ପାୱାର ପଲିଟିକ୍ସ ; ପୁଣି ଚର୍ଚ୍ଚାରେ ପାଣ୍ଡିଆନ

ଦୈନିକ ଇଂରାଜୀ ପତ୍ର ଇଣ୍ଡିଆନ ଏକ୍ସପ୍ରେସର ଏକ ନ୍ୟୁଜକୁ ନେଇ ରାଜ୍ୟ ରାଜନୀତିରେ ହଇଚଇ ଖେଳିଛି। ନବୀନ କୁଆଡ଼େ ଅମିତ ଶାହାଙ୍କୁ ଭେଟି ସମର୍ଥନ ବଦଳରେ ସମର୍ଥନ ଦେବେ ବୋଲି ରିପୋର୍ଟ ପ୍ରକାଶ ପାଇଛି। ରାଜ୍ୟସଭାରେ ଓ ୨୦୨୭ରେ ରାଷ୍ଟ୍ରପତି ନିର୍ବାଚନରେ ବି ସମର୍ଥନ କରିବେ। କିନ୍ତୁ ତା ପ୍ରତିବଦଳରେ ପାଣ୍ଡିଆନଙ୍କୁ କେହି ପ୍ରଶ୍ରୟ ଦେବେନି ଯେମିତି। ଏମିତି ଏକ ରିପୋର୍ଟକୁ ନେଇ ମିଛ ବୋଲି ନବୀନ କହିଥିବା ବେଳେ ଆରୋପ ପ୍ରତ୍ୟାରୋପ ରାଜନୀତି ତେଜିଛି।

ପାଓ୍ୱାର ଗେମ୍ ଶୀର୍ଷକ ଏହି ଲେଖାକୁ ନେଇ ଏବେ ରାଜ୍ୟ ରାଜନୀତି ଉଠୁଛି ପଡ଼ୁଛି। ଇଂରାଜୀ ଦୈନିକ ପତ୍ରିକାରେ ପ୍ରକାଶିତ ଏ ଖବର ପୁଣି ପାଣ୍ଡିଆନଙ୍କୁ ଚର୍ଚ୍ଚାର ଶିରୋନାମାରେ ରଖିଛି। ହେଲେ ଏଥର ନବୀନ ନିଜର ଖାସ୍ ଅନୁଗତ ପାଣ୍ଡିଆନଙ୍କ ଲାଗି କୁଆଡ଼େ ଗାତ ଖୋଳୁଥିବା ଖବର ପ୍ରକାଶ ପାଇଛି। ଖବର ମୁତାବକ ନବୀନ ଗଲା ସପ୍ତାହରେ ଅମିତ ଶାହାଙ୍କୁ ଭେଟି ରାଜ୍ୟସଭାରେ ସମର୍ଥନ ଦେବା ସହ ଉଭୟ ରାଷ୍ଟ୍ରପତି ଓ ଉପ-ରାଷ୍ଟ୍ରପତି ନିର୍ବାଚନରେ ବି ସମର୍ଥନ ଦେବେ ବୋଲି କହିଛନ୍ତି। କିନ୍ତୁ ତା ପ୍ରତିବଦଳରେ ବିଜେପି ଯେମିତି ପାଣ୍ଡିଆନଙ୍କୁ ପ୍ରଶ୍ରୟ ନ ଦିଏ। ଏଥିଲାଗି ବିଜେପି କଥା ଦେବାକୁ ପଡ଼ିବ। କାରଣ ପାଣ୍ଡିଆନ୍ କୁଆଡ଼େ ଦିଲ୍ଲୀରେ ଶାହାଙ୍କୁ ଭେଟିବାକୁ ଜଣେ କ୍ୟାବିନେଟ ମନ୍ତ୍ରୀଙ୍କ ଜରିଆରେ ବାରମ୍ୱାର ପ୍ରୟାସ କରୁଛନ୍ତି। ବିଜେଡିକୁ ଭାଙ୍ଗିବେ ଓ ବିଜେପିକୁ ଓଡ଼ିଶାରେ ବଢ଼ାଇବାକୁ କୁଆଡ଼େ ସାହାଯ୍ୟ କରିବେ ବୋଲି ବିଜେପି ନେତାଙ୍କୁ ଭରସା ଦେଇଛନ୍ତି ପାଣ୍ଡିଆନ୍। ତେବେ ଏଭଳି ଖବରକୁ ମିଛ, ଉଦ୍ଦେଶ୍ୟମୂଳକ, ବିଭ୍ରାନ୍ତିକର ଓ ମାନହାନିଜନକ ବୋଲି କହିଛନ୍ତି ନବୀନ। ପାଣ୍ଡିଆନ ଆଗରୁ ରାଜ୍ୟ ପାଇଁ ସମର୍ପିତ ଢଙ୍ଗରେ ଦକ୍ଷତା ଓ ସାଧୁତାର ସହ କାମ କରିଛନ୍ତି। ଏବେ ବି ପାଣ୍ଡିଆନ୍ ତାଙ୍କର ନିଷ୍ଠା ଓ କାମ ଲାଗି ସବୁବେଳେ ସମ୍ମାନର ଅଧିକାରୀ। ବିଜେଡି କହିଛି, ଏହା କେବଳ ନିର୍ଦ୍ଦିଷ୍ଟ ଗଣମାଧ୍ୟମରେ ଚର୍ଚ୍ଚା। ଏଭଳି ଖବରକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ସେପଟେ ରାଜ୍ୟସଭାରେ ବିଜେଡି ଓଡ଼ିଶାକୁ ସ୍ୱତନ୍ତ୍ର ପାହ୍ୟା ମାନ୍ୟତା ଦେବା, ଆଦିବାସୀଙ୍କୁ ଜଙ୍ଗଲ ଜମି ଅଧିକାର ଦେବା ପ୍ରସଙ୍ଗରେ କେନ୍ଦ୍ରୀୟ ଅବହେଳାକୁ ନେଇ ଜୋରଦାର ଦାବି ଉଠାଇଛି।

ସେପଟେ ଏଭଳି ଚର୍ଚ୍ଚା ଭିତରେ ବିଜେଡିର ଭବିଷ୍ୟତକୁ ନେଇ ଜୟନାରାୟଣ ମିଶ୍ର କହିଛନ୍ତି, ବିଜେଡିର ଆୟୁଷ ବହୁତ କମ୍। ପ୍ରତି ଜବାବରେ ପ୍ରମିଳା ମଲ୍ଲିକ କହିଥିଲେ, ଜୟନାରାୟଣ ବୋଧହୁଏ ବଡ଼ ଜ୍ୟୋତିଷ। ଆଉ କଂଗ୍ରେସକୁ ତ ଯେମିତି ବଡ଼ ମଉକା ମିଳିଯାଇଛି। ବିଜେଡି-ବିଜେପିର ଭିତିରିଆ ଡିଲ୍ ଏହା ନୁହେଁ ତ। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସବୁ ପଦମର୍ଯ୍ୟାଦା ଭୁଲି ବାରମ୍ୱାର ନବୀନ ନିବାସକୁ ଯାଇ ନବୀନଙ୍କୁ ଭେଟିବା କଅଣ ସୂଚାଉଛି ବୋଲି ପଚାରିଛି କଂଗ୍ରେସ।

ପାଣ୍ଡିଆନଙ୍କ ପ୍ରଶଂସାରେ ପୁଣି ଶତମୁଖ ନବୀନ। କିନ୍ତୁ ଏଭଳି ଖବର ପ୍ରକାଶନ ପଛରେ କାହାର ଷଡ଼ଯନ୍ତ୍ର ରହିଛି ତା ହେଲେ। ଏମିତିରେ ବବି-ପାଣ୍ଡିଆନଙ୍କୁ ନେଇ ଦଳରେ ବିବାଦ, ବିଦ୍ରୋହ ବଢ଼ୁଥିଲା ବେଳେ ଏହାକୁ ପ୍ରଶମିତ କରିବାକୁ ପୁଣି ଏମିତି ଏକ ପ୍ଲଟ୍ ପ୍ରସ୍ତୁତ ହୋଇନି ତ ବୋଲି ଚର୍ଚ୍ଚା ହେଉଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *