ଓଡ଼ିଶାରେ ମିଶନ ଶକ୍ତି ଅଭିଯାନ ବନ୍ଦ କରିବାକୁ ବିଜେପିର ଷଡଯନ୍ତ୍ର: ବିଜେଡି

Spread the love

ଭୁବନେଶ୍ୱର : ମିଶନ ଶକ୍ତି ଅଭିଯାନ ଯୋଗୁଁ ଓଡ଼ିଶାର ୭୦ ଲକ୍ଷ ମହିଳା କିପରି ସ୍ୱାବଲମ୍ବୀ ହୋଇ ପାରିଛନ୍ତି ଏବଂ ସାମାଜିକ, ଅର୍ଥନୈତିକ ଓ ରାଜନୈତିକ କ୍ଷେତ୍ରରେ ନିଜର ଯୋଗଦାନ ଦେଇ ପାରୁଛନ୍ତି, ତାହା ଆଜି ସାରା ବିଶ୍ୱ ଦେଖୁଛି । ଓଡ଼ିଶାରେ ମହିଳା ସଶକ୍ତିକରଣର ଏହି ସଫଳ ଅଭିଯାନ ଆଜି ସବୁରି ମୁହଁରେ ପ୍ରଶଂସିତ ହେଉଥିବାବେଳେ ଓଡ଼ିଶା ବିଜେପି କିନ୍ତୁ ଏହାକୁ ସହିପାରୁନି ବୋଲି କହିଛନ୍ତି ବିଜେଡି ମୁଖପାତ୍ର ତୁମ୍ବନାଥ ପଣ୍ଡା ।

ସେ କହିଛନ୍ତି ଯେ, ଓଡ଼ିଶା ବିଜେପିର ନେତାମାନେ ଚାହାଁନ୍ତି, ଓଡ଼ିଶାର ମହିଳାମାନେ ଘର ଭିତରେ ବନ୍ଦ ହୋଇ ରୁହନ୍ତୁ । ଚୁଲିମୁଣ୍ଡରେ ରୋଷେଇ କରିବା ବ୍ୟତୀତ ପଦାକୁ ଗୋଡ଼ ନ କାଢ଼ନ୍ତୁ । ସେଥିପାଇଁ ସେମାନେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଲାଞ୍ଚ ଖାଉଛନ୍ତି ବୋଲି କହି ଅପମାନିତ କରି ଆସୁଛନ୍ତି । ବିଭିନ୍ନ କ୍ଷେତ୍ରରେ ଆଗକୁ ବଢ଼ୁଥିବା ମହିଳାମାନଙ୍କ ବିରୋଧରେ ବାରମ୍ବାର ମିଥ୍ୟା ଆରୋପ କରିବା ସହ ସେମାନଙ୍କ ପ୍ରତି କଟୁ ଶବ୍ଦ ପ୍ରୟୋଗ କରୁଛନ୍ତି । ମିଶନ ଶକ୍ତି ଅଭିଯାନ ଯୋଗୁଁ ଆଜି ଓଡ଼ିଶାର ମହିଳାମାନେ ହୋଟେଲ/ରେଷ୍ଟୁରାଣ୍ଟ ଚଳାଉଛନ୍ତି, ହସ୍ପିଟାଲ ପରିଚାଳନାଠୁ ନେଇ ଧାନ ସଂଗ୍ରହ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକୁ ସଫଳତାର ସହ ସଂପାଦନ କରୁଛନ୍ତି । ନିଜକୁ ସଫଳ ଉଦ୍ୟୋଗୀ ଭାବେ ମଧ୍ୟ ପ୍ରମାଣିତ କରୁଛନ୍ତି ।

 ମିଶନ ଶକ୍ତି ଅଭିଯାନକୁ ବନ୍ଦ କରିବା ପାଇଁ ବିଜେପିର ଏହି ଷଡ଼ଯନ୍ତ୍ର କିନ୍ତୁ କେବେ ବି ସଫଳ ହେବ ନାହିଁ । ମିଶନ ଶକ୍ତି ସହ ସଂପୃକ୍ତ ଥିବା ମା’ମାନେ ଏହାକୁ କେବେହେଲେ ବରଦାସ୍ତ କରିବେ ନାହିଁ । ସେମାନେ ଏହାର ଉଚିତ ଜବାବ ଦେବେ ବୋଲି କହିଛନ୍ତି ଶ୍ରୀ ପଣ୍ଡା ।

Leave a Reply

Your email address will not be published. Required fields are marked *