାଜସ୍ଥାନରେ ସରକାର ଭାଙ୍ଗିବାକୁ ବିଫଳ ହେବା ପରେ ତେଲେଙ୍ଗାନା ଉପରେ ନଜର ପକାଇଛି ବିଜେପି। ସେପଟେ ଭିଡିଓ ରିଲିଜ ଆଗରୁ ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତରୁଣ ଚୁଘ୍ କାଉଣ୍ଟର କରିଥିଲେ କି, ମିଛ ଓ ବିଭ୍ରାନ୍ତିକର ଅଡ଼ିଓ ଭିଡ଼ିଓ ଦେଖାଇ ଲୋକଙ୍କୁ ଭ୍ରମରେ ପକାଉଛନ୍ତି କେସିଆର୍। ବରଂ କେସିଆର ଅନ୍ୟ ଦଳରୁ ବିଧାୟକ କିଣିବାରେ ସିଦ୍ଧହସ୍ତ ବୋଲି ସେ କହିଥିଲେ। ବିଦ୍ରୋହ ରାଜନୀତିକୁ ପ୍ରୋତ୍ସାହିତ କରିବାରେ ମାହିର୍ କେସିଆର୍ କଂଗ୍ରେସ, ଟିଡିପିରୁ ୧୬ରୁ ଅଧିକ ବିଧାୟକଙ୍କୁ କିଣିଛନ୍ତି। ଏମାନଙ୍କ ଭିତରୁ ଅନେକଙ୍କୁ ମନ୍ତ୍ରୀ ବି କରିଛନ୍ତି। ତେଲେଙ୍ଗାନା ଲୋକଙ୍କ ବିଶ୍ୱାସ ହରାଇଛନ୍ତି କେସିଆର୍। ସେଥିଲାଗି ମୁନୁଗୋଡ଼ା ଉପନିର୍ବାଚନରେ ହାରୁଥିବାରୁ ଏଭଳି ବାଗରେ ନିଜର ହତାଶାଭାବକୁ ଦର୍ଶାଉଛନ୍ତି।

ଏବେ ବିଜେପିର ଏଜେଣ୍ଟ ସାଜି ୪ ବିଧାୟକଙ୍କ ସହ ଡିଲ୍ କରୁଥିବାର ଅଡିଓ, ଭିଡିଓ ଓ ସମସ୍ତ ପ୍ରମାଣ ହାଇକୋର୍ଟରେ ଦାଖଲ ହୋଇସାରିଛି। ଗୋଟିଏ ପଟେ ଟିଆରଏସ-ବିଜେପି ଭିତରେ ରାଜନୈତିକ ଆରୋପ ପ୍ରତ୍ୟାରୋପ ତେଜୁଥିଲା ବେଳେ ୬ରେ ମୁନୁଗୋଡ଼ା ଉପନିର୍ବାଚନ ଫଳାଫଳ ଆସୁଛି। ଏଭଳି ସ୍ଥିତିରେ ଦୁଇ ଦଳ ଭିତରେ ବିବାଦ ଆଗକୁ କି ମୋଡ଼ ନେବ, ତା ଉପରେ ସମସ୍ତଙ୍କ ନଜର।

ପ୍ରଦୀପ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *