ମହାରାଷ୍ଟ୍ରରେ ମହାୟୁତି ସରକାର । ହଟିଲା ଦୀର୍ଘଦିନର ସସପେନ୍ସ । ଦେବେନ୍ଦ୍ର ଫଡନାଭିସ ହେଲେ ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ । ନିର୍ବାଚନରେ ମହାୟୁତି ମେଣ୍ଟର ଜବରଦସ୍ତ ବିଜୟ ପରେ କିଏ ପିନ୍ଧିବ ରାଜ୍ୟ ମୁଖିଆ ମୁକୁଟ ତାକୁ ନେଇ ଦୀର୍ଘ ଦିନ ଧରି ଚାଲିଥିଲା ନାନା କଳ୍ପନାଜଳ୍ପନା । ସେସବୁରେ ପୂର୍ଣ୍ଣଚ୍ଛେଦ ଟାଣି ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଦେବେନ୍ଦ୍ର ଫଡନାଭିସ । ମୁମ୍ୱାଇ ସ୍ଥିତ ଆଜାଦ ମୈଦାନରେ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଫଡନାଭିସଙ୍କ ସମେତ ଉପମୁଖ୍ୟମନ୍ତ୍ରୀ ଭାବେ ଏକନାଥ ସିନ୍ଦେ ଏବଂ ଅଜିତ ପାୱାର ଶପଥ ଗ୍ରହଣ କରିଛନ୍ତି । ମହାରାଷ୍ଟ୍ରର ରାଜ୍ୟପାଳ ସିପି ରାଧାକ୍ରିଷ୍ଣ ପଦ ଓ ଗୋପନୀୟତାର ଶପଥ ପାଠକରାଇଛନ୍ତି । ସମାରୋହରେ ପ୍ରଧାନମନ୍ତ୍ରୀ , ଗୃହମନ୍ତ୍ରୀ ଅମିତଶାହା, ପର୍ଯ୍ୟବେକ୍ଷକ ସୀତାରମଣଙ୍କ ସମେତ ଅନେକ ତୁଙ୍ଗ ନେତା ଏବଂ କ୍ରୀଡା , ମନୋରଞ୍ଜନ, ଶିଳ୍ପ ଜଗତର ବିଶିଷ୍ଟ ବ୍ୟକ୍ତି ବିଶେଷ ଯୋଡି ହୋଇଥିଲେ । ୭୦ ଭିଭିଆଇପିଙ୍କ ସମେତ ୪୦୦ରୁ ଅଧିକ ସାଧୁସନ୍ଥ ମଧ୍ୟ ଯୋଗ ଦେଇଥିଲେ । ସେପଟେ ଆଜି ମହାରାଷ୍ଟ୍ରରେ ନୂତନ ମନ୍ତ୍ରୀ ପରିଷଦର ଶପଥ ଗ୍ରହଣ ସମାରୋହରେ ଯୋଗ ଦେଇଛନ୍ତି ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଯାହାକୁ ଗଣ୍ଠି କରିଛି ବିରୋଧି ଦଳ । ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ପାଇଁ ରାଜ୍ୟ ନୁହେଁ ପାର୍ଟି କାମ ଆଗ । ଗୃହ ଚାଲିଛି, ଜୁଡ଼ିସିଆଲ କମ୍ପ୍ଲେକ୍ସ ଉଦଘାଟନରେ ତାଙ୍କ ନାଁ ଅଛି, ଏଠି ମହାମହିମ ରାଷ୍ଟ୍ରପତି ଅଛନ୍ତି, ହେଲେ ସେ ମହାରାଷ୍ଟ୍ର ଯାଇଛନ୍ତି । ସେପଟେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ କହିଛନ୍ତି ଯେ, ପୁର୍ବରୁ ବି ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ କ୍ଷେତ୍ରରେ ଏଭଳି ଘଟିଛି। ରାଉରକେଲାର ଏକ ଉଦଘାଟନ ସମାରୋହରେ ରାଷ୍ଟ୍ରପତି ଉପସ୍ଥିତ ଥିଲେ ବି ମୁଖ୍ୟମନ୍ତ୍ରୀ ଅନୁପସ୍ଥିତ ରହିଥିଲେ। ବିଜେପି ତାକୁ ନେଇ ବିବାଦ କରିନି।
ରିପୋର୍ଟ – ଶୁଭ୍ରଜ୍ୟୋତି ଭୂୟାଁ
Naxatra News is now on Whatsapp
Join and get latest news update delivered to you via whatsapp
Join Now