ଥମୁନି ରାଜ୍ୟପାଳଙ୍କ ପୁଅ ଲଳିତ ଦାସଙ୍କ କାରନାମାକୁ ନେଇ ବିବାଦ। ରାଜଭବନରେ ଏଏସଓ ବୈକୁଣ୍ଠନାଥ ପ୍ରଧାନଙ୍କୁ ସହଯୋଗୀଙ୍କ ସହ ମିଶି ଆକ୍ରମଣ ଘଟଣାରେ ଏ ଯାଏ କୌଣସି ଆକ୍ସନ ହେଲାନି। ଯାହାକୁ ନେଇ ଗଣ୍ଠି କରିଛନ୍ତି ବିରୋଧୀ। କଂଗ୍ରେସ ପରେ ଆଜି ବିଜେଡି ରାଜଭବନ ଆଗରେ ପ୍ରତିବାଦ କରିଛି। ଓଡ଼ିଆ ଅସ୍ମିତାର କାର୍ଡ ଖେଳି ମୋହନ ସରକାରଙ୍କୁ ଟାର୍ଗେଟ କରିଛି। ସେପଟେ ଶାସକ ଦଳ କହିଛି, ରାଜ୍ୟପାଳ ବୈକୁଣ୍ଠଙ୍କ ପରିବାର ସହ ଆଲୋଚନା କରି ସମାଧାନର ବାଟ ବାହାର କରିସାରିଛନ୍ତି। ଏହା ସତ୍ତ୍ୱେ ରାଜ୍ୟପାଳଙ୍କୁ ନେଇ ରାଜନୀତି କରିବା କେତେଦୂର ଠିକ୍।
ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଲଳିତ ଓ ତାଙ୍କ ସହଯୋଗୀଙ୍କୁ ନେଇ ଥମୁନି ରାଜନୀତି। ରାଜଭବନରେ କାର୍ଯ୍ୟରତ ଏଏସଓ ବୈକୁଣ୍ଠନାଥ ପ୍ରଧାନଙ୍କୁ ଆକ୍ରମଣ ଘଟଣାକୁ ବିତିଲାଣି ୧୦ ଦିନ। ଏପରିକି ଗଲା ୧୨ ତାରିଖରେ ରାଜ୍ୟପାଳଙ୍କୁ ଭେଟି ବୈକୁଣ୍ଠଙ୍କ ପତ୍ନୀ ନ୍ୟାୟ ଲାଗି ଫେରାଦ୍ ହେବା ପରେ ୧୩ ତାରିଖରେ ରାଜ୍ୟପାଳ ଦମ୍ପତ୍ତିଙ୍କୁ ଡାକି ୭ ଦିନ ଭିତରେ ନ୍ୟାୟ ମିଳିବ ବୋଲି କଥା ଦେଇଥିଲେ।
ହେଲେ କୁଆଡ଼େ ଗଲା ଆକ୍ସନ। ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଲଳିତ କୁମାର ଓ ତାଙ୍କ ସହଯୋଗୀଙ୍କ ବିରୁଦ୍ଧରେ ଏଯାଏ କୌଣସି ଆକ୍ସନ ହେଲାନି। ଅଥଚ ମାଡ଼ ଖାଇଥିବା ଏଏସଓ ବୈକୁଣ୍ଠନାଥ ପ୍ରଧାନଙ୍କୁ ଗୃହ ବିଭାଗକୁ ବଦଳି କରିଦେଲେ ସରକାର। ପୀଡ଼ିତଙ୍କୁ ନ୍ୟାୟ ଓ ସୁରକ୍ଷା ଦେବାକୁ ଦାବି କରିଥିଲେ ବୈକୁଣ୍ଠଙ୍କ ପରିବାର ଓ ଏଏସଓ ସଂଘ। ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ବି ଲୋଡ଼ିଥିଲେ। ଆଉ ଛାତ୍ର ଓ ଯୁବ କଂଗ୍ରେସ ଏହାକୁ ନେଇ ରାଜଭବନ ଘେରାଓ ସହ ରାଜଭବନ ଆଗରେ ଧାରଣା ଦେଇ ପ୍ରତିବାଦ କରିସାରିଛି। କଂଗ୍ରେସ ପଛେ ପଛେ ଗୁରୁବାର ବିଜେଡିର ଛାତ୍ର ଓ ଯୁବ ସଂଗଠନ ବି ସମାନ ଦାବିରେ ରାଜଭବନ ଆଗରେ ପ୍ରତିବାଦ ଓ ବିକ୍ଷୋଭ କରିଛି। ରାଜ୍ୟପାଳଙ୍କ ପୁଅ ବୋଲି ଯାହାକୁ ପାଇବେ ବାଡ଼େଇବେ। କଅଣ ପାଇଁ ଏଯାଏ ଗିରଫ ହେଇନାହାନ୍ତି ଅଭିଯୁକ୍ତ। ଓଡ଼ିଆ ଅସ୍ମିତାର କଥା କହୁଥିବା ମୋହନ ସରକାର କାହିଁକି ନୀରବ ବୋଲି ପଚାରିଛି ବିଜେଡି। କଂଗ୍ରେସ ବି ବୁଧବାର ଜିଲ୍ଲା ସଭାପତି ବୈଠକରେ ଏଏସଓଙ୍କୁ ଆକ୍ରମଣ ଘଟଣାକୁ ନିନ୍ଦା କରିଥିଲା। ଉଭୟ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ନୀରବତାକୁ ନେଇ ବର୍ଷିଥିଲା। ଏଏସଓଙ୍କୁ ବଦଳି କରି ରାଜ୍ୟ ସରକାର ଓଡ଼ିଆ ଅସ୍ମିତାକୁ ଦଳିଚକଟି ଦେଇଥିବାର ଆରୋପ ଲଦିଛି କଂଗ୍ରେସ।
ସେପଟେ ବିଜେପି କହିଛି, ମହାମହିମ ରାଜ୍ୟପାଳଙ୍କୁ ନେଇ ରାଜନୀତି କରିବା ଆରମ୍ଭ କରିଦେଲେଣି ବିରୋଧୀ। ରାଜ୍ୟପାଳ ହେଉଛନ୍ତି ଦଳରୁ ଉର୍ଦ୍ଧ୍ୱରେ। ରାଜ୍ୟପାଳ ନିଜେ ବୈକୁଣ୍ଠଙ୍କ ପରିବାରକୁ ଡାକି ଆଲୋଚନା କରିଛନ୍ତି। ସମାଧାନର ବାଟ ବି ବାହାରି ସାରିଛି। ତା ସତ୍ତ୍ୱେ ବିରୋଧୀଙ୍କ ଏଭଳି ରାଜନୀତି କେତେଦୂର ଠିକ୍।
ଏଏସଓଙ୍କୁ ମାଡ଼ ମରା ଘଟଣା ଜାତୀୟ ମାନବାଧିକାର ଆୟୋଗଙ୍କ ପାଖରେ ବି ପହଞ୍ଚିଛି। ବିଧାନସଭାରେ ବି ଏହି ପ୍ରସଙ୍ଗକୁ ଆୟୁଧ କରିପାରନ୍ତି ବିରୋଧୀ। ତା ପୂର୍ବରୁ ଏ ବିବାଦ କେମିତି ତୁଟିବ, ବଡ଼ କଥା।

Naxatra News is now on Whatsapp
Join and get latest news update delivered to you via whatsapp
Join Now