ବ୍ରିଟେନରେ ଫେରିଛି ଲେବର ପାର୍ଟି

Spread the love

୧୪ ବର୍ଷ ପରେ କ୍ଷମତାକୁ ଫେରିଲା ଲେବର ପାର୍ଟି। ତା ପୁଣି ପ୍ରଚଣ୍ଡ ବହୁମତ ସହ। ଧରାଶାୟୀ ହୋଇଗଲା ଶାସକ କଞ୍ଜରଭେଟିଭ୍ ପାର୍ଟି। ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ସମେତ ୧୦୭ ଭାରତୀୟ ବଂଶୋଦ୍ଭବ ଏହି ନିର୍ବାଚନରେ ଅଗ୍ନିପରୀକ୍ଷାର ସମ୍ମୁଖୀନ ହୋଇଥିଲେ। ନିଜ ଦଳ ସିନା ଶୋଚନୀୟ ପରାଜୟ ଦେଖିଲା। ହେଲେ ଜିତିଯାଇଛନ୍ତି ନିଜେ ସୁନକ। ତେବେ ପ୍ରଚଣ୍ଡ ବହୁମତ ସହ ୧୪ ବର୍ଷ ବ୍ୟବଧାନ ପରେ ବ୍ରିଟେନରେ ଶାସନମଙ୍ଗ ଧରିଥିବା ଲେବର ପାର୍ଟିର କିର୍ ଷ୍ଟାର୍ମର କିଏ। ୬୧ ବର୍ଷୀୟ ଷ୍ଟାର୍ମର ହେଉଛନ୍ତି ପୂର୍ବତନ ମାନବାଧିକାର ଆଇନଜୀବି। ବ୍ରିଟେନର କମାଣ୍ଡ ସମ୍ଭାଳିବେ ଏବେ ଷ୍ଟାର୍ମର। ବ୍ରିଟେନ ଇତିହାସରେ ଲେବର ପାର୍ଟିର ଏହି ଐତିହାସିକ ବିଜୟ ସହ ଆଉ ଏକ ଇତିହାସ ଯୋଡ଼ିହୋଇଗଲା। କାରଣ ପ୍ରଥମ ଥର ୬୦ ବର୍ଷରୁ ଅଧିକ ବୟସର ବ୍ୟକ୍ତି ଦେଶର ପ୍ରଧାନମନ୍ତ୍ରୀ ହେବେ। ବ୍ରିଟେନର ପ୍ରଧାନମନ୍ତ୍ରୀ ଭାବେ ସବୁଠୁ ବୟସ୍କ ବ୍ୟକ୍ତି ହେବେ ଷ୍ଟାର୍ମର। ଗଲା ୨୦ ବର୍ଷ ଧରି ଲେବର ପାର୍ଟିର କୌଣସି ନେତା ପ୍ରଧାନମନ୍ତ୍ରୀ ହୋଇନଥିଲେ। ସାଂସଦ ହେବା ଆଗରୁ ଷ୍ଟାର୍ମରଙ୍କ ଲମ୍ୱା ଓ ପ୍ରତିଷ୍ଠିତ କ୍ୟାରିଅର ଥିଲା।

କିର୍‌ଙ୍କ ଜନ୍ମ ଶ୍ରମିକ ପରିବାରରେ ହୋଇଛି। ତାଙ୍କ ମା ନର୍ସ ଥିଲେ ଓ ବାପା ଟୁଲ୍‌ମେକର ଥିଲେ। ୧୯୮୭ରେ ବାରିଷ୍ଟର ଭାବେ ନିଜ କ୍ୟାରିଅର ଆରମ୍ଭ କରିଥିଲେ ଷ୍ଟାର୍ମର। ୨୦୨୦ରେ ଲେବର ପାର୍ଟିର ନେତା ଭାବେ ନିର୍ବାଚିତ ହୋଇଥିଲେ। ନିର୍ବାଚନ ପ୍ରଚାର ବେଳେ କହୁଥିଲେ, ରାଜନୀତିକୁ ସେବାରେ ବଦଳାଇବାକୁ ପଡ଼ିବ। ଦେଶ ଆଗ, ପାର୍ଟି ପଛ ବୋଲି ପ୍ରାଥମିକତା ଦେଇଥିଲେ ପ୍ରଚାର ବେଳେ। ତେବେ କଞ୍ଜରଭେଟିଭ ପାର୍ଟି ହାରିବା ପରେ ଏବେ ବ୍ରିଟେନ- ଭାରତ ଭିତରେ ସମ୍ପର୍କ ଉପରେ କି ପ୍ରଭାବ ପଡିବ। ଲେବର ପାର୍ଟିର ନେତା ତଥା ବିଦେଶ ମନ୍ତ୍ରୀ ଦୌଡ଼ରେ ଥିବା ଡେଭିଡ୍ ଲୋମି କହିଛନ୍ତି, ୨୦୧୦ରୁ ସତ୍ତାରୁ ବାହାରେ ଥିଲା ବେଳେ ଲେବର ପାର୍ଟି ପ୍ରଗତିଶୀଳ ବାସ୍ତବିକ ସ୍ଥିତି ଆଧାରିତ ବିଦେଶ ନୀତି ଉପରେ ଫୋକସ କରିବ ବୋଲି କହିଆସିଛି। ୟୁରୋପୀୟ ସଂଘ ସହ ସୁରକ୍ଷା ବୁଝାମଣା ହେବ। କଶ୍ମୀର ଭଳି ପ୍ରସଙ୍ଗରେ ଷ୍ଟାର୍ମର ଭାରତ ସହ ନୂଆ ରଣନୀତି କରିବାକୁ ପ୍ରତିଶୃତି ଦେଇଛନ୍ତି। ଲେବର ପାର୍ଟି ନିଜର ଘୋଷଣା ପତ୍ରରେ ଭାରତ ସହ ନୂଆ ରଣନୀତି ଓ ବୁଝାମଣାକୁ ଆଗକୁ ବଢ଼ାଇବାକୁ ପ୍ରତିବଦ୍ଧ ବୋଲି କହିଛି। ବ୍ରିଟେନରେ ଭାରତୀୟ ପ୍ରବାସୀଙ୍କ ସହ ଥିବା ତିକ୍ତତା ସମ୍ପର୍କରେ ସୁଧାର ଆଣିବାକୁ ଷ୍ଚାର୍ମର ନିଜ ଅଭିଯାନ ଅବସରରେ ଅନେକ ପଦକ୍ଷେପ ଉଠାଇଥିଲେ। ଘରକୁ ଘର ବୁଲି ପ୍ରଚାର କରିବା ବେଳେ ହିନ୍ଦୁଙ୍କ ବିରୁଦ୍ଧରେ ହୋଇଥିବା ଅତ୍ୟାଚାରର ନିନ୍ଦା କରିଥିଲେ। ଦିପାବଳୀ ଭଳି ସାଂସ୍କୃତିକ ଉତ୍ସବ ବି ପାଳିଥିଲେ ଷ୍ଟାର୍ମର।

ଏ ସବୁ ଦିଗ ସୂଚାଉଛି ଯେ, ଷ୍ଟାର୍ମର ବ୍ରିଟେନ-ଭାରତ ସମୂହରେ ଅଧିକ ବିଶ୍ୱାସ ବଢ଼ାଇବାକୁ ଉଦ୍ୟମ କରିବେ। ଭାରତ-ବ୍ରିଟେନ ଭିତରେ ଲମ୍ୱା ସମୟ ଧରି ମୁକ୍ତ ବ୍ୟାପାର ବୁଝାମଣା ନେଇ କଥାବାର୍ତ୍ତା ଜାରି ରହିଛି। ଏହା ଉପରେ ଷ୍ଟାର୍ମର ସରକାର ହସ୍ତାକ୍ଷର କରିବାର ସମ୍ଭାବନା ରହିଛି। ଭାରତ-ବ୍ରିଟେନ ଭିତରେ ଏଫଟିଏ ପାଇଁ ୧୩ଥର ବାର୍ତ୍ତାଳାପ ସରିଲାଣି। ଉଭୟ ଦେଶ ଭିତରେ ବାର୍ଷିକ ବାଣିଜ୍ୟ ବ୍ୟବସାୟ ପ୍ରାୟ ୩୮ କୋଟି ପାଉଣ୍ଡର ହୁଏ। ଭାରତ ସହ ସୁରକ୍ଷା, ଶିକ୍ଷା, ଜ୍ଞାନକୌଶଳ ଓ ପରିବେଶ ଉପରେ ସହଯୋଗ କରିବାକୁ କଥା ଦେଇଛନ୍ତି ଷ୍ଟାର୍ମର।

Leave a Reply

Your email address will not be published. Required fields are marked *