ଚତୁର୍ଦ୍ଦଶ ଉପରାଷ୍ଟ୍ରପତି ହେଲେ ଜଗଦୀପ ଧନକଡ଼

Spread the love

ଦେଶର ଚତୁର୍ଦ୍ଦଶ ଉପରାଷ୍ଟ୍ରପତି ଭାବରେ ଜଗଦୀପ ଧନକଡ଼ଙ୍କୁ ମହାମହିମ ରାଷ୍ଟ୍ରପତି ପଦ ଓ ଗୌପନୀୟତାର ଶପଥ ପାଠ କରାଇଛନ୍ତି। ଦେଶର ଦ୍ୱିତୀୟ ସର୍ବୋଚ୍ଚ ସାମ୍ୱିଧାନିକ ପଦବୀର ଅଧିକାରୀ ସାଜିଛନ୍ତି ଜଗଦୀପ। ରାଷ୍ଟ୍ରପତି ଭବନରେ ଆୟୋଜିତ ଶପଥ ପାଠ ସମାରୋହରେ ପ୍ରଧାନମନ୍ତ୍ରୀ, ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ଦେଶର ଦ୍ୱିତୀୟ ସର୍ବୋଚ୍ଚ ସାମ୍ୱିଧାନିକ ପଦରେ ଜଗଦୀପ ଧନକଡ। ଦେଶର ଚତୁର୍ଦ୍ଦଶ ଉପରାଷ୍ଟ୍ରପତି ଭାବରେ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତି ଭବନରେ ଆୟୋଜିତ ଶପଥ ପାଠ ସମାରୋହରେ ପ୍ରଧାନମନ୍ତ୍ରୀ, ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପୂର୍ବତନ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କିଆ ନାଇଡ଼ୁଙ୍କ ସମେତ ବହୁ ବିଶିଷ୍ଚ ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ। ଧନକଡ ୫୨୮ ଭୋଟ ପାଇ ମିଳିତ ବିରୋଧୀ ଦଳର ପ୍ରାର୍ଥୀ ମାର୍ଗାରେଟା ଆଲଭାଙ୍କୁ ପରାଜିତ କରିଥିଲେ।

ରାଜ୍ୟସଭା ଅଧ୍ୟକ୍ଷ ଭାବରେ ଏଣିକି ଗୁରୁଦାୟିତ୍ୱ ତୁଲାଇବାକୁ ଯାଉଛନ୍ତି ଜଗଦୀପ୍। ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ ଜଗଦୀପ ଉପ-ରାଷ୍ଟ୍ରପତି ଭାବରେ ନିର୍ବାଚିତ ହେବା ପରେ ହିନ୍ଦୀରେ ଶପଥ ଗ୍ରହଣ କରିଥିଲେ। ୫ ବର୍ଷ ପାଇଁ ଏହି ପଦବୀରେ ରହି ଦାୟିତ୍ୱ ତୁଲାଇବେ ଜଗଦୀପ। ରାଜସ୍ଥାନ ଜାଟ୍ ସମ୍ପ୍ରଦାୟର ଏହି ଭେଟେରାନ ପଲିଟିସିଆନ୍ ୧୯୯୭ରୁ ଏ ଯାଏ ଅନୁଷ୍ଠିତ ହୋଇଥିବା ଉପ-ରାଷ୍ଟ୍ରପତି ନିର୍ବାଚନ ତୁଳନାରେ ସର୍ବାଧିକ ଭୋଟ ମାର୍ଜିନରେ ଜିତିଛନ୍ତି। ସେ ସର୍ବାଧିକ ୭୪.୩୬ ପ୍ରତିଶତ ଭୋଟ୍ ପାଇଥିଲେ। ପ୍ରଧାନମନ୍ତ୍ରୀ ଧନକଡଙ୍କୁ ସବୁବେଳେ ଚାଷୀ ପୁଅ ବୋଲି ନିଜର ଟ୍ୱିଟରେ ସମ୍ୱୋଧନ କରି ଆସିଛନ୍ତି। ତେବେ ଏହା ପଛରେ ଭିନ୍ନ ରାଜନୀତି ଥିବାର ଚର୍ଚ୍ଚା ବି ହେଉଛି। ଧନକଡଙ୍କ ନିଜ ରାଜ୍ୟ ରାଜସ୍ଥାନରେ ଆସନ୍ତାବର୍ଷ ସାଧାରଣ ନିର୍ବାଚନ ହେବାକୁ ଯାଉଛି। ଏବେ ରାଜସ୍ଥାନରେ ଅଶୋକ ଗେହଲଟଙ୍କ ନେତୃତ୍ୱାଧୀନ କଂଗ୍ରେସ ସରକାର ଅଛି।

ଦେଶର ଦ୍ୱିତୀୟ ସର୍ବୋଚ୍ଚ ସାମ୍ୱିଧାନିକ ପଦରେ ବସିଥିବାରୁ ହୁଏତ ରାଜସ୍ଥାନ ଭୋଟରେ ଏଥିରୁ ବିଜେପି ଫାଏଦାରେ ରହିପାରେ ବୋଲି ଆକଳନ କରାଯାଉଛି। ରାଜସ୍ଥାନ ହାଇକୋର୍ଟରେ ଆଇନଜୀବି ଥିବା ଧନକଡ ରାଜନୀତିରେ ୧୯୮୯ରେ ଏଣ୍ଟ୍ରି ମାରିଥିଲେ। ଜନତା ଦଳ ଟିକଟରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। କଂଗ୍ରେସ ସମର୍ଥିତ ଚନ୍ଦ୍ରଶେଖର ସରକାରରେ ମନ୍ତ୍ରୀ ବି ଥିଲେ। ୧୯୯୧ରେ କଂଗ୍ରେସ ଟିକଟରେ ଲଢିଥିଲେ ବି ହାରିଯାଇଥିଲେ ନିର୍ବାଚନ। ସେଥର ଦଳ କ୍ଷମତାକୁ ଆସିଥିଲା ଓ ନରସିଂହ ରାଓ ପ୍ରଧାନମନ୍ତ୍ରୀ ହୋଇଥିଲେ। ୧୯୯୩ରୁ ୯୮ ବିଧାୟକ ହୋଇଥିଲେ। କିନ୍ତୁ ଅଶୋକ ଗେହଲଟଙ୍କ ଉତଥାନ ଦେଖି ତାଙ୍କର ସ୍କୋପ୍ କମ୍ ଥିବା ଜାଣିପାରିଥିଲେ। ଆଉ ୨୦୦୦ରେ ବିଜେପିରେ ସାମିଲ ହୋଇଥିଲେ ଧନକଡ। ଦୀର୍ଘ ଦୁଇ ଦଶନ୍ଧି ଧରି ଦଳର ସାଂଗଠନିକ କାମରେ ନିୟୋଜିତ ଥିଲେ। ୨୦୧୯ରେ ପଶ୍ଚିମବଙ୍ଗର ରାଜ୍ୟପାଳ ହୋଇଥିଲେ। ଆଉ ଦିଦି-ଧନକଡଙ୍କ ଭିତରେ ବିବାଦ କାହାରିକୁ ଅଛପା ରହିନି। କିନ୍ତୁ ବଡ଼ କଥା ଥିଲା କି, ଧନକଡଙ୍କ ପ୍ରବଳ ବିରୋଧୀ ସତ୍ତ୍ୱେ ଦିଦିଙ୍କ ଟିଏମସି ତାଙ୍କ ବିରୁଦ୍ଧରେ ଗଲାନି। କାରଣ ଉପ-ରାଷ୍ଟ୍ରପତି ନିର୍ବାଚନରେ ଭୋଟିଂରୁ ନିଜକୁ ଦୂରେଇ ରଖିଥିଲା।

ପ୍ରଦୀପ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *