ଭରତପୁର କାଣ୍ଡକୁ ନେଇ ଥମୁନି ବିବାଦ

ଛୁଟିରେ ଆସିଥିବା ଜଣେ ସେନା ଅଧିକାରୀଙ୍କ ସହ ଏଭଳି ଘଟଣା ଗ୍ରହଣୀୟ ନୁହେଁ। ବିଭିନ୍ନ ପରିସ୍ଥିତିରେ ସେନା ବାହିନୀର କର୍ମଚାରୀଙ୍କ ମର୍ଯ୍ୟାଦାର ସୁରକ୍ଷା ଲାଗି ରାଜ୍ୟ ସରକାରଙ୍କ କଅଣ ଯୋଜନା ରହିଛି ବୋଲି ହାଇକୋର୍ଟ ବି ଜାଣିବାକୁ ଚାହିଁଛନ୍ତି। ମେଜର ଓ ତାଙ୍କ ବାନ୍ଧବୀ ଥାନାକୁ କୌଣସି ଅପରାଧ ଘଟାଇବାକୁ ନୁହେଁ, ଅଭିଯୋଗ କରିବାକୁ ଯାଇଥିଲେ ବୋଲି ହାଇକୋର୍ଟ କହିଥିଲେ। ତଦନ୍ତକାରୀ ଏଜେନ୍ସି ସ୍ୱାଧୀନ ଓ ନିରପେକ୍ଷ ଭାବେ ଘଟଣାର ତଦନ୍ତ କରିବା ଦରକାର ବୋଲି ହାଇକୋର୍ଟ ମତ ଦେଇଛନ୍ତି। ସେପଟେ ବିଚାର ବିଭାଗୀୟ ତଦନ୍ତ ନିର୍ଦେଶ କଥା ଆଇନ ମନ୍ତ୍ରୀ କହୁଥିଲା ବେଳେ ଏ କଥା ବି କହିଥିଲେ, ପୀଡ଼ିତାଙ୍କ ଚରିତ୍ର ସଂହାର ଲାଗି ସୋସିଆଲ ମିଡ଼ିଆରେ ଚାଲିଥିବା ପ୍ରଚାରରୁ ସମସ୍ତେ ଦୂରେଇ ରହିବା ଜରୁରୀ। ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ଅବସରପ୍ରାପ୍ତ ସେନା କର୍ମଚାରୀ ବି କହିଥିଲେ, ଏହି ମାମଲା ସେନା-ପୁଲିସ ଭିତରେ ବିବାଦର କଥା ନୁହେଁ। ଅନେକ ଏହାକୁ ଭୁଲ୍ ଚିତ୍ରଣ କରୁଛନ୍ତି। ଏହି ମାମଲା ପୀଡ଼ିତା ଓ ଦୁର୍ବୃତ୍ତଙ୍କ ଭିତରେ ସୀମିତ। ପୀଡ଼ିତାଙ୍କୁ ନ୍ୟାୟ ଦେବା ସକାଶେ ଅବସରପ୍ରାପ୍ତ ସେନା ଅଧିକାରୀ ସଂଘ ସରକାରଙ୍କୁ ଦାବି କରିଥିଲା।

ତେବେ ଏ ବିବାଦ ଏତିକିରେ ଥମିନି। ଅବସରପ୍ରାପ୍ତ ଆଇପିଏସ ନାଗେଶ୍ୱର ରାଓ ଏ ମାମଲାକୁ ଆଉ ପାଦେ ଆଗେଇନେଇ ନୂଆ ବିବାଦ ଛିଡ଼ା କରିଛନ୍ତି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜେନେରାଲ ଭିକେ ସିଂଙ୍କୁ ଚିଠି ଲେଖି ମେଜର ଓ ତାଙ୍କ ବାନ୍ଧବୀଙ୍କ ଆଚରଣକୁ ନେଇ ଅଙ୍ଗୁଳି ଉଠାଇଛନ୍ତି। ଟ୍ୱିଟରେ ସିସିଟିଭି ଫୁଟେଜ୍ ଓ ଭାଇରାଲ ଭିଡ଼ିଓକୁ ଟ୍ୟାଗ୍ କରିଛନ୍ତି। ଏହା ସହ ସଂପୃକ୍ତ ମେଜରଙ୍କ ବିଶୃଙ୍ଖଳିତ ଆଚରଣ ଲାଗି ସେନା ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେଉ ବୋଲି ଦାବି କରିଛନ୍ତି ନାଗେଶ୍ୱର। ସଂପୃକ୍ତ ମେଜର ସେନାରେ ରହିବାକୁ ଅଯୋଗ୍ୟ। ଭାରତୀୟ ସେନାର ନାଁକୁ ବଦନାମ କରିଛି ମେଜରଙ୍କ ଆଚରଣ। କିଭଳି ନିଶାସକ୍ତ ଅବସ୍ଥାରେ ଆର୍ମି ଅଫିସର ଓ ତାଙ୍କ ବାନ୍ଧବୀ ମଧ୍ୟରାତ୍ରିରେ କାର୍ ଚଳାଇ କିଛି ଇଞ୍ଜିନିୟରିଂ ଛାତ୍ରଙ୍କ ସହ ଗଣ୍ଡଗୋଳ କଲେ। ଭରତପୁର ଥାନାରେ ହଙ୍ଗାମା କଲେ। ମେଡିକାଲ ପରୀକ୍ଷା ଲାଗି ହସ୍ପିଟାଲ ନେବାକୁ କହିବାରୁ ତଦନ୍ତର ଷ୍ଟାଣ୍ଡାର୍ଡ ପ୍ରୋଟୋକଲ ଭାଙ୍ଗିଲେ। ଭିଡ଼ିଓ କ୍ଲିପ୍ ଦେଖି ସଂପୃକ୍ତ ମେଜର ଓ ତାଙ୍କ ବାନ୍ଧବୀଙ୍କ ପ୍ରତି କଅଣ ବିଚାର କରାଯିବା ଦରକାର, ନିଜେ ଦେଖନ୍ତୁ। ଏପରିକି ସୋସିଆଲ ମିଡିଆରେ ଏ କଥା ବି ଲେଖିଛନ୍ତି, ପୁଲିସ ସ୍ୱର୍ଗରୁ ଓହ୍ଲାଇନି। ଯଦି ପୁଲିସ ଖରାପ, ତେବେ ଭାରତୀୟ ସମାଜ ଓ ସେମାନେ ନିର୍ବାଚିତ କରୁଥିବା ସରକାର ବି ଖରାପ। ଓଡ଼ିଶାରେ ୬ଶହ ଥାନା ରହିଛି, ବାର୍ଷିକ ୨ ଲକ୍ଷ ମାମଲା ପଞ୍ଜୀକରଣ ସହ ତଦନ୍ତ ହୁଏ। ଲକ୍ଷ ଲକ୍ଷ ଲୋକ ଥାନାକୁ ଯାଆନ୍ତି। ଏଥିରେ ମହିଳା ଓ ସେନା ଅଫିସର ବି ଅଭିଯୋଗ କରି ନ୍ୟାୟ ମାଗିବାକୁ ଯାଆନ୍ତି। କିନ୍ତୁ ଏହାର ଅର୍ଥ ନୁହେଁ ଯେ, ଥାନାକୁ ଯାଉଥିବା ସମସ୍ତଙ୍କୁ ଦୁର୍ବ୍ୟବହାର କରେ ପୁଲିସ।

ନାଗେଶ୍ୱରଙ୍କ ଖୁଲମଖୁଲା ମେଜର ଓ ତାଙ୍କ ବାନ୍ଧବୀଙ୍କ ପ୍ରତି ଅଙ୍ଗୁଳି ନିର୍ଦେଶ, ମେଜରଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସକାଶେ କେନ୍ଦ୍ର ମନ୍ତ୍ରୀଙ୍କୁ ଫେରାଦ୍ ଆଦି ପୁରା ପ୍ରକରଣ ନୂଆ ବିବାଦ ଛିଡ଼ା କରିଛି। ପୁଣି ଥରେ ପୀଡ଼ିତାଙ୍କ ଚରିତ୍ର ସଂହାର ସହ ମେଜରଙ୍କ ବିରୁଦ୍ଧରେ ଆକ୍ସନ ଲାଗି ପ୍ରାୟୋଜିତ ଷଡ଼ଯନ୍ତ୍ର ହେଉଛି ବୋଲି କୁହାଯାଇଛି। ବିଚାର ବିଭାଗୀୟ ତଦନ୍ତ ଓ କ୍ରାଇମବ୍ରାଞ୍ଚ ତଦନ୍ତକୁ ଦିଗହରା କରିବା ସହ ଭିନ୍ନ ମୋଡ଼ରେ ନେବାକୁ ଚେଷ୍ଟା ଚାଲିଛି।

ଭରତପୁର ଥାନାରେ ନିର୍ଯାତନା ମାମଲା ପୁରା ଦେଶରେ ଚର୍ଚ୍ଚିତ ଖବର ସାଜିସାରିଛି। କେଉଁ ପରିସ୍ଥିତିରେ ଏ ଘଟଣା ଏତେ ବଢ଼ିଗଲା। କିଏ ବାସ୍ତବରେ ଦାୟୀ। ନିଲମ୍ୱିତ ପୁଲିସ ଅଧିକାରୀଙ୍କ ପରିବାର ଲୋକେ ବିନା ତଦନ୍ତରେ ଆକ୍ସନକୁ ନିନ୍ଦା କରୁଥିଲା ବେଳେ ମେଜର, ତାଙ୍କ ବାନ୍ଧବୀଙ୍କ ପ୍ରତି ଥାନାରେ ଦିଆଯାଇଥିବା ଅକଥନୀୟ ନିର୍ଯାତନାକୁ ନେଇ ସେନା ବି ଚୁପ୍ ବସିନି। ସେନା-ପୁଲିସ କଳିକୁ ନେଇ ଚିତ୍ରଣ ହେଉଥିଲା ବେଳେ କେହି କାହାକୁ ଛାଡ଼ିବା ପରିସ୍ଥିତିରେ ଯେମିତି ନାହାନ୍ତି। ୫ ପୁଲିସ ଅଧିକାରୀଙ୍କ ନିଲମ୍ୱନକୁ ତାଳ ଦେଇ ସଂପୃକ୍ତ ମେଜରଙ୍କ ଆଚରଣ ବିରୁଦ୍ଧରେ ବି ଅନୁରୂପ ଦଣ୍ଡବିଧାନ ଦାବି କଲେଣି ଅବସରପ୍ରାପ୍ତ ପୁଲିସ ଅଧିକାରୀ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *