ମୁଣ୍ଡ ଟେକିଛି ୭ ଦଶନ୍ଧି ପୁରୁଣା ସୀମା ବିବାଦ

Spread the love

() ସୀମା ବିବାଦକୁ ନେଇ ମୁହାଁମୁହିଁ ମହାରାଷ୍ଟ୍ର-କର୍ଣ୍ଣାଟକ ସରକାର। ଉଭୟ ରାଜ୍ୟରେ ବିଜେପି ସରକାର କ୍ଷମତାରେ ରହିଥିବାବେଳେ ଉଭୟ ସରକାରଙ୍କ ମଧ୍ୟରେ ଆରମ୍ଭ ହୋଇଛି ସୀମା ବିବାଦକୁ ନେଇ ରାଜନୀତି। ମହାରାଷ୍ଟ୍ର ଓ କର୍ଣ୍ଣାଟକ ମଧ୍ୟରେ ବେଲାଗାଭିକୁ ନେଇ ଆନ୍ତଃ ରାଜ୍ୟ ସୀମା ବିବାଦ ତେଜିବାରେ ଲାଗିଛି। ଉଭୟ ରାଜ୍ୟ ବର୍ଷ ବର୍ଷ ଧରି କର୍ଣ୍ଣାଟକର ବେଲଗାଭୀକୁ ନିଜ ଅଞ୍ଚଳ ଭାବେ ଦାବି କରି ଆସୁଛନ୍ତି। ତେବେ ଦୁଇ ପକ୍ଷ ମଧ୍ୟରେ ଚାଲିଥିବା ଛକାପଞ୍ଝା ପରିସ୍ଥିତି ଆଜି ଉଗ୍ରରୂପ ଧାରଣ କରିଥିଲା।

ପୁଣିଥରେ ମୁଣ୍ଡ ଟେକିଛି ୭ ଦଶନ୍ଧି ପୁରୁଣା ମହାରାଷ୍ଟ୍ର-କର୍ଣ୍ଣାଟକ ସୀମା ବିବାଦ। ଉତ୍ତର କର୍ଣ୍ଣାଟକ ସୀମାରେ ଆସୁଥିବା ମରାଠୀ ଭାଷୀ ଅଞ୍ଚଳ ବେଲାଗାଭିକୁ ନେଇ ଦୁଇ ଭାଜପା ଶାସିତ ରାଜ୍ୟ ମୁହାଁମୁହିଁ। ବେଲାଗାଭି ବିବାଦ କେନ୍ଦ୍ରରେ କ୍ଷମତାସୀନ ଭାଜପା ସରକାର ପାଇଁ ଅଡ଼ୁଆ ସାଜିଛି। ମହାରାଷ୍ଟ୍ର ଓ କର୍ଣ୍ଣାଟକ ମଧ୍ୟରେ ବେଲାଗାଭିକୁ ନେଇ ଆନ୍ତଃ ରାଜ୍ୟ ସୀମା ବିବାଦ ତେଜିବାରେ ଲାଗିଛି। ମହାରାଷ୍ଟ୍ରର ଦାବି ବିରୋଧରେ କର୍ଣ୍ଣାଟକ ସରକାର ସୋମବାର ବେଲାଗାଭିସ୍ଥିତ ବିଧାନସଭାର ଦ୍ୱିତୀୟ ଗୃହରେ ପ୍ରତୀକାତ୍ମକ ଅଧିବେଶନ ଡାକିବା ପୂର୍ବରୁ ବେଲଗାଭିରେ ୧୪୪ ଧାରା ଲାଗୁ କରାଯାଇଛି। ହଜାର ହଜାର ସଂଖ୍ୟାରେ ବିକ୍ଷୋଭକାରୀମାନେ ସୀମାରେ ଅଟକି ରହିଥିବା ଦେଖିବାକୁ ମିଳିଥିଲା। ଆଜିଠାରୁ କର୍ଣ୍ଣାଟକ ବିଧାନସଭାର ୧୦ ଦିନିଆ ଶୀତ ଅଧିବେସନ ଆରମ୍ଭ ହେବାକୁ ଯାଉଥିବାରୁ ମହାରାଷ୍ଟ୍ର ଏକୀକରଣ ସମିତି, କଂଗ୍ରେସ ଏବଂ ଏନସିପି ସଦସ୍ୟମାନେ ଆନ୍ତ-ରାଜ୍ୟ ସୀମା ପ୍ରସଙ୍ଗରେ କର୍ଣ୍ଣାଟକ-ମହାରାଷ୍ଟ୍ର ସୀମା ନିକଟରେ ବିରୋଧ ପ୍ରଦର୍ଶନ କରିଥିଲେ। ସୀମାନ୍ତରେ ଶିବସେନା, କଂଗ୍ରେସ ଏବଂ ଏନସିପିର ୩୦୦ରୁ ଅଧିକ ସଦସ୍ୟଙ୍କୁ ଅଟକାଇ ଦିଆଯାଇଛି। ସେପଟେ ମହାରାଷ୍ଟ୍ର କଂଗ୍ରେସ ସଭାପତି ନାନା ପାଟୋଲ ବିବାଦକୁ ନେଇ କେନ୍ଦ୍ରର ମୋଦି ସରକାରଙ୍କୁ ଦାୟୀ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ମହାରାଷ୍ଟ୍ରକୁ ବିଭାଜନ କରିବାକୁ ଚାହୁଁଛନ୍ତି ବୋଲି ଅଭିଯୋଗ ଲଦିଛନ୍ତି।

ସେପଟେ ସୀମା ବିବାଦ ଜାରି ରହିଥିବାବେଳେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କହିଛନ୍ତି, ପ୍ରଥମଥର ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମହାରାଷ୍ଟ୍ର ଏବଂ କର୍ଣ୍ଣାଟକ ମଧ୍ୟରେ ଆନ୍ତ-ରାଜ୍ୟ ସୀମା ବିବାଦରେ ମଧ୍ୟସ୍ଥତା କରିଛନ୍ତି। ବର୍ତ୍ତମାନ ଏହି ପ୍ରସଙ୍ଗକୁ ନେଇ କୌଣସି ରାଜନୀତି କରିବା ଉଚିତ୍ ନୁହେଁ। ସୀମା ବାସିନ୍ଦାଙ୍କ ସହ ଆମେ ଏକାଠି ଛିଡା ହେବା ଉଚିତ୍ ବୋଲି କହିଛନ୍ତି ସିନ୍ଦେ। ମହାରାଷ୍ଟ୍ର ଓ କର୍ଣ୍ଣାଟକର ବିବାଦୀୟ ସୀମାରେ ଆଇନଶୃଙ୍ଖଳା ବଜାୟ ରଖିବା ପାଇଁ କେନ୍ଦ୍ର ସରକାର ଉଦ୍ୟମ ଚଳାଇଥିବାବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି। ବାସବରାଜ ବୋମାଇ ଓ ଏକନାଥ ସିନ୍ଦେଙ୍କୁ ନେଇ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ବୈଠକରୁ କୌଣସି ସକରାତ୍ମକ ନିଷ୍କର୍ଷ ବାହାରିପାରି ନାହିଁ। ଗତ ବୁଧବାର ବୈଠକ ପରେ ଗଣମାଧ୍ୟମକୁ ଶାହା କହିଥିଲେ, ଦୁଇ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଏକ ଚୁକ୍ତି ହୋଇଛି। ସୁପ୍ରିମକୋର୍ଟ ରାୟ ନ ଆସିବା ଯାଏ କେହି ସେହି ବିବାଦୀୟ ଅଞ୍ଚଳକୁ ନେଇ ନିଜ ପକ୍ଷରୁ କୌଣସି ଦାବି କରିବେ ନାହିଁ। ଆଲୋଚନା ଜରିଆରେ ଏହାର ସମାଧାନ କରାଯିବ। ଦୁଇ ରାଜ୍ୟର ୩ ଜଣ ଲେଖାଏଁ ମନ୍ତ୍ରୀଙ୍କୁ ନେଇ ଏକ କମିଟି ଗଠନ କରାଯିବ। ସେପଟେ ଦୁଇ ରାଜ୍ୟର ଭାଜପା ସରକାରଙ୍କୁ ଘେରିବା ପାଇଁ କଂଗ୍ରେସ ମଧ୍ୟ ଯଥାସାଧ୍ୟ ଉଦ୍ୟମ କରିଛି।

୨୦୦୪ରୁ ସୁପ୍ରିମକୋର୍ଟରେ ବେଲାଗାଭି ବିବାଦ ବିଚାରାଧୀନ ଥିବାବେଳେ ମହାରାଷ୍ଟ୍ର ସରକାରଙ୍କ ଆବେଦନ ଉପରେ ଗତ ନଭେମ୍ବର ୩୦ରେ ଶୁଣାଣି ପାଇଁ ସର୍ବୋଚ୍ଚ ଅଦାଲତ ରାଜି ହୋଇଥିଲେ। ଏହି ପରିପ୍ରେକ୍ଷୀରେ ଦୁଇ ରାଜ୍ୟର ସରକାରଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ବାକ୍‌ଯୁଦ୍ଧ ଥମିବାର ନାଁ ନେଉନାହିଁ। ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ମତରେ ତାଙ୍କ ରାଜ୍ୟର ଗୋଟିଏ ହେଲେ ଗାଁ କର୍ଣ୍ଣାଟକକୁ ଯିବ ନାହିଁ। ଏହାର ଜବାବରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବୋମାଇ କହିଛନ୍ତି, ମହାରାଷ୍ଟ୍ରର ସବୁ ଦଳ ସୀମା ବିବାଦକୁ ଏକ ରାଜନୈତିକ ଅସ୍ତ୍ର ଭାବେ ବ୍ୟବହାର କରୁଛନ୍ତି। ଏହି ଦୀର୍ଘ ଆଇନଗତ ଲଢ଼େଇରେ ମହାରାଷ୍ଟ୍ର କେବେ ହେଲେ ସଫଳ ହେବ ନାହିଁ। ସେପଟେ ମହାରାଷ୍ଟ୍ର-କର୍ଣ୍ଣାଟକ ସୀମା ବିବାଦକୁ ନେଇ ଶିବସେନା ନେତା ସଞ୍ଜୟ ରାଉତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ଶିବସେନାର ମୁଖପାତ୍ର ସାମ୍‌ନାରେ ଲେଖୁଥିବା ସାପ୍ତାହିକ ସ୍ତମ୍ଭ ରୋକ୍‌ଠୋକ୍‌ ରେ ରାଉତ ଅଭିଯୋଗ କରିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀ ରୁଷ୍-ୟୁକ୍ରେନ୍‌ ଯୁଦ୍ଧରେ ମଧ୍ୟସ୍ଥତା କରୁଛନ୍ତି, କିନ୍ତୁ ମହାରାଷ୍ଟ୍ର-କର୍ଣ୍ଣାଟକ ସୀମା ବିବାଦକୁ ଉପକ୍ଷୋ କରୁଛନ୍ତି। ମହାରାଷ୍ଟ୍ର ଓ କର୍ଣ୍ଣାଟକର ସୀମା ବିବାଦ ଦୁଇ ରାଜ୍ୟବାସୀ ଓ ସରକାରଙ୍କ ମଧ୍ୟରେ ଲଢ଼େଇ ନ‌ୁହେଁ, ମାନବତାର ସଂଗ୍ରାମ ଅଟେ। ବେଲାଗାଭି ଏବଂ କର୍ଣ୍ଣାଟକର ଆଖପାଖ ଅଞ୍ଚଳରେ ମରାଠୀ ଭାଷାଭାଷୀ ଲୋକଙ୍କ ସଂଗ୍ରାମକୁ ଅଣଦେଖା କରାଯାଇପାରିବ ନାହିଁ। ରାଜ୍ୟ ପୁନଃସଂରଚନା କରାଯିବା ବ‌େଳେ ବେଲଗାଭି ଓ ଆଖପାଖ ଅଞ୍ଚଳର ମରାଠୀ-ଭାଷୀ ଜନତାଙ୍କୁ ସେମାନଙ୍କ ଅନିଚ୍ଛା ସତ୍ତ୍ୱେ କର୍ଣ୍ଣାଟକରେ ଅନ୍ତର୍ଭୁକ୍ତ କରାଯାଇଛି। ସେମାନଙ୍କ ସଂଗ୍ରାମକୁ ନିର୍ମମ ଭାବେ ଦମନ କରାଯାଇ ପାରିବ ନାହିଁ। ଯଦି କେନ୍ଦ୍ର ସରକାର ଓ ସୁପ୍ରିମ୍‌ କୋର୍ଟ ଏ ସମସ୍ୟାର ସମାଧାନ ନ କରିବେ, ତେବେ ବିଚାର କରିବ କିଏ? ତଥାପି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଏହି ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି, ଯାହା ଏକ ଭଲ କଥା, କିନ୍ତୁ କେନ୍ଦ୍ର ସରକାର ନିରପେକ୍ଷ ଆଭିମୁଖ୍ୟ ଗ୍ରହଣ କରିବେ କି ନାହିଁ। ସୀମା ବିବାଦର ସମାଧାନ ପାଇଁ ସଂସଦ ସମାଧାନ କରିବାକୁ ରାଉତ ଦାବି କରିଛନ୍ତି।

୧୯୫୭ରେ ଭାଷା ଆଧାରରେ ରାଜ୍ୟଗୁଡ଼ିକର ପୁନଃସଂରଚନା କରାଯିବା ସମୟରୁ ମହାରାଷ୍ଟ୍ର-କର୍ଣ୍ଣାଟକ ସୀମା ବିବାଦ ଲାଗି ରହିଛି। ତତ୍‌କାଳୀନ ବମ୍ୱେ ପ୍ରେଜିଡେନ୍‌ସିର ଅଂଶବିଶେଷ ଥିବା କର୍ଣ୍ଣାଟକର ବେଲଗାଭି ଜିଲ୍ଲାରେ ଅଧିକ ସଂଖ୍ୟକ ମରାଠୀ-ଭାଷୀ ଥିବାରୁ ତା’ ଉପରେ ମହାରାଷ୍ଟ୍ର ଦାବି ଜାହିର କରୁଛି।

ପ୍ରେମଲତା ବାରିକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *