ଫାଇଲ୍‌ ପାଇଲେ ମୁଖ୍ୟ ସଚିବ

Spread the love

ପ୍ରଦୀପ ଜେନା ମୁଖ୍ୟ ଶାସନ ସଚିବ। ପ୍ରଶାସନର ସର୍ବୋଚ୍ଚ ପଦବୀରେ ଥିବା ଏହି ଦକ୍ଷ ଅଧିକାରୀ ଦାୟିତ୍ୱ ନେବା ଦିନଠୁ ନିଜର ଦକ୍ଷତା ଦେଖାଇବାରୁ ବଞ୍ଚିତ ହେଉଥିଲେ ବୋଲି ଚାରିଆଡ଼େ ଚର୍ଚ୍ଚା ଚାଲିଥିଲା। କାରଣ ନବୀନ ପଟ୍ଟନାୟକଙ୍କ ସହ ଭି.କେ.ପାଣ୍ଡିଆନ୍ ହିଁ ସବୁଠି ଛାଇ ହୋଇ ରହିଥିଲେ। ସେଠି ପ୍ରଦୀପ ଜେନାଙ୍କ ଭଳି ଦକ୍ଷ, ସଚ୍ଚୋଟ ଅଧିକାରୀ ଗୌଣ ହୋଇଯାଉଥିଲେ ଯେମିତି। କେହି କେହି ତ କହିବାକୁ ଲାଗିଥିଲେ, କୁଆଡ଼େ ଫାଇଲ୍ ତାଙ୍କ ପାଖକୁ ଆସେନା। ସିଧା ନବୀନ ନିବାସ ଯାଏ। ପାଣ୍ଡିଆନଙ୍କ ମାର୍ଫତ୍‌ରେ ସବୁ ନିୟନ୍ତ୍ରଣ ହେଉଥିଲା। ମୁଖ୍ୟ ଶାସନ ସଚିବ ଭଳି ପଦବୀର ମର୍ଯ୍ୟାଦାହାନୀ ହେଉଥିଲା ପ୍ରତି ମୂହୂର୍ତ୍ତରେ। ନିର୍ଦ୍ଦିଷ୍ଟ କୋଟରୀ ଗ୍ରୁପ୍‌ରେ ଆବଦ୍ଧ ଥିଲା ପୁରା ପ୍ରଶାସନିକ କଳ। ଆଉ ଏବେ ନୂଆ ସରକାର ଆସିବା ପରେ ନିଇତି ଦେଖିବାକୁ ମିଳୁଛି ପ୍ରଦୀପ ଜେନାଙ୍କ ପୂର୍ବ ଦକ୍ଷତା, ପାରଦର୍ଶିତା। ସାଧାରଣରେ ଚର୍ଚ୍ଚା ଚାଲିଥିଲା ଯେ, ମୁଖ୍ୟ ଶାସନ ସଚିବ ହଜିଗଲେ କି। ପ୍ରଦୀପଙ୍କ ଦକ୍ଷତା, ସଚ୍ଚୋଟତା ଓ ପ୍ରଶାସନିକ ନିୟନ୍ତ୍ରଣର ପାରଦର୍ଶିତା କାହାକୁ ଅଛପା ନାହିଁ। ଏଭଳି ଦକ୍ଷ ପ୍ରଶାସନିକ ଅଧିକାରୀଙ୍କୁ ସର୍ବୋଚ୍ଚ ପଦବୀରେ ବସାଇଥିଲେ ସତ ସରକାର। କିନ୍ତୁ କେବଳ ନାମକୁ ମାତ୍ର ବସାଇଥିଲେ। କିନ୍ତୁ ସବୁ କାମ ହେଉଥିଲା ନବୀନ ନିବାସରୁ। ବାସ୍ତବରେ ମୁଖ୍ୟ ଶାସନ ସଚିବ ଭାବେ ତାଙ୍କ କାମ କଅଣ, କର୍ତ୍ତବ୍ୟରେ ଅବହେଳା କଲେ କାହାକୁ ଉତ୍ତରଦାୟୀ କରାଯିବ, କାହା ଉପରେ ଆକ୍ସନ ହେବ। ମୁଖ୍ୟମନ୍ତ୍ରୀଙ୍କୁ ପ୍ରତିଟି ଖବର ଅବଗତ କରାଇବା। କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ବେଳେ ଏଥିରେ ମୋହର ଲଗାଇବା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ଟିକିନିଖି ବିବରଣୀ ଦେବା। ଫାଇଲ ପ୍ରୋସେସିଂରେ ନିଜର କିଛି ମତାମତ ଦେବାକୁ ଚାହୁଁଥିଲେ ବି କୌଣସି ଅଦୃଶ୍ୟ ଚାପ ପଛକୁ ଭିଡ଼ିବା ଆଦି ଯନ୍ତ୍ରଣାରେ ଛଟପଟ ହେଉଥିଲେ ୧୯୮୯ ବ୍ୟାଟ୍ ଆଇଏଏସ ପ୍ରଦୀପ। ଗଲା ବର୍ଷ ଫେବୃଆରୀ ୨୬ରେ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ପାଇଥିଲେ ପ୍ରଦୀପ ଜେନା। ଏ ସବୁ ନିଷ୍ପତ୍ତି ନେବାକୁ କୁଆଡ଼େ ତାଙ୍କର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ନଥିଲା। ଆଉ କିଛି ଦିନ ହେଲା ନୂଆ ସରକାର ଆଗମନରେ ଯେମିତି ଏହି ସୁଯୋଗ ପୁଣି ଫେରିଆସିଲା ଭଳି ଲାଗୁଛି। ଏବେ ଲୋକେ ବି ତାଙ୍କର ସେହି ଦକ୍ଷ ଅଫିସରଙ୍କୁ ନିଇତି ଦେଖିବାକୁ ପାଉଛନ୍ତି ଟେଲିଭିଜନ ପରଦାରେ। ଖବରର ଶିରୋନାମାରେ। ମୁଖ୍ୟମନ୍ତ୍ରୀଙ୍କ ପାଖରେ ବସି କାମର ହିସାବ ଦେବାର ଫଟୋଚିତ୍ରରେ। ଜୁନ୍ ୩୦ ଯାଏ ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ ବୃଦ୍ଧି କରିଥିଲେ ନବୀନ ସରକାର। ଡିସେମ୍ୱର ୩୧, ୨୦୨୩ରେ ପ୍ରଦୀପ ଜେନାଙ୍କ ଚାକିରୀ ସରୁଥିଲା। କେବଳ ମୁଖ୍ୟ ଶାସନ ସଚିବ ନୁହଁନ୍ତି। ଅନେକ ଓଡ଼ିଆ ଅଫିସରଙ୍କ ଦୁର୍ଦ୍ଦଶା ଏମିତି ଚାଲିଥିଲା କୁଆଡ଼େ ନବୀନଙ୍କ ଶାସନରେ। ସୁଶାସନ ଦେବାରେ ବେଶ୍ ସୁନାମ ଅଛି ନବୀନ ପଟ୍ଟନାୟକଙ୍କର। କିନ୍ତୁ ସୁଶାସନ ଆଳରେ ଶାସନକଳକୁ ହାଇଜାକ୍ କରିନେଇଥିବା କିଛି ଅଧିକାରୀଙ୍କ ଲାଗି ମୁଖ୍ୟ ସଚିବଙ୍କ ଭଳି ପଦବୀର ମର୍ଯ୍ୟାଦାହାନୀ କରିବା କେତେଦୂର ଠିକ୍ ଥିଲା ବୋଲି ଲୋକେ କହୁଛନ୍ତି। ଏବେ ମୋହନ ମାଝୀଙ୍କ ସରକାର ବି ଅଧିକାରୀଙ୍କୁ  ବିଶ୍ୱାସକୁ ନେଇ କାମକୁ ତ୍ୱରାନ୍ୱିତ କଲେଣି। ଏହାର ଅର୍ଥ ନୁହେଁ ଯେ, ପାଓ୍ୱାର କରିଡରରେ ସମାନ୍ତରାଳ କରିଡ଼ର କରି ଯିଏ ଯେଉଁ ପଦବୀରେ ଅଛନ୍ତି, ସେ ପଦବୀକୁ ଗୌଣ କରିବା। ଏବେ ତ ସମୀକ୍ଷାରୁ ଜଣାପଡ଼ିଲାଣି ଯେ, ଯେହେତୁ ସବୁ ନବୀନ ନିବାସରୁ ନିୟନ୍ତ୍ରଣ ହେଉଥିଲା। ଅଧିକାଂଶ ଅଧିକାରୀଙ୍କ ପାଖରେ ବିଭାଗର ଭଲ ମନ୍ଦ ବାବଦରେ ଠୋସ୍ ସୂଚନା ବି ନାହିଁ। ମନ୍ତ୍ରୀ ରିପୋର୍ଟ ମାଗିଲେ କୁଆଡ଼େ ଅନେକ ଥତମତ ହେଉଥିବା ଖବର ଆସୁଛି। ଏହା ପଛରେ କୁହାଯାଉଛି ଯେ, ଯେହେତୁ ସିଧା କୌଣସି ଫାଇଲ୍ ସହ ଲେନ୍‌ ଦେନ ନଥିଲା। ଆଉ ଜାଣିବାର ସ୍କୋପ୍ ନଥିଲା। ପଚାରିଲେ ଥତମତ ହେବା ସ୍ୱାଭାବିକ କଥା। ଅନ୍ତତଃ ଏବେ ଆଶା କରାଯାଉଛି ଯେ, ନୂଆ ସରକାରରେ ସେମିତି କୌଣସି ଅଭାବନୀୟ ଦୃଶ୍ୟ ସାମ୍ନାକୁ ନ ଆସୁ।

Leave a Reply

Your email address will not be published. Required fields are marked *