ବିଧାନସଭା ଭିତରେ ବିଧାୟକ କଳି। ପ୍ରଶ୍ନୋତ୍ତର କାଳରେ ଦୁଇ କଂଗ୍ରେସ ବିଧାୟକ ଭୁଲିଗଲେ ନିଜ ସୀମା। ଯିଏ ଯାହାକୁ ଯେମିତି ପାରିଲା ଗାଳି କଲା। ବିଧାୟକ ସିଏସ ରାଜେନ ଏକ୍କା ଓ ଦାଶରଥୀ ଗମାଙ୍ଗଙ୍କ ଭିତରେ ଉଚ୍ଚବାଚର ଦୃଶ୍ୟ ସମସ୍ତଙ୍କୁ ହତବାକ୍ କରିଦେଇଥିଲା। ଦୁଇ ବିଧାୟକ ପରସ୍ପରକୁ ଗାଳିଗୁଲଜ କରିବାକୁ ପଛାଇନଥିଲେ। ସାମାନ୍ୟ ସୌଜନ୍ୟତା ଓ ଶାଳୀନତା ଭୁଲିଯାଇଥିଲେ ଯେମିତି। ପ୍ରଶ୍ନ ପଚାରିବାକୁ କେନ୍ଦ୍ର କରି ଆଗ ଚିହିଁକି ଉଠିଥିଲେ ରାଜେନ ଏକ୍କା। କାରଣ ରାଜେନ କଂଗ୍ରେସ ବିଧାୟକ ଦଳର ମୁଖ୍ୟ ସଚେତକ। କେଉଁ ବିଧାୟକ ପ୍ରଶ୍ନ କରିବେ, ତାହାର ତାଲିକା ଅନୁସାରେ ବାଚସ୍ପତି ଗମାଙ୍ଗଙ୍କୁ ଡାକିଥିଲେ। କିନ୍ତୁ ଏହା ଦେଖି ରାଗିପାଚି ନିଆଁ ହୋଇଯାଇଥିଲେ ରାଜେନ୍। ଆଉ ଯାହା ପାଟିକୁ ଆସିଲା, ସବୁ ବାଡ଼ବତା ଭୁଲି ଗାଳି କରି ଆଖି ଦେଖାଇବାକୁ ପଛାଇନଥିଲେ ଗମାଙ୍ଗଙ୍କୁ। ଗମାଙ୍ଗ କହିଛନ୍ତି, ରାଜେନ ଅଭଦ୍ର ଭାଷାରେ ତାଙ୍କୁ ଗାଳି କରିଛନ୍ତି। ବିଧାନସଭାରେ ଦଳକୁ ପରିଚାଳନା କରିବାକୁ ଯିଏ ଦାୟିତ୍ୱ ପାଇଛନ୍ତି, ତାଙ୍କ ବ୍ୟବହାର ଯଦି ଏଭଳି କଦର୍ଯ୍ୟ ହେବ, ଏହାଠୁ ବଳି ଆଉ କଅଣ ଲଜ୍ଜାଜନକ କଥା ହୋଇପାରେ। ଦୁହିଁଙ୍କ ଭିତରେ ଚାଲିଥିବା ଏଭଳି ଗାଳି ଫଜିତ୍ ଭିତରେ ବରିଷ୍ଠ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଓ ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉଁଟା ତୁରନ୍ତ ହସ୍ତକ୍ଷେପ କରି ବୁଝାଇଥିଲେ। ଅବଶ୍ୟ ପ୍ରଶ୍ନକାଳ ସରିବା ମାତ୍ରେ ନିଜର ଭୁଲ୍ ବୁଝିପାରି ଗମାଙ୍ଗଙ୍କ ଆସନକୁ ଯାଇ ମାନଭଞ୍ଜନ ଦୂର କରିବାକୁ ତାଙ୍କ ସହ କରମର୍ଦ୍ଦନ କରିଥିଲେ ରାଜେନ୍। ଏହା କେବଳ ସାମାନ୍ୟ ଉଚ୍ଚବାଚ କହି କଥାକୁ ହାଲୁକା ଭାବେ ନେଇଛନ୍ତି।
ସେପଟେ ଏଭଳି ଅଭାବନୀୟ ଦୃଶ୍ୟ ଦେଖି ମର୍ମାହତ ହୋଇପଡ଼ିଥିଲେ ବାହିନୀପତି। ସେଥିଲାଗି ଗୃହର କୌଣସି ଆଲୋଚନାରେ ଭାଗ ନେଲେନି। ଏଭଳି ଦୃଶ୍ୟ ତାଙ୍କୁ ବ୍ୟଥିତ କରିଛି। ବିଧାୟକ ଦଳ ନେତା ଓ ମୁଖ୍ୟ ସଚେତକ ଯଦି ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲିପାରିବେନି, ତାହେଲେ ଏଭଳି ଅଭାବନୀୟ ଦୃଶ୍ୟ ଦେଖାଦେବ। ବିଧାୟକ ଦଳ ନେତା କାଡ଼ାମ ଯଦିଓ ଏଭଳି କିଛି ହୋଇଥିବା ତାଙ୍କ ନଜରକୁ ଆସିନି ବୋଲି ଆଗ କହିଥିଲେ, କିନ୍ତୁ ପରେ କହିଥିଲେ, ଏହା ସାମାନ୍ୟ କଥା। ଦୁଇ ବନ୍ଧୁଙ୍କ ଭିତରର କଥା।
ଯେଉଁ ପଦରେ ବସିଛନ୍ତି ରାଜେନ୍। ତାହାର ମର୍ଯ୍ୟାଦା ରଖିବା ତାଙ୍କର ଗୁରୁଦାୟିତ୍ୱ। ଆଉ କଂଗ୍ରେସ ବିଧାୟକ ଦଳ ଭିତରେ ସାମାନ୍ୟ ପ୍ରଶ୍ନ ପଚାରିବାକୁ ନେଇ ଯଦି ସହକର୍ମୀଙ୍କୁ ନାଲିଆଖି ଦେଖାଇବା ଓ ଉଚ୍ଚବାଚ ବେଳେ ସବୁ ସୀମା ଭୁଲିଯିବା, ତେବେ ପ୍ରତିପକ୍ଷ ଓ ଜନତାଙ୍କ ଅଙ୍ଗୁଳି ଉଠିବ ହିଁ ଉଠିବ। ଯାହାକି ବିଡ଼ମ୍ୱନାର କଥା।
ରିପୋର୍ଟ-ପ୍ରଦୀପ ନାୟକ
Naxatra News is now on Whatsapp
Join and get latest news update delivered to you via whatsapp
Join Now