ଶେଷ ହେଲା ଭାରତ ଯୋଡ ଯାତ୍ରା

Spread the love

() ଦେଶର ଗରିମା ଅକ୍ଷୁର୍ଣ୍ଣ ରଖିବା, ରାଜନୀତିକୁ ଘୃଣା, ବିଦ୍ୱେଷ ଓ ଧର୍ମ ଆଧାରରେ କଳୁଷିତ ନ କରିବା ଓ ସର୍ବୋପରି ଦେଶରେ ଶାନ୍ତି, ଭାଇଚାରା ପ୍ରତିଷ୍ଠା ନେଇ କନ୍ୟାକୁମାରୀରୁ କାଶ୍ମୀର ଯାଏ ଚାଲିଥିବା ୧୩୫ ଦିନରଯାତ୍ରା ଆଜି ସମାପନ ହୋଇଛି। ଏହାର ସମାପନ ଦିବସରେ ବିରୋଧି ଏକତାକୁ ଦେଖାଇବାକୁ ଶ୍ରୀନଗରରେ ୨୧ଟି ରାଜନୈତିକ ଦଳକୁ ଆମନ୍ତ୍ରିତ କରାଯାଇଥିଲା । ପ୍ରବଳ ବରଫପାତ ଭିତରେ ସରିଛି ଭାରତ ଯୋଡ଼ ଯାତ୍ରା।

୫ ମାସ ଭିତରେ ୧୨ଟି ରାଜ୍ୟ ଅତିକ୍ରମ କରିଛି ଭାରତ ଯୋଡ ଯାତ୍ରା। କନ୍ୟାକୁମାରୀରୁ କାଶ୍ମୀର ଭିତରେ ପ୍ରାୟ ୩ହଜାର ୭୫୦ କିଲୋମିଟର ପାଦରେ ଚାଲିଛନ୍ତି ରାହୁଲ ଗାନ୍ଧୀ। ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ବାହାରିଥିବା ମେଗା ଭାରତ ଯୋଡ଼ ଯାତ୍ରା ସରିଛି। ଶ୍ରୀନଗରରେ ବର୍ଷା ଓ ପ୍ରବଳ ବରଫପାତ ଭାରତ ଯୋଡ଼ ଯାତ୍ରା ସମାପନର ମୁକସାକ୍ଷୀ ସାଜିଲା। ସମାପନ ଦିବସରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ତ୍ରିରଙ୍ଗାକୁ ଶ୍ରୀନଗରର ହେଡକ୍ୱାର୍ଟରରେ ଉତ୍ତୋଳନ କରିବା ସହ ଭାରତ ଯୋଡ଼ ଯାତ୍ରାର ମେମୋରିଆଲକୁ ଉଦଘାଟନ କରିଛନ୍ତି। ସେର୍-ଇ-କଶ୍ମୀର ଷ୍ଟାଡିଅମ ପୁରା ଖଚାଖଚ ଭରିଥିଲା ଜନସମାଗମରେ। ଯାତ୍ରାରେ ବିରୋଧୀ ଏକତାକୁ ଦର୍ଶାଇବାକୁ ୨୧ଟି ଅଣ-ଏନଡିଏ ରାଜନୈତିକ ଦଳକୁ ଆମନ୍ତ୍ରଣ କରାଯାଇଥିଲା। ଅବଶ୍ୟ ସମାପନ ସମାରୋହକୁ ଏଆଇଏଡିଏମକେ, ଓ୍ୱାଇଏସଆରସିପି, ବିଜେଡି, ଏଆଇଏମଆଇଏମ ଓ ଏଆଇୟୁଡିଏଫକୁ ଡକାଯାଇନଥିଲା। ଶ୍ରୀନଗରର ଲାଲଚୌକରେ ପତାକା ଉତ୍ତୋଳନ କରି ଯାତ୍ରା ସମାପନ ହେଲା ବୋଲି ଘୋଷଣା କରିଥିଲେ ରାହୁଲ। ରାଜନୀତିକୁ ଘୃଣା, ବିଦ୍ୱେଷ ଓ ଧର୍ମ ଆଧାରରେ କଳୁଷିତ ନ କରିବାକୁ ଆରମ୍ଭ ଯାତ୍ରା ଜନତାଙ୍କର ଭରପୁର ସମର୍ଥନ ପାଇଛି ବୋଲି କହିଛନ୍ତି ନେତାଏ। ଗଣତନ୍ତ୍ରକୁ ବଞ୍ଚାଇବାକୁ ଏଭଳି ଯାତ୍ରା ଆଗକୁ ବି ଜାରି ରହିବ। ଏହା ଏକ ଆଧ୍ୟାତ୍ମିକ ଯାତ୍ରା ଥିଲା ବୋଲି କହିଛନ୍ତି ଗାନ୍ଧୀ। ଦେଶର ସମ୍ୱିଧାନ ଓ ଗଣତନ୍ତ୍ର ଲାଗି ଏହି ଲଢ଼େଇ।

ବିଭିନ୍ନ ଅଣ-ବିଜେପି ନେତା ଓ ଅଣ-ଏନଡିଏ ଦଳ ଭାରତ ଯୋଡ଼ ଯାତ୍ରାର ସମାପନ ଦିବସରେ ସାମିଲ୍ ହୋଇ ନିଜର ମନ୍ତବ୍ୟ ରଖିଛନ୍ତି। ଭାରତ ଯୋଡ଼ ଯାତ୍ରା ପ୍ରମାଣିତ କରିଦେଲା କି, କିଏ ବିଜେପିକୁ ଚାହୁଁଛି ଆଉ କିଏ ବିନା ବିଜେପିରେ ନୂଆ ସରକାର ଚାହୁଁଛି। ଗାନ୍ଧୀ-ଗଡ଼ସେ ଚରିତ୍ର ବି ଏହି ଯାତ୍ରାରୁ ଜଣାପଡ଼ିଗଲା ବୋଲି ଅନେକ ମତବ୍ୟକ୍ତ କରିଛନ୍ତି।

ତେବେ ତ୍ରିରଙ୍ଗା ତୁଳନାରେ ରାହୁଲଙ୍କ ନିଜର କଟଆଉଟ୍ ଅଧିକ ଉଚ୍ଚତାର କରି କଂଗ୍ରେସ ଓ ରାହୁଲ କିଭଳି ବାର୍ତ୍ତା ଦେବାକୁ ଦେଶକୁ ଚାହୁଁଛନ୍ତି ବୋଲି କଟାକ୍ଷ କରିଛି ବିଜେପି। କଂଗ୍ରେସ ଡିଏନଏରେ ଏଭଳି ଉତ୍ସୃଙ୍ଖଳତା ଭରି ରହିଛି।

ସରିଲା ଭାରତ ଯୋଡ଼ ଯାତ୍ରା। ଗଣତନ୍ତ୍ର ଓ ସମ୍ୱିଧାନ ସୁରକ୍ଷା ନେଇ ଏହି ମେଗା ଯାତ୍ରା କଂଗ୍ରେସ ଓ ଏହାର ସମଭାବାପନ୍ନ ଦଳକୁ କିଭଳି ସହାୟକ ସାଜୁଛି, ଦେଖିବାର କଥା।

ପ୍ରଦୀପ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *