ନେପାଳରେ ହାରିଲେ ପ୍ରଚଣ୍ଡ

ଭାରତର ପଡ଼ୋଶୀ ଦେଶ ନେପାଳରେ ଜାରି ରହିଛି ରାଜନୀତିକ ହଲଚଲ। ଆସ୍ଥା ଭୋଟରେ ହାରି ଯାଇଛନ୍ତି ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଳ ଦହଲ ଓରଫ ପ୍ରଚଣ୍ଡ।

ଆଜି ନେପାଳ ସଂସଦରେ ହୋଇଥିବା ଆସ୍ଥା ଭୋଟରେ ସେ ପରାସ୍ତ ହୋଇଥିବାରୁ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ୬୯ ବର୍ଷୀୟ ପ୍ରଚଣ୍ଡ ନେପାଳର କମ୍ୟୁନିଷ୍ଟ ପାର୍ଟିର ନେତା। ସେ CPN-UMLର ସମର୍ଥନରେ ସରକାର ଗଠନ କରିଥିଲେ। ହେଲେ କିଛି ଦିନ ତଳେ CPN-UML ପ୍ରଚଣ୍ଡଙ୍କ ଠାରୁ ସମର୍ଥନ ପ୍ରତ୍ୟାହାର କରି ନେଇଥିଲା।

ଫଳରେ ୨ ବର୍ଷ ମଧ୍ୟରେ ୫ମ ଥର ପାଇଁ ପ୍ରଚଣ୍ଡଙ୍କୁ ସଂସଦରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାକୁ ପଡ଼ିଥିଲା। ପୂର୍ବରୁ ୪ଥର ଆସ୍ଥା ରଖିବାକୁ ସକ୍ଷମ ହୋଇଥିବା ପ୍ରଚଣ୍ଡ ଏଥର ଫେଲ ମାରିଛନ୍ତି। ୨୭୫ ଆସନ ବିଶିଷ୍ଟ ନେପାଳ ସଂସଦର ମାତ୍ର ୬୩ ଜଣ ସଦସ୍ୟ ପ୍ରଚଣ୍ଡଙ୍କ ସମର୍ଥନ କରିଥିଲେ। ତାଙ୍କ ବିରୋଧରେ ୧୯୩ ଖଣ୍ଡ ଭୋଟ ପଡ଼ିଛି। ଜଣେ ସଦସ୍ୟ ଭୋଟଦାନରୁ ଦୂରେଇ ରହିଥିଲେ।

ନେପାଳ ସଂସଦରେ ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର ହେଉଛି ୧୩୮। ପ୍ରଚଣ୍ଡ ଆସ୍ଥାରେ ହାରି ପ୍ରଧାନମନ୍ତ୍ରୀ ପଦ ହରାଇଛନ୍ତି। ଏବେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା CPN-UMLର ନେତା କେପି ଶର୍ମା ଓଲି ଏହି ପଦ ସମ୍ଭାଳିବେ। ତାଙ୍କୁ ନେପାଳି କଂଗ୍ରେସ ସମର୍ଥନ କରିବ। ନେପାଳି କଂଗ୍ରେସର ସଭାପତି ଶେର ବାହାଦୂରା ଦେଉବା ପୂର୍ବରୁ ହିଁ ଓଲିଙ୍କୁ ପ୍ରଧାନମନ୍ତ୍ରୀ ପଦରେ ଦେଖିବା ପାଇଁ ଘୋଷଣା କରି ସାରିଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *