କଲେଜିୟମ କରୁଥିବା ସୁପାରିଶ ଗ୍ରହଣ କରୁନି କେନ୍ଦ୍ର

Spread the love

() ବିଚାରପତି ନିଯୁକ୍ତି କ୍ଷେତ୍ରରେ କଲେଜିୟମ କରୁଥିବା ସୁପାରିଶ କେନ୍ଦ୍ର ଗ୍ରହଣ କରୁନି। କଲେଜିୟମ ପଠାଉଥିବା ନାଁ ଉପରେ ଯେଉଁ ଆପତ୍ତି ଉଠାଉଛନ୍ତି କେନ୍ଦ୍ର ସରକାର, ତାକୁ ସୁପ୍ରିମକୋର୍ଟ କଲେଜିୟମ ଗ୍ରହଣ କରିପାରୁନାହାନ୍ତି। ଏମିତି ବାଦ ବିବାଦ ଭିତରେ ଅଟକି ଯାଉଛି ବିଚାରପତି ନିଯୁକ୍ତି। କିଛି ଦିନ ତଳେ ସଂସଦରେ କୋର୍ଟରେ ବକେୟା ମାମଲା ୫ କୋଟି ଛୁଇଁବାକୁ ବସିଲାଣି ପଛରେ ସରକାର ସିଧା କଲେଜିୟମକୁ ଦାୟୀ କରିଥିଲେ।

କୋର୍ଟରେ ଗଡ଼ୁଥିବା ମାମଲା ସଂଖ୍ୟା ୫ କୋଟି ଛୁଇଁବାକୁ ବସିଲାଣି। କିନ୍ତୁ ବିଚାରପତି ଅଭାବରୁ ଏହାର ତ୍ୱରିତ ଶୁଣାଣୀ ହୋଇପାରୁନି। ସୁପ୍ରିମକୋର୍ଟ ସରକାରଙ୍କୁ ଦୋଷ ଲଦୁଥିଲା ବେଳେ ସରକାର କହୁଛନ୍ତି, କଲେଜିୟମ ବ୍ୟବସ୍ଥା ଦାୟୀ। ତା ହେଲେ ଏହାର ସମାଧାନ କେମିତି ହେବ। ସରକାର ଓ ସୁପ୍ରିମକୋର୍ଟ ତ ଝଗଡ଼ାରେ ବ୍ୟସ୍ତ। ଗଲା ଡିସେମ୍ୱରରେ ସଂସଦରେ କଂଗ୍ରେସ ସାଂସଦ ରାଜୀବ ଶୁକ୍ଳାଙ୍କ ଏଭଳି ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଆଇନ ମନ୍ତ୍ରୀ କହିଥିଲେ, ସଂସଦରେ ସର୍ବସମ୍ମତ ନାସନାଲ ଜୁଡିସିଆଲ ଆପଏଣ୍ଟମେଣ୍ଟ କମିଶନ ପାରିତ ହୋଇଥିଲା। ଦୁଇ ତୃତୀୟାଂଶ ରାଜ୍ୟ ବି ଏଥିରେ ସହମତି ଦେଇଥିଲେ। କିନ୍ତୁ ଦେଶର ଜନତା ଓ ସଂସଦର ଭାବନାକୁ ବୁଝିପାରିଲେନି ସୁପ୍ରିମକୋର୍ଟ। କୋର୍ଟ ଉପରେ ଯଦିଓ ଟିକାଟିପ୍ପଣୀ କରିବାକୁ ସେ ଚାହୁଁନାହାନ୍ତି, ତେବେ କହୁ କହୁ ସବୁ କଥା ଓଗାଳିଦେଇଥିଲେ ଆଇନମନ୍ତ୍ରୀ। କଲେଜିୟମ ଯେଉଁ ବିଚାରପତିଙ୍କ ନାଁ ପଠାଉଛି, ସେ ବି ଗୁଣାତ୍ମକ ହେବା ଦରକାର ବୋଲି କହିଥିଲେ ରିଜ୍ଜୁ।

ତେବେ କଥା ଉଠୁଛି, କଲେଜିୟମ ସୁପାରିଶ କରୁଥିବା ବିଚାରପତି କେମିତି ହେବା ଦରକାର। କେନ୍ଦ୍ର କାହିଁକି ଟାଳଟୁଳ ନୀତି ଆପଣାଇ ସୁପାରିଶ ହେଉଥିବା ନାଁରେ ମୋହର ଲଗାଉନି। ଏଇ ଯେମିତି ଗୁଇନ୍ଦା ବ୍ୟୁରୋ ରିପୋର୍ଟକୁ ଅଗ୍ରାହ୍ୟ କରି କଲେଜିୟମ ମାଡ୍ରାସ ହାଇକୋର୍ଟ ବିଚାରପତି ଭାବେ ଆଇନଜୀବୀ ଆର.ଜନ୍ ସଥ୍ୟନ ଓ ବମ୍ୱେ ହାଇକୋର୍ଟ ବିଚାରପତି ଭାବେ ଆଇନଜୀବି ସୋମଶେଖର ସୁନ୍ଦ୍ରେସାନଙ୍କ ନାଁକୁ ପୁଣିଥରେ ସୁପାରିଶ କରିଛନ୍ତି। ସଥ୍ୟନ ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରି ସୋସିଆଲ ମିଡ଼ିଆରେ ଅନେକ ପୋଷ୍ଟ କରିଥିଲେ। ଜଷ୍ଟିସ ଏସ.କେ.କୌଲ ଓ ଜଷ୍ଟିସ କେ.ଏମ.ଜୋସେଫ ସଥ୍ୟନଙ୍କୁ ମାଡ୍ରାସ ହାଇକୋର୍ଟ ବିଚାରପତି ଭାବେ ନିଯୁକ୍ତି ଦେବାକୁ ଫେବୃଆରୀ ୧୬, ୨୦୨୨ରୁ କରିଥିବା ସୁପାରିଶକୁ ପୁଣି ଥରେ ଦୋହରାଇଛନ୍ତି। ଅବଶ୍ୟ ଗୁଇନ୍ଦା ବିଭାଗ ଯଦିଓ ସଥ୍ୟନଙ୍କ ସୋସିଆଲ ମିଡିଆ ପୋଷ୍ଟ ଉପରେ ଆପତ୍ତି ଉଠାଇଥିଲା। କିନ୍ତୁ ତାଙ୍କର ସ୍ୱଛ ଭାବମୂର୍ତ୍ତି ଓ ସତ୍ୟନିଷ୍ଠାକୁ ନେଇ କୌଣସି ପ୍ରତିକୂଳ ରିପୋର୍ଟ ଦେଇନି।

ଏପରିକି ସଥ୍ୟନଙ୍କ ଉପରେ କୌଣସି ରାଜନୈତିକ ଚାପ ବି ନାହିଁ। ସେହିଭଳି ସୁନ୍ଦ୍ରେସନ କେତେକ ଗୁରୁତ୍ୱପୂର୍ଣ୍ଣ ନୀତି, ନିଷ୍ପତ୍ତି, ପଦକ୍ଷେପ ଓ ସରକାରଙ୍କ ନିର୍ଦେଶାନାମାକୁ ସୋସିଆଲ ମିଡିଆରେ ବିରୋଧ କରିଥିଲେ। କିନ୍ତୁ ଜଣେ ପ୍ରାର୍ଥୀଙ୍କ ଦକ୍ଷତା, ମେଧା ଓ ସାଧୁତାକୁ ଆଧାର କରି ତାଙ୍କୁ ବିଚାରପତି ନିଯୁକ୍ତି ଲାଗି ପ୍ରସ୍ତାବ ଦିଆଯାଇଛି ବୋଲି କହିଛନ୍ତି କଲେଜିୟମ। ତାଙ୍କର ଅଭିବ୍ୟକ୍ତିକୁ ନେଇ ନିଯୁକ୍ତିରୁ ବଞ୍ଚିତ କରାଯାଇପାରିବନି। କେବଳ ଏ ଦୁଇ ଜଣ ନୁହଁନ୍ତି। କୋଲକାତା ହାଇକୋର୍ଟ ବିଚାରପତି ଭାବେ ଆଇନଜୀବି ଅମିତେଶ ବାନାର୍ଜୀ ଓ ସାକ୍ୟ ସେନଙ୍କ ପଦୋନ୍ନତିକୁ କଲେଜିୟମ ଦ୍ୱିତୀୟ ଥର ସୁପାରିଶ କରିଛନ୍ତି। ୨୦୨୧ ସେପ୍ଟେମ୍ୱର ୧ରେ କଲେଜିୟମ ଏହି ଦୁଇ ଜଣଙ୍କ ନାଁକୁ ପୁନର୍ବାର ସୁପାରିଶ କରିଥିଲେ। କିନ୍ତୁ ଆଇନ ମନ୍ତ୍ରଣାଳୟ ଏଥିରେ ମୋହର ଲଗାଇନି ଏ ଯାଏ।  ଯଦିଓ କଲେଜିୟମର ସୁପାରିଶକୁ ବାରମ୍ୱାର କେନ୍ଦ୍ର ପ୍ରତ୍ୟାଖ୍ୟାନ କରିପାରିବନି ବୋଲି ଯୁକ୍ତି ଦର୍ଶାଯାଉଛି। ଯଦି କେନ୍ଦ୍ର ସୁପାରିଶ ହୋଇଥିବା ନାଁ କୁ ଫେରାଇଦେଉଛି, ତେବେ ସିଜେଆଇ ଏହାର ଅନୁଧ୍ୟାନ କରିପାରିବେ। ଆଉ ଏହା ପରେ ବିଚାରପତି ନିଯୁକ୍ତି ସିଧାସଳଖ ପ୍ରଧାନମନ୍ତ୍ରୀଙ୍କ ଜରିଆରେ ହେବ। ଯିଏ ମହାମହିମ ରାଷ୍ଟ୍ରପତିଙ୍କୁ ନିଯୁକ୍ତି ଲାଗି ସୁପାରିଶ କରିବେ।

ପ୍ରଦୀପ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *