ଦ୍ୱିତୀୟ ଥର ପାଇଁ ରାଷ୍ଟ୍ରପତି ନିର୍ବାଚନରୁ ବାଦ ପଡିବ କାଶ୍ମୀର

Spread the love

ଭାରତରେ ୧୬ ତମ ରାଷ୍ଟ୍ରପତି ନିର୍ବାଚନ  ଜୁଲାଇ ୧୮ରେ ହେବାକୁ ଯାଉଥିବା ବେଳେ ଦ୍ୱିତୀୟ ଥର ପାଇଁ କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ଗଠିତ ଜମ୍ମୁ କାଶ୍ମୀର ଏହି ନିର୍ବାଚନରୁ ବାଦ ପଡିବାକୁ ଯାଉଛି। ରାଜ୍ୟଗୁଡିକର ବିଧାନସଭା ଭଙ୍ଗ ହେବା କାରଣରୁ ସେହି ସବୁ ରାଜ୍ୟର ବିଧାୟକ ନିର୍ବାଚନରେ ଭାଗ ନେଇ ପାରିବେ ନାହିଁ। ଏପରି ବହୁ ଉଦାହରଣ ମଧ୍ୟ ଇତିହାସରେ ରହିଛି।

ରାଷ୍ଟ୍ରପତି ନିର୍ବାଚନରେ ଭାଗ ନେଇ ପାରିବ ନାହିଁ ଜମ୍ମୁ କାଶ୍ମୀର। ତେବେ ଏହା କୌଣସି ରାଜ୍ୟ ପାଇଁ ପ୍ରଥମ ଘଟଣା ନୁହେଁ। ଏହା ପୂର୍ବରୁ ମଧ୍ୟ ଏପରି ବହୁ ରାଜ୍ୟ ରାଷ୍ଟ୍ରପତି ନିର୍ବାଚନରୁ ବାଦ ପଡିଛନ୍ତି। ୧୯୭୪ରେ କୌଣସି ରାଜ୍ୟ ଦେଶର ଏହି ସର୍ବୋଚ୍ଚ ନିର୍ବାଚନରୁ ବାଦ ପଡିବାର ପ୍ରଥମ ଉଦାହରଣ ସାମ୍ନାକୁ ଆସିଥିଲା। ସେତେବେଳେ ଗୁଜୁରାଟ ବିଧାନସଭା ରାଷ୍ଟ୍ରପତି  ନିର୍ବାଚନରୁ ବାଦ ପଡିଥିଲା। ପରବର୍ତ୍ତୀ ସମୟରେ ଆସାମ, ନାଗାଲାଣ୍ଡ ଓ ଜମ୍ମୁ କାଶ୍ମୀର ବିଧାନସଭା ଭଙ୍ଗ ହୋଇଥିବାରୁ ବିଭିନ୍ନ ନିର୍ବାଚନରେ ଭାଗ ନେଇ ପାରି ନ ଥିଲେ। ଚଳିତ ଥର ଜମ୍ମୁ କାଶ୍ମୀର ବିଧାନସଭା ଗଠିତ  ହୋଇନଥିବାରୁ ନିର୍ବାଚନରେ ଭାଗ ନେଇ ପାରୁ ନାହିଁ। କାରଣ ୨୦୧୯ରେ ତତ୍କାଳୀନ ରାଜ୍ୟକୁ ବିଭାଜିତ କରି ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ କରାଯାଇଥିଲା ଜମ୍ମୁ କାଶ୍ମୀର ଓ  ଲଦାଖ। ସେତେବେଳେ ଜମ୍ମୁରେ ବିଧାନସଭା ଗଠନ ହୋଇ ନ ଥିଲା। ଜମ୍ମୁ କାଶ୍ମୀର ପୁନର୍ଗଠନ ଅଧିନିୟମରେ କେନ୍ଦ୍ର ଶାସିତ ପ୍ରଦେଶ ଜମ୍ମୁ କାଶ୍ମୀର ପାଇଁ ବିଧାନସଭା ପ୍ରାବଧାନ ରହିଛି। କିନ୍ତୁ ବିଭିନ୍ନ କାରଣରୁ ଏପର୍ଯ୍ୟନ୍ତ ବିଧାନସଭା ନିର୍ବାଚନ ହୋଇ ପାରି ନାହିଁ।

ତେବେ କୌଣସି ବିଧାନସଭା କାର୍ଯ୍ୟକରୁ ନ ଥିବା ବେଳେ ରାଷ୍ଟ୍ରପତି ନିର୍ବାଚନ ନିରବଚ୍ଛିନ୍ନ ଭାବେ ପରିଚାଳନା କରିବାକୁ ୧୯୭୪ରେ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସେହି ସମୟରେ ଗୁଜୁରାଟର ବିଧାନସଭା ଭଙ୍ଗ ହୋଇଥିଲା। ନିର୍ବାଚନ ସରିବା ପରେ  ରାଷ୍ଟ୍ରପତି ନିର୍ବାଚନ କରାଯିବାକୁ କୋର୍ଟରେ ଅପିଲ କରାଯାଇଥିଲା। କିନ୍ତୁ କୌଣସି ରାଜ୍ୟର ବିଧାନସଭା ନିର୍ବାଚନକୁ ଏହି ନିର୍ବାଚନ ଅପେକ୍ଷା କରିବ ନାହିଁ କହିବା ସହ ପୂର୍ବ ରାଷ୍ଟ୍ରପତିଙ୍କ  କାର୍ଯ୍ୟକାଳ ସମାପ୍ତ ହେଉ ହେଉ ଯେପରି ନୂଆ ରାଷ୍ଟ୍ରପତି ପଦଭାର ନେଇ ପାରିବେ ସେହି ଭାବେ ନିର୍ବାଚନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ। ଏହି କ୍ରମରେ ୧୯୯୨ରେ ରାଷ୍ଟ୍ରପତି ନିର୍ବାଚନରୁ ଜମ୍ମୁ କାଶ୍ମୀର ଓ ନାଗାଲାଣ୍ଡ ବିଧାସଭା ଭଙ୍ଗ କାରଣରୁ ବାଦ ପଡିଥିଲେ।

ଶିଳାସ୍ମିତା ରାୟ

Leave a Reply

Your email address will not be published. Required fields are marked *