ସ୍ୱାଧିନତା ଦିବସ ପୂର୍ବରୁ ସ୍ୱାଧୀନତା ସଂଗ୍ରାମୀଙ୍କୁ ନେଇ ଦେଖିବାକୁ ମିଳିଛି ବିବାଦ l ସ୍ୱାଧିନତା ସଂଗ୍ରାମୀମାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ କର୍ଣ୍ଣାଟକ ସରକାର ଖବର କାଗଜରେ ଏକ ବିଜ୍ଞାପନ ଦେଇଥିଲେ। ହେଲେ ଏହି ବିଜ୍ଞାପନକୁ ନେଇ ଏବେ ବିବାଦ ସୃଷ୍ଟି ହୋଇଛି। କାରଣ ଏଥିରେ ମହାତ୍ମା ଗାନ୍ଧୀ, ସୁଭାଷ ବୋଷ ଓ ମୌଲାନା ଆଜାଦଙ୍କ ପରି ସ୍ୱାଧୀନତା ସଂଗ୍ରାମୀଙ୍କ ଫଟୋ ଥିଲେ ବି ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ୍ ନେହେରୁଙ୍କୁ ଫଟୋ ଦିଆଯାଇ ନାହିଁ। ଯାହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବିଜେପି ଜବାହାରଲାଲ ନେହରୁଙ୍କ ବଳିଦାନକୁ ଭୁଲିଯାଇଛି ବୋଲି ସେ କଂଗ୍ରେସ ଅଭିଯୋଗ କରିଛି। ଏନେଇ ବରିଷ୍ଠ କଂଗ୍ରେସ ନେତା ତଥା ରାଜ୍ୟସଭା ସାଂସଦ ଜୟରାମ ରମେଶ କର୍ଣ୍ଣଟକ ବିଜେପିକୁ କଡ଼ା ସମାଲୋଚନା କରିଛନ୍ତି।
ସେ କହିଛନ୍ତି “ ନେହେରୁ ଏଭଳି ହୀନମନ୍ୟତାରୁ ନିଶ୍ଚୟ ପାର ହେବେ।” ଅନ୍ୟ କଂଗ୍ରେସ ନେତାମାନେ ମଧ୍ୟ ଏହି ଘଟଣାରେ କର୍ଣ୍ଣାଟକର ବୋମାଇ ସରକାରଙ୍କୁ ନିନ୍ଦା କରିଛନ୍ତି। ଖବରକାଗଜ ବିଜ୍ଞାପନରେ ସ୍ୱାଧୀନତା ସଂଗ୍ରାମୀ ତାଲିକାରୁ ନେହେରୁଙ୍କୁ ବାଦ୍ ଦେଇ ସବରକରଙ୍କୁ ସ୍ଥାନ ଦିଆଯାଇଛି। ତାଙ୍କୁ ବିପ୍ଳବକାରୀ ବୋଲି ଦର୍ଶାଯାଇଛି। ସାବରକରମଙ୍କର ବିଷୟରେ ବିଜ୍ଞାପନରେ ଲେଖାଯାଇଛି “ ବିନାୟକ ଦାମଦୋର ସାବରକର ଅନେକ ବହି ପବ୍ଲିଶ୍ କରିଛନ୍ତି ଯେଉଁଥିରେ ବିପ୍ଲବକାରୀ ଶୈଳୀରେ ଭାରତର ସ୍ୱାଧୀନତା ପାଇଁ ଦାବି କରିଛନ୍ତି। ତାଙ୍କୁ ଆଣ୍ଡାମାନ ନିକୋବାର ଦ୍ୱିୀପରେ ଥିବା ଜେଲ୍ରେ ରଖି ଅନେକ ନିର୍ଯାତନା ଦିଆଯାଇଥିଲା।” ବୋଲି ବିଜ୍ଞାପନରେ ଲେଖାଯାଇଛି।
ଏନେଇ କଂଗ୍ରେସ ନେତା ଜୟରାମ ରମେଶ ସମାଲୋଚନା କରି ଟ୍ୱିଟ୍ କରିଛନ୍ତି। ସେ ତାଙ୍କ ଟ୍ୱିଟ୍ରେ ଲେଖିଛନ୍ତି “ ଏଭଳି ହୀନମନ୍ୟାତରୁ ନେହରୁ ପାର ହୋଇଯିବେ। ତେବେ ନିଜ ଚାକିରି ବଞ୍ଚାଇବାକୁ ବ୍ୟାକୁଳ ଥିବା କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଯାହା କରିଛନ୍ତି ଏହା ତାଙ୍କ ବାପା ଏସ୍ଆର୍ ବୋମାଇ ଓ ତାଙ୍କ ବାପା ପ୍ରଥମ ରାଜନୈତିକ ଏମ୍ଏନ୍ ରୟଙ୍କ ପ୍ରତି ଅପମାନ। କାରଣ ଏହି ଦୁଇଜଣ ନେହେରୁକୁ ବଡ଼ ପ୍ରଶଂସକ ଥିଲେ। ସେମାନେ ପରସ୍ପର ବନ୍ଧୁ ବି ଥିଲେ। ସତରେ ଏହା ଅତ୍ୟନ୍ତ ଦୁଃଖଦାୟକ।” ଅନ୍ୟପଟେ କଂଗ୍ରେସ ସମାଲୋଚନା ପରେ ସଫେଇ ଦେଇଛି ବିଜେପି। ବିଜେପି ନେତା ମୋହନ କିଶନ କହିଛନ୍ତି “ ତାଙ୍କ ଫଟୋ(ନେହେରୁ) ମହାତ୍ମା ଗାନ୍ଧୀ, ରାଣୀ ଲକ୍ଷ୍ମୀ ବାଇ ଏବଂ ଅନ୍ୟ ନେତାଙ୍କ ସହ ତାଙ୍କ ଫଟୋର ଅଙ୍କିତ ଚିତ୍ର ରହିଛି।
ହେଲେ ବିପକ୍ଷ ଭୁଲ କଥା ଦର୍ଶାଇ ଗୁଜବ ଉଡ଼ାଇବାକୁ ଚେଷ୍ଟା କରୁଛନ୍ତି ଯାହା ସତ ନୁହେଁ।” କର୍ଣ୍ଣାଟକ ସରକାର କେନ୍ଦ୍ର ସରକାରଙ୍କର ‘ହର ଘର ତିରଙ୍ଗା’ ଅଭିଯାନର ପାଳନ ପୂର୍ବକ ଖବରକାଗଜରେ ବିଜ୍ଞାପନ ଦେଇ ସ୍ୱାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ରାଜ୍ୟ ସରକାରଙ୍କର ଲୋକ ସମ୍ପର୍କର ବିଭାଗ ପକ୍ଷରୁ ସମ୍ପୂର୍ଣ୍ଣ ଗୋଟେ ପୃଷ୍ଠା ବିଜ୍ଞାପନ ଦିଆଯାଇଥିଲା। ହେଲେ କର୍ଣ୍ଣାଟକ ସରକାରଙ୍କର ଏପରି ଆଭିମୁଖ୍ୟକୁ ନେଇ ବିଜେପି ଉପରେ ପ୍ରଶ୍ନ ଛିଡ଼ା କରିଛି।
ଅଭିଷେକ ପୁରୋହିତଙ୍କ ରିପୋର୍ଟ

Naxatra News is now on Whatsapp
Join and get latest news update delivered to you via whatsapp
Join Now