କିଏ ଆଦିବାସୀଙ୍କ ବିକାଶରେ ବାଧକ। କାହା ଅମଳରେ ଆଦିବାସୀଙ୍କୁ ଅଣଦେଖା ଓ ଅବହେଳା ହୋଇଛି। ଜନଜାତୀୟ ଗୌରବ ଦିବସ ତଥା ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜନ୍ମଜୟନ୍ତୀରେ ଆରୋପ ପ୍ରତ୍ୟାରୋପ ରାଜନୀତି ତେଜ୍ ହୋଇଛି। ଜନଜାତିଙ୍କ ବିକାଶ ଲାଗି ମୋଦି ସରକାର ସଂକଳ୍ପବଦ୍ଧ ବୋଲି କହିବା ସହ ଅତୀତର ସରକାର ପଚାରୁନଥିଲେ କହି ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ। ସେପଟେ ରାହୁଲ ଗାନ୍ଧୀ କହିଛନ୍ତି, କୋଟିପତି ବନ୍ଧୁଙ୍କ ସ୍ୱାର୍ଥରେ ସମ୍ୱିଧାନ ଦେଇଥିବା ଅଧିକାରକୁ ମୋଦି ସବୁ ନେଇଯିବାକୁ ବ୍ୟସ୍ତ। ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି, ପେସା ଆଇନ ଆଗରୁ ଜନସଭା ହେବ।
ଜଳ, ଜମି ଓ ଜଙ୍ଗଲ ଉପରେ ଥିବା ଆଦିବାସୀଙ୍କ ପାରମ୍ପରିକ ଅଧିକାରକୁ କିଏ ଛଡ଼ାଇନେଉଛି। କାହାର ଅବହେଳା ଲାଗି ଜନଜାତି ସମ୍ପ୍ରଦାୟ ଅଣଦେଖାର ସମ୍ମୁଖୀନ ହେଉଛନ୍ତି। କାହାର ନ୍ୟସ୍ତସ୍ୱାର୍ଥ ଲାଗି ଆଦିବାସୀଙ୍କ ଜୀବନ-ଜୀବିକା ବିପଦରେ ପଡ଼ିଛି। ଜନଜାତୀୟ ଗୌରବ ଦିବସ ତଥା ବିର୍ସା ମୁଣ୍ଡାଙ୍କ ୧୫୦ତମ ଜନ୍ମଜୟନ୍ତୀରେ ଆରୋପ ପ୍ରତ୍ୟାରୋପ ରାଜନୀତି ତେଜ୍ ହୋଇଛି। ବିହାରର ଜମ୍ମୁଇରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶ ଆଦିବାସୀଙ୍କ ବଳିଦାନକୁ କଦାପି ଭୁଲି ପାରିବନି। ଏନଡିଏର ସୌଭାଗ୍ୟ ଯେ, ଆଦିବାସୀ ସମାଜର ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି କରିବାକୁ ସୁଯୋଗ ମିଳିଲା। ପଛୁଆ ଆଦିବାସୀଙ୍କ ବିକାଶ ଲାଗି ସବୁବେଳେ ରାଷ୍ଟ୍ରପତି ଜୋର୍ ଦେଇ ଆସୁଥିଲା ବେଳେ ଅତୀତ ସରକାର ଆଦିବାସୀଙ୍କ ସ୍ୱାର୍ଥକୁ କ୍ରମାଗତ ଅଣଦେଖା କରିଆସୁଥିଲେ। ଜନଜାତିଙ୍କୁ ଘର, ବିଜୁଳି, ରାସ୍ତାର ଲାଭ ଦେଉଛନ୍ତି ମୋଦି ସରକାର। ଯାହାଙ୍କୁ ଗଲା ସରକାର ପଚାରୁନଥିଲେ, ତାଙ୍କୁ ମୋଦି ସରକାର ପଚାରୁଛନ୍ତି।
ସେପଟେ ମୋଦି ସରକାର କିଭଳି ଆଦିବାସୀଙ୍କ ଅଧିକାରକୁ ଦଳିଚକଟି ଚାଲିଛନ୍ତି, ଝାଡ଼ଖଣ୍ଡରେ ତାହାର ଅବତାରଣା କରିଛନ୍ତି ବିରୋଧୀ ଦଳ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ। ମୋଦି କୋଟିପତିଙ୍କ ସଖି କଣ୍ଢେଇ ସାଜିଛନ୍ତି। ଆଦିବାସୀଙ୍କ ଜଳ, ଜଙ୍ଗଲ ଓ ଜମି ଚାହୁଁଛନ୍ତି। ଆଉ ଏହାକୁ କରିବାକୁ ମୋଦି ସଂକଳ୍ପ ନେଇଛନ୍ତି। ଆଦାନୀ, ଅମ୍ୱାନୀଙ୍କ ଭଳି କୋଟିପତିଙ୍କ ସ୍ୱାର୍ଥରେ ସବୁବେଳେ ସମର୍ପିତ ମୋଦି। ଆଦିବାସୀଙ୍କୁ ଜଳ, ଜମି, ଜଙ୍ଗଲର ଅଧିକାର ସମ୍ୱିଧାନ ଦେଇଛି। ଦେଶର ସମ୍ୱିଧାନରେ ବିର୍ସା ମୁଣ୍ଡା, ଗୁରୁ ନାନକ, ଆମ୍ୱେଦକର, ବୁଦ୍ଧ, ମହାତ୍ମା ଗାନ୍ଧୀ ଓ ଫୁଲେଙ୍କର ଭାବନା ରହିଛି।
ସେପଟେ ଓଡ଼ିଶାରେ ଜନଜାତୀୟ ଗୌରବ ଦିବସରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବି କହିଛନ୍ତି, ପୂର୍ବରୁ ଆଦିବାସୀଙ୍କୁ ଅବହେଳିତ କରି ରଖାଯାଇଥିଲା। ଜନଜାତି ସମ୍ପ୍ରଦାୟ ଓଡ଼ିଶାର ଶକ୍ତି ଓ ଆତ୍ମା। ପେସା ଆଇନ ଲାଗୁ ହେବା ଆଗରୁ ୨୬ ତାରିଖ ଯାଏ ପ୍ରତି ଗାଁରେ ଜନସଭା ହେବ। ଲୋକଙ୍କୁ ସଚେତନ କରାଯିବବୋଲି ଘୋଷଣା କରିଛନ୍ତି ମୋହନ ମାଝୀ।
ଆଦିବାସୀଙ୍କ ବିକାଶ ଲାଗି କିଏ ସମର୍ପିତ। ଜନଜାତି ଗୌରବ ଦିବସରେ ଆଦିବାସୀଙ୍କ ସ୍ୱାର୍ଥର କଥା କହି ଅତୀତର ସରକାର ଆଦିବାସୀ ବିରୋଧୀ ବୋଲି ଚିତ୍ରଣ କରିଛନ୍ତି ବିଜେପି ସରକାର।
Naxatra News is now on Whatsapp
Join and get latest news update delivered to you via whatsapp
Join Now