() ସଂସଦର ଶୀତକାଳୀନ ଅଧିବେଶନର ପ୍ରଥମ ଦିନ। ରାଜ୍ୟସଭାରେ ଜଗଦୀପ ଧନକଡ଼ଙ୍କୁ ସ୍ୱାଗତ କରିବା ବେଳେ କିଛି ଏମିତି ମନ୍ତବ୍ୟ,ଦୃଶ୍ୟ, କବିତା ଓ ଅପିଲ୍ ଥିଲା, ଯାହା ଗଣତନ୍ତ୍ର ଲାଗି ଶୁଭସୂଚନା ଦେଉଥିଲା ସିନା। ତା ସହ ଲୋକତନ୍ତ୍ରର ତତ୍ତ୍ୱକୁ ବି ପ୍ରତିକ୍ଷଣରେ ଉପଲବ୍ଧି କରୁଥିଲା ସଭିଙ୍କୁ।
ଅବସର ଥିଲା ରାଜ୍ୟସଭା ଅଧ୍ୟକ୍ଷ ଭାବେ ଜଗଦୀପ ଧନକଡ଼ଙ୍କୁ ସଂସଦକୁ ସ୍ୱାଗତ କରିବାର ବେଳ। ଶୀତକାଳୀନ ଅଧିବେଶନର ପ୍ରଥମ ଦିନ। ନିଜ ଷ୍ଟାଇଲରେ ସମସ୍ତଙ୍କୁ ପୁଣି ହସାଇ ହସାଇ ବେଦମ୍ କରିଲେ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାଓ୍ୱାଲେ। କବିତା ଗାଇ ସମସ୍ତଙ୍କର ମନ ମୋହିନେଲେ। କେତେବେଳେ କହିଲେ ତାଙ୍କୁ ଅଧିକ ସମୟ କହିବାକୁ ସୁଯୋଗ ନ ମିଳିଲେ,କବିତା ଗାଇବେନି। ପୁଣି କେତେବେଳେ କହିଲେ, ବିରୋଧୀଙ୍କୁ ହଙ୍ଗାମା କରିବାକୁ ଦିଆଯାଉ। ଏକୁଟିଆ ହେଲେ ବି ସବୁବେଳେ ସତ୍ତା ତାଙ୍କ ପାଖରେ କେମିତି ବୋଲି ପ୍ରଶ୍ନର ଉତ୍ତର ମୋଦିଙ୍କୁ ମାଗ ବୋଲି କହିଲେ।
ସେପଟେ ଗୃହର ସର୍ବକନିଷ୍ଠ ସଭ୍ୟ ସାଙ୍ଗକୁ ଆପ୍ ସାନ ଦଳ ହୋଇଥିବାରୁ ତାଙ୍କୁ ଅଧିକ ସୁଯୋଗ ମିଳିବ ବୋଲି କହିବା ସହ ଜଗଦୀପଙ୍କର ସମସ୍ତଙ୍କ ସହ ଏତେ ଘନିଷ୍ଠତା ଥିବାରୁ ସଂସଦୀୟ ପ୍ରସଙ୍ଗ ଛାଡି ଅନେକ ସଭ୍ୟ ବ୍ୟକ୍ତିଗତ ପ୍ରସଙ୍ଗ ତାଙ୍କ ସହ ଅଧିକ ଆଲୋଚନା କରିବେ ବୋଲି କହିଛନ୍ତି ରାଘବ। କିନ୍ତୁ ପୂର୍ବତନ ପ୍ରଧାନମନ୍ତ୍ରୀ ଦେବଗୌଡ଼ା କିଭଳି ସେ ଏକୁଟିଆ ସଭ୍ୟ ହୋଇଥିବାରୁ ମାତ୍ର ୨ରୁ ୩ ମିନିଟ କହିବାକୁ ଦିଆଯାଉଛି କହି ହାତଯୋଡ଼ି ଅନୁନୟ ହେବାର ଦୃଶ୍ୟ ସମସ୍ତଙ୍କୁ ହତବାକ୍ କରିଥିଲା।
ସେପଟେ ସଂସଦୀୟ ବିଧିବ୍ୟବସ୍ଥାର ଲକ୍ଷ୍ମଣରେଖା କେବେ ଟପିନୁ ଆଉ ମର୍ଯ୍ୟାଦା ରଖିଛୁ କହି ଗୃହକୁ ଆଶ୍ୱାସନା ଦେଇଥିବା ବିଜେଡିର ସସ୍ମିତ ପାତ୍ରଙ୍କ କଥାକୁ ସହଜେ ହଜମ କରିପାରିନଥିଲେ ଶିବସେନା ସାଂସଦ ପ୍ରିୟଙ୍କା ଚତୁର୍ବେଦୀ। ଲକ୍ଷ୍ମଣରେଖା ଡେଇଁବାକୁ ପଡ଼ୁଛି ଯେତେବେଳେ ଅହଙ୍କାର, ଧର୍ମ ଉପରେ ଆଘାତ ଦେଉଛି। ଆଉ ସପା ବି କହିଛି, ଜନହିତ ବିରୋଧୀ ଆଚରଣ ହେଲେ ଗୃହ ଶୃଙ୍ଖଳିତ ଚାଲିବାର ଆଶ୍ୱାସନା ଦେଇପାରିବୁନି। ଏନସିପି ବି ପରୋକ୍ଷରେ ଚେତାଇଦେଇଛି, ରାଜ୍ୟସଭା ଅଧ୍ୟକ୍ଷଙ୍କ ସମ୍ମାନାର୍ଥେ ପାଇଁ ଆଜି କ୍ଲାସରେ ସବୁ ଶୃଙ୍ଖଳିତ। କିନ୍ତୁ ଟିଭିରେ ଦେଖିଥିବା ବିଶୃଙ୍ଖଳାର ଟ୍ରେଲର ସୋ ଖୁବ ଶୀଘ୍ର ଅନୁଭବ କରିବେ ଜଗଦୀପ।
ରାଜ୍ୟସଭାର ପ୍ରଥମ ଦିନ। ଅଧ୍ୟକ୍ଷଙ୍କୁ ସ୍ୱାଗତ ଓ ସମ୍ମାନ ଅବସରରେ ଅନେକ ହାଲକା ଫୁଲକା ମନ୍ତବ୍ୟ ଭିତରେ ଗୃହ ପରିଚାଳନାର ଭାରକୁ ଆଗକୁ କେମିତି ସମ୍ଭାଳୁଛନ୍ତି ଧନକଡ଼, ତା ଉପରେ ସମସ୍ତଙ୍କ ନଜର।
ପ୍ରଦୀପ ନାୟକଙ୍କ ରିପୋର୍ଟ
Naxatra News is now on Whatsapp
Join and get latest news update delivered to you via whatsapp
Join Now