ପିଏ ଜରିଆରେ ନେଉଥିଲେ ଟଙ୍କା। ଯାହାର ସମସ୍ତ ପ୍ରମାଣ ସେ ସିବିଆଇକୁ ଦେଇଛନ୍ତି। ହୋଟେଲ ଓ ବାର ମାଲିକଙ୍କଠୁ ୧୦୦ କୋଟି ଟଙ୍କା ଅସୁଲିରେ ମଧ୍ୟସ୍ଥି ସାଜିଥିବା ବହିଷ୍କୃତ ପୁଲିସ ଅଧିକାରୀ ସଚିନ ଓ୍ୱାଜେ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ବିରୁଦ୍ଧରେ ଏମିତି ଆରୋପ ଆଣିଛନ୍ତି। ଯାହାକୁ ନେଇ ପୁଣି ଘମାସାନ ହୋଇଛି ମୁମ୍ୱାଇ ପଲିଟିକ୍ସ। ଜେଲରେ ଥିବା ହତ୍ୟା ଅଭିଯୁକ୍ତ ସଚିନଙ୍କ ମୁହଁରେ ଏଭଳି ବୟାନ ପ୍ରାୟୋଜିତ ଓ ଅନୀଲଙ୍କୁ ବଦନାମ କରିବାକୁ ଷଡ଼ଯନ୍ତ୍ର ବୋଲି କହିଛି ଶିବସେନା ୟୁବିଟି।
ଏନସିପି ନେତା ଅନୀଲ ଦେଶମୁଖ କେମିତି ନେଉଥିଲେ ଟଙ୍କା। କାହା ଜରିଆରେ ହେଉଥିଲା ଡିଲ୍। ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖ ସହରର ହୋଟେଲ ଓ ବାର୍ ମାଲିକଙ୍କଠୁ ଅସୁଲି କରୁଥିବା ଅର୍ଥକୁ ନେଇ ଅନେକ ଗୁମର ଖୋଲିଲେ ସଚିନ ଓ୍ୱାଜେ। ଯାହାକୁ ନେଇ ପୁଣି ଥରେ ମହାରାଷ୍ଟ୍ର ରାଜନୀତି ଘମାସାନ ହୋଇଛି। ନିକଟରେ ମହାରାଷ୍ଟ୍ରର ଉପ-ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସଙ୍କ ଉପରେ ଅନୀଲ ଆରୋପ ଲଗାଇଥିଲେ ଯେ, ଫଡନାଭିସଙ୍କ ଜଣେ ଅନୁଗତ ହିଁ ତାଙ୍କୁ ମାମଲାରୁ ଫସାଇବାରୁ ରକ୍ଷା ଲାଗି ତତ୍କାଳୀନ ମହାବିକାଶ ଅଗାଡ଼ି ସରକାରଙ୍କ ବଡ଼ ନେତାଙ୍କ ବିରୁଦ୍ଧରେ ସତ୍ୟପାଠ ଜରିଆରେ ବୟାନ ରଖିବାକୁ ଚାପ ପ୍ରୟୋଗ କରିଥିଲେ। ଅବଶ୍ୟ ଏଭଳି ଅଭିଯୋଗକୁ ଖଣ୍ଡନ କରିଥିଲେ ଫଡ଼ନାଭିସ।
ତେବେ ଏହି ମାମଲାରେ ମୁମ୍ୱାଇ ପୁଲିସରୁ ବହିଷ୍କୃତ ଅଧିକାରୀ ୧୦୦ କୋଟି ଟଙ୍କାର ଜବରଦସ୍ତି ଅସୁଲି ମାମଲାରେ ଥିବା ଅଭିଯୁକ୍ତ ସଚିନ ଓ୍ୱାଜେ ଅନୀଲଙ୍କ ବିରୁଦ୍ଧରେ ମୁହଁ ଖୋଲିଛନ୍ତି। ଯାହା ବି କୁହାଯାଉଛି, ତାହାର ସମସ୍ତ ପ୍ରମାଣ ମହଜୁଦ ଅଛି। ସେ ନାର୍କୋ ଟେଷ୍ଟ ଲାଗି ବି ପ୍ରସ୍ତୁତ ଅଛନ୍ତି। ନିଜ ପିଏଙ୍କ ଜରିଆରେ ଅନୀଲ ଟଙ୍କା ଅସୁଲି କରୁଥିଲେ ଅନୀଲ ବୋଲି କହିଛନ୍ତି ସଚିନ୍। ସିବିଆଇ ପାଖରେ ଏହାର ପ୍ରମାଣ ଅଛି। ଫଡ଼ନାଭିସଙ୍କୁ ବି ସେ ଏକ ଚିଠି ଲେଖିଥିଲେ। ଚିଠିରେ ଜୟନ୍ତ ପାଟିଲଙ୍କ ନାଁ ବି ଲେଖିଛି। ୨୦୨୧ ଅନୀଲ ଅମ୍ୱାନୀଙ୍କ ଘର ଆଣ୍ଟିଲିଆ ଆଗରେ ବୋମା ବିସ୍ଫୋରଣର ଧମକ ଓ ମନସୁଖ ହିରେନ୍ ହତ୍ୟା ମାମଲାରେ ସଚିନ୍ ଓ୍ୱାଜେ ଅଭିଯୁକ୍ତ ଅଟନ୍ତି। ମନସୁଖ ହିରେନ ହତ୍ୟା ମାମଲା ଓ ଉଦ୍ୟୋଗପତି ଅନୀଲ ଅମ୍ୱାନୀଙ୍କ ଘର ଆଗରେ ଜିଲୋଟିନ୍ ରଖି ଧମକପୂର୍ଣ୍ଣ ଚିଠି ରଖିବା ଅଭିଯୋଗରେ ସଚିନ ଜେଲରେ।
ଏପ୍ରିଲ ୨୦୨୧ରେ ଗୃହମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଅନୀଲ। ମୁମ୍ୱାଇର ତତ୍କାଳୀନ ପୁଲିସ କମିଶନର ପରମବୀର ସିଂ ବି ଆରୋପ ଲଗାଇଥିଲେ କି ସହରର ହୋଟେଲ୍ ଓ ବାର୍ ମାଲିକଙ୍କଠୁ ଟଙ୍କା ଅସୁଲ କରିବାକୁ କହୁଛନ୍ତି ଅନୀଲ। ମନି ଲଣ୍ଡରିଂ ମାମଲାରେ ଇଡି ବି ସଚିନ, ଅନୀଲ ଓ ଅନ୍ୟମାନଙ୍କ ବିରୁଦ୍ଧରେ ମାମଲା କରିଥିଲା। ସିବିଆଇ ଗଲା ବର୍ଷ ଭ୍ରଷ୍ଟାଚାର ମାମଲାରେ ସଚିନ, ଅନୀଲ ଓ ଅନ୍ୟ ଦୁଇ ଜଣଙ୍କୁ ଗିରଫ କରିଥିଲା। ତଦନ୍ତ ବେଳେ ସଚିନ୍ କହିଥିଲେ ଯେ, ଅନୀଲଙ୍କ ନିର୍ଦେଶରେ ହିଁ ସେ ମୁମ୍ୱାଇରେ ଥିବା ହୋଟେଲ ଓ ବାରରୁ ଟଙ୍କା ଅସୁଲି କରୁଥିଲେ। ଏହାକୁ ନେଇ ଘମାସାନ ହୋଇଛି ରାଜନୀତି। ଶିବସେନା ୟୁବିଟି ନେତା ସଞ୍ଜୟ ରାଉତ କହିଛନ୍ତି, ଜଣେ ଅଭିଯୁକ୍ତ ବିଜେପି କର୍ମୀ ଭଳି କହୁଛି। ମହାରାଷ୍ଟ୍ର ରାଜନୀତିକୁ ତଳସ୍ତରକୁ ନେବାକୁ ହୀନ ପ୍ରୟାସ ହେଉଛି। ଅନୀଲ ପୂର୍ବତନ ଗୃହମନ୍ତ୍ରୀ ଭାବରେ କହିବାର ସମସ୍ତ ଅଧିକାର ରହିଛି। କିନ୍ତୁ ତାଙ୍କୁ ନିନ୍ଦିତ କରିବାକୁ ଜଣେ ଆତଙ୍କବାଦୀର ସାହାଯ୍ୟ ନେଉଛି ବିଜେପି। ସଚିନ ଜଣେ ଅପରାଧୀ ତତ୍ତ୍ୱ। ତାଙ୍କ ବୟାନକୁ ବିଶ୍ୱାସ କରିହେବନି ବୋଲି ହାଇକୋର୍ଟ ବି ମତ ଦେଇସାରିଛନ୍ତି। ଏଭଳି ବୟାନ କାହା ପ୍ରରୋଚନାରେ ସଚିନ୍ ଦେଲେ, ଆଉ କାହାରିକୁ ବୁଝିବାକୁ ବାକି ନାହିଁ। ସେପଟେ ବିଜେପି ଏଭଳି ଆରୋପକୁ ଖଣ୍ଡନ ସହ ଅନୀଲ ଦେଶମୁଖଙ୍କ ଅସୁଲି କଥା ଆଉ କାହାରିକୁ ଅଛପା ନାହିଁ ବୋଲି କଟାକ୍ଷ କରିଛି। ଅନୀଲ ଓ ସଚିନ ମିଳିମିଶି ଅସୁଲି କରୁଥିଲେ। ଅସଲ କଥା ପଦାକୁ ଆସିବା ଭୟରେ ଏବେ ଫନ୍ଦି କାଢ଼ୁଛନ୍ତି।
ଅନୀଲ ଦେଶମୁଖ ୧୪ ମାସ ପରେ ଗଲା ଡିସେମ୍ୱର ମାସରେ ଜେଲରୁ ବେଲରେ ମୁକୁଳିଥିଲେ। ଏବେ ସଚିନଙ୍କ ଏଭଳି ବୟାନ ମହାରାଷ୍ଟ୍ର ରାଜନୀତିରେ ହଲଚଲ ଖେଳାଇଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now