ସଂସଦୀୟ କ୍ଷେତ୍ରରେ ବଡ଼ ଚେହେରା

Spread the love

ଓଡ଼ିଶାରେ ଚତୁର୍ଥ ପର୍ଯ୍ୟାୟ ତଥା ଅନ୍ତିମ ପର୍ଯ୍ୟାୟ ଲୋକସଭା ଭୋଟ ଜୁନ୍ ୧ରେ। ବାକି ଥିବା ୬ ସଂସଦୀୟ କ୍ଷେତ୍ରରେ ପଡ଼ିବ ଭୋଟ। ୬ ସଂସଦୀୟ କ୍ଷେତ୍ରରୁ ମୟୂରଭଞ୍ଜ ଓ ବାଲେଶ୍ୱରକୁ ଛାଡ଼ିଦେଲେ ବାକି ୪ଟି ଲୋକସଭା ଆସନ ବିଜେଡି ହାତରେ ଥିଲା। ଏଥର ଗଡ଼ ବଜାୟ ରହିବ ନା ହାତଛଡ଼ା ହେବ। ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର ଓ ଜଗତସିଂହପୁର ସଂସଦୀୟ କ୍ଷେତ୍ରରେ ପଡ଼ିବ ଭୋଟ। ଅନ୍ତିମ ପର୍ଯ୍ୟାୟ ଅର୍ଥାତ୍ ଜୁନ୍ ପହିଲାରେ ଏହି ୬ ଲୋକସଭା ଆସନରେ ପ୍ରତିନିଧି ବାଛିବେ ଭୋଟର। ଏମିତିରେ ମୟୂରଭଞ୍ଜ ଓ ବାଲେଶ୍ୱର ଲୋକସଭା ଆସନ ୨୦୧୯ରେ ବିଜେପି ହାତରେ ଥିଲା। ମୟୂରଭଞ୍ଜ ସାଂସଦ ବିଶ୍ୱେଶ୍ୱର ଟୁଡୁ ଓ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ଉଭୟ କେନ୍ଦ୍ରରେ ମନ୍ତ୍ରୀ ହୋଇଥିଲେ। କିନ୍ତୁ ବିଶ୍ୱେଶ୍ୱରଙ୍କୁ ଏଥର ଟିକଟ ଦେଲାନି ବିଜେପି। କିନ୍ତୁ ପ୍ରତାପଙ୍କ ଉପରେ ଆସ୍ଥା ପ୍ରକଟ କଲା। ପ୍ରତାପ ନିଜର ଦ୍ୱିତୀୟ ବିଜୟ ଲକ୍ଷ୍ୟରେ ଥିଲା ବେଳେ ବିଜେପିରୁ ଆଣି ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ପ୍ରାର୍ଥୀ କରି ବିଜେଡି ବଡ଼ ରିସ୍କ ନେଇଛି। ଆଉ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କୁ ଦୀର୍ଘ ୧୦ ବର୍ଷ ପରେ ପୁଣି ଥରେ ମୈଦାନକୁ ଓହ୍ଲାଇଛି କଂଗ୍ରେସ। ପ୍ରତାପଙ୍କ ଲାଗି କଣ୍ଟା ହୋଇ ସ୍ୱାଧୀନରେ ଲଢ଼ୁଛନ୍ତି ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁ।

ମୟୂରଭଞ୍ଜ ଲୋକସଭା ପ୍ରାର୍ଥୀ ଭାବେ ଅନୁଭବୀ ନେତା ତଥା ମନ୍ତ୍ରୀ ସୁଦାମ ମାର୍ଣ୍ଡିଂଙ୍କୁ ମୈଦାନକୁ ଓହ୍ଲାଇଛି ବିଜେଡି। ବିଜେପି ହାତରୁ ମୟୂରଭଞ୍ଜ ଆସନ ଛଡ଼ାଇନେବାକୁ ସୁଦାମଙ୍କ ଅଭିଜ୍ଞତା କାମ କରିବ ବୋଲି ଆଶାବାଦୀ ବିଜେଡି। ଜେଏମଏମ ଏଠାରେ ଶିବୁ ସୋରେନଙ୍କ ଝିଅ ଅଞ୍ଜନି ସୋରେନଙ୍କୁ ପ୍ରାର୍ଥୀ କରିଥିଲା ବେଳେ ରାଇରଙ୍ଗପୁର ବିଧାୟକ ନବଚରଣ ମାଝୀଙ୍କୁ ମୈଦାନକୁ ଓହ୍ଲାଇଛି ବିଜେପି।

କେନ୍ଦ୍ରାପଡ଼ା ଲୋକସଭା ଆସନରେ ରୋଚକ ଓ ବିଗ୍ ଫାଇଟ୍। ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଏହି ଆସନରୁ ନିଜର ତୃତୀୟ ବିଜୟ ହାସଲ ଅପେକ୍ଷାରେ। ୨୦୧୯ରେ ଅନୁଭବ ମହାନ୍ତିଙ୍କଠୁ ହାରିଥିବା ବୈଜୟନ୍ତଙ୍କ ବିଜେପି ଶିବିରରେ ଅନୁଭବ ସାମିଲ୍ ହୋଇସାରିଲେଣି। ବିଜେଡି କଂଗ୍ରେସରୁ ଆମଦାନୀ ଯୁବ ଚେହେରା ଅଂଶୁମାନ ମହାନ୍ତିଙ୍କୁ ନେଇ ଗଡ଼ ବଜାୟ ରଖିବାକୁ ଟାର୍ଗେଟ ରଖିଛି।

ଯାଜପୁର, ଭଦ୍ରକ ଓ ଜଗତସିଂହପୁର ଲୋକସଭା ଆସନ ବିଜେଡି ଦୁର୍ଗ ଭାବେ ପରିଚିତ। ଏହି ୩ ସଂରକ୍ଷିତ ଆସନରେ ବିଜେଡି ବିଜୟବାନା ଉଡ଼ାଇ ଆସୁଛି। ୨୦୧୯ର ବିଜୟୀ ମହିଳା ପ୍ରାର୍ଥୀଙ୍କୁ ଏହି ୩ ଆସନରେ ରିପିଟ୍ କରିଛି ବିଜେଡି। ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀଙ୍କୁ ପୁଣି ଥରେ ସୁଯୋଗ ଦେଇଛି ବିଜେଡି। ଭଦ୍ରକ ଲୋକସଭା ଆସନରେ ମଞ୍ଜୁଲତା ମଣ୍ଡଳଙ୍କ ଉପରେ ପୁଣି ଆସ୍ଥାପ୍ରକଟ କରିଛି ବିଜେଡି। ଏଥର କିନ୍ତୁ କଂଗ୍ରେସ ଝିଅ ମଧୁମିତାଙ୍କ ବଦଳରେ ବାପା ଅନନ୍ତଙ୍କୁ ପ୍ରାର୍ଥୀ କରିଛି। କଂଗ୍ରେସର ବରିଷ୍ଠ ନେତା ଅନନ୍ତ ସେଠୀ ଭଦ୍ରକରୁ ପ୍ରାର୍ଥୀ ହୋଇଛନ୍ତି। ୮ ଥରର ସାଂସଦ ଅର୍ଜୁନ ସେଠୀଙ୍କ ପୁଅ ଅଭିମନ୍ୟୁ ସେଠୀଙ୍କୁ ମୈଦାନକୁ ଓହ୍ଲାଇଛି ବିଜେପି। ଜଗତସିଂହପୁରରେ ବି ରାଜଶ୍ରୀ ମଲ୍ଲିକଙ୍କୁ ରିପିଟ୍ କରିଛି ବିଜେଡି। ବିଜେପି ବି ବିଭୂପ୍ରସାଦ ତରାଇଙ୍କୁ ରିପିଟ୍ କରିଛି।

 ଅନ୍ତିମ ପର୍ଯ୍ୟାୟରେ ହେବାକୁ ଥିବା ଏହି ୬ ଲୋକସଭା ଆସନରେ କି଼ଏ ମାରିବ ବାଜି। ୬ରୁ ୪ଟି ଆସନ ବିଜେଡି ଦଖଲରେ ଥିଲା ବେଳେ ୨ଟି ଯାଇଥିଲା ବିଜେପିକୁ। କଂଗ୍ରେସ ଖାତା ଖୋଲିପାରିନଥିଲା।

ପ୍ରଦୀପ ନାୟକଙ୍କ ରିପୋର୍ଟ, ନକ୍ଷତ୍ର ନ୍ୟୁଜ୍..।

Leave a Reply

Your email address will not be published. Required fields are marked *