ଗଣତନ୍ତ୍ରକୁ ହାଇଜାକ୍ କରିଛି ଶାସକ ଦଳ

Spread the love

() ଫେକ୍ ସୋସିଆଲ ମିଡ଼ିଆ କ୍ୟାମ୍ପେନ ଜରିଆରେ ଜନମତକୁ ପ୍ରଭାବିତ କରାଯାଉଛି। ଇସ୍ରାଏଲ ସ୍ପେଶାଲ ଫୋର୍ସର ଏକ ଏଜେନ୍ସି ଏହି କାମରେ ଲାଗିଛି। ଖବରଦାତା ମାନଙ୍କ ଏକ ଅନ୍ତର୍ଜାତୀୟ ଗୋଷ୍ଠୀ ଏ କଥା ପ୍ରଘଟ କରିବା ପରେ ଦେଶବ୍ୟାପୀ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଟିମ୍ ଜର୍ଜ ଓ ଶାସକ ବିଜେପିର ଆଇଟି ସେଲ୍ ଭିତରେ ସାମଞ୍ଜସ୍ୟ ଅଭିଯୋଗ ଆଣି ଏହାର ତଦନ୍ତ ଦାବି କରିଛି କଂଗ୍ରେସ। ନିର୍ବାଚନ ଜିତିବାକୁ କୁଆଡ଼େ ମୋଦି ଇସ୍ରାଏଲ ଏଜେନ୍ସିର ସାହାଯ୍ୟ ନେଉଛନ୍ତି ବୋଲି ଅଭିଯୋଗ କରିଛି। ସେପଟେ ବିଜେପି ଏହାର କଡ଼ା କାଉଣ୍ଟର କରିଛି।

ଜନମତକୁ ପ୍ରଭାବିତ କରିବା ପାଇଁ ଇସ୍ରାଏଲୀ ଏଜେନ୍ସିର ସହାୟତା ନେଉଛି ବିଜେପି। ଶାସକ ଦଳ ଦେଶର ଗଣତନ୍ତ୍ରକୁ ହାଇଜାକ୍ କରିନେଇଛି। ଭାରତରେ ବସି ଭାରତର ବିରୋଧରେ ଷଡ଼ଯନ୍ତ୍ର ହେଉଛି। ବିଜେପି ବିଦେଶୀ ହ୍ୟାକର୍ସଙ୍କ ନେଟଓ୍ୱର୍କକୁ ବ୍ୟବହାର କରି ନିର୍ବାଚନରେ ହସ୍ତକ୍ଷେପ କରୁଛି। ନିର୍ବାଚନ ଜିତିବାକୁ ମୋଦି ଇସ୍ରାଏଲ ଏଜେନ୍ସିର ସହଯୋଗ ନେଉଛନ୍ତି। କିଛି ଏମିତି ଢଙ୍ଗରେ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ବିରୁଦ୍ଧରେ ଗୁରୁତର ଅଭିଯୋଗ ଆଣି ଏହାର ତଦନ୍ତ ଦାବି କରିଛି କଂଗ୍ରେସ। ଫ୍ରାନ୍ସର ଅଣଲାଭକାରୀ ସଂସ୍ଥା ଫରବିଡେନ ଷ୍ଟୋରୀଜ୍ ର ନିର୍ଦେଶକ୍ରମେ ୩୦ଟି ମିଡିଆ ହାଉସର ସାମ୍ୱାଦିକଙ୍କ ଅନୁସନ୍ଧାନମୂଳକ ରିପୋର୍ଟ ଭିତ୍ତିରେ ଏଭଳି ସଙ୍ଗୀନ ଅଭିଯୋଗ ଆଣିଛି କଂଗ୍ରେସ।

ଇସ୍ରାଏଲ ଏଜେନ୍ସି ଅନେକ ଦେଶର ନିର୍ବାଚନକୁ ପ୍ରଭାବିତ କରିବା ନେଇ

 ଅନ୍ତର୍ଜାତୀୟ ସାମ୍ୱାଦିକ ସୂଚନା ଦେବା ପରେ ଏହାକୁ ଗଣ୍ଠି କରିଛି କଂଗ୍ରେସ। ମିଛ ପ୍ରଚାର କରି ଭୋଟରଙ୍କୁ ଭ୍ରମିତ କରିବା କୁଆଡ଼େ ଏହି ଏଜେନ୍ସିର କାମ। ଇସ୍ରାଏଲ ସ୍ପେଶାଲ ଫୋର୍ସର ୫୦ ବର୍ଷୀୟ ପୂର୍ବତନ ଅପରେଟିଭ୍ ତାଲ୍ ହନାନଙ୍କ ନେତୃତ୍ୱାଧୀନ ଟିମ୍ ଜର୍ଜ ବିଶ୍ୱର ୩୦ରୁ ଉର୍ଦ୍ଧ୍ୱ ନିର୍ବାଚନକୁ ପ୍ରଭାବିତ କରିଛି। ଇସ୍ରାଏଲୀ କଣ୍ଟ୍ରାକ୍ଟର୍ସଙ୍କୁ ନେଇ ଗଠିତ ଟିମ୍ ଜର୍ଜ ଭାରତ, ବ୍ରିଟେନ, ଆମେରିକା, କାନାଡ଼ା, ଜର୍ମାନୀ, ସୁଇଜରଲ୍ୟାଣ୍ଡ, ମେକ୍ସିକୋ, ସେନେଗାଲ ଓ ୟୁଏଇ ସମେତ ପ୍ରାୟ ୨୦ ଦେଶରେ ଫେକ୍ ସୋସିଆଲ ମିଡ଼ିଆ କ୍ୟାମ୍ପେନ ଜରିଆରେ ଜନମତକୁ ପ୍ରଭାବିତ କରିଥିବା ନେଇ ରିପୋର୍ଟ ପ୍ରଘଟ ହୋଇଛି। ଆଉ ଏହାକୁ ଆୟୁଧ କରି ସାମାଜିକ ଗଣମାଧ୍ୟମରେ ମୋଦିଙ୍କ ପ୍ରଶଂସକଙ୍କ ସଂଖ୍ୟାକୁ ନେଇ ରଖାଯାଉଥିବା ତଥ୍ୟ ମିଛ ବୋଲି କହିଛି କଂଗ୍ରେସ।

ନାଗାଲାଣ୍ଡ ବିକାଶର ପ୍ରଚାର ମିଛ ବୋଲି କହିଛି କଂଗ୍ରେସ। ବିଜେପିର ଆଇଟି ସେଲ୍ ଦେଶର ନିର୍ବାଚନୀ ପ୍ରକ୍ରିୟାକୁ ପ୍ରଭାବିତ କରିବାକୁ ମିଛ,ଗୁଜବ ଓ ଅପପ୍ରଚାର ଚଳାଇଥାଏ। ପ୍ରାୟ ୧୮ହଜାର ଟ୍ୱିଟର ଆକାଉଣ୍ଟ ବିଜେପି ପାଇଁ ମିଛ ଖବର ପ୍ରଚାର କରେ। ଇସ୍ରାଏଲ ଏଜେନ୍ସି ଭାରତରେ ଗୁପ୍ତ ଭାବେ କାମ କରୁଥିବା ପ୍ରମାଣ ମିଳିଲାଣି। ତେବେ ସରକାରଙ୍କ ବିନା ପ୍ରୋତ୍ସାହନରେ ଏହି ଏଜେନ୍ସି କାମ କାମ କରିପାରିବନି। ଏହାକୁ ବିଜେପି ହିଁ ପ୍ରୋତ୍ସାହନ ଦେଉଛି। ବିଜେପିର ମିଛ ପ୍ରଚାର ବିରୁଦ୍ଧରେ ସମସ୍ତ ବିରୋଧୀ ଦଳ ଏକାଠି ହେବାକୁ ଆହ୍ୱାନ କରିଛି କଂଗ୍ରେସ। ପେଗାସସ୍ ଉପରେ ବି ମୋଦି ନୀରବ ରହିଲେ।

ସେପଟେ ବିଜେପି ଏଭଳି ଅଭିଯୋଗକୁ ଖଣ୍ଡନ କରିଛି। ମୋଦିଙ୍କୁ ଅକୁଣ୍ଠ ସମର୍ଥନ ମିଳୁଥିବାରୁ ବିରୋଧୀ ବାଉଳା ହେଲେଣି। ଜନତାଙ୍କ ବିକାଶ ଲାଗି ବିଜେପି କ୍ରମାଗତ ଜିତୁଛି। ଜନତାଙ୍କ ଆସ୍ଥା ହରାଇଥିବା କଂଗ୍ରେସ ଏଭଳି କିଛି ଏଜେନ୍ସିର ଆଳରେ ଜନତାର ଆସ୍ଥାଭାଜନ ହେବାକୁ ପ୍ରୟାସ କରୁଛି।

ମୋଦି ସରକାର ପୂର୍ବରୁ ବି କ୍ୟାମ୍ୱ୍ରିଜ୍ ଆନାଲିଟିକା ଓ ପେଗାସସ୍ ସ୍ପାଏଓ୍ୱେରର ବ୍ୟବହାର କରିଥିବା ଅଭିଯୋଗ ଆସିଥିଲା। ଆଉ ଏବେ ଇସ୍ରାଏଲୀ ଏଜେନ୍ସିର ସହାୟତାରେ ନିର୍ବାଚନ ଜିତୁଥିବାର ଆରୋପ ପୁଣି ଲଦିଛି କଂଗ୍ରେସ।

ପ୍ରଦୀପ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *