ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଧର୍ମେନ୍ଦ୍ର କର୍ଣ୍ଣାଟକ ପ୍ରଭାରୀ ନିଯୁକ୍ତ

Spread the love

ନୂଆଦିଲ୍ଲୀ: ଆସନ୍ତା କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ରାଜ୍ୟ ପ୍ରଭାରୀ ନିଯୁକ୍ତ କରିଛି ବିଜେପି। ସେହିପରି ତାମିଲନାଡୁର ବିଜେପି ଅଧ୍ୟକ୍ଷ ଅନ୍ନାମଲାଇଙ୍କୁ ସହ ପ୍ରଭାରୀ କରାଯାଇଛି। ଏନେଇ ଦଳ ତରଫରୁ ଜାରି ଏକ ବୟାନରେ ସୂଚନା ଦିଆଯାଇଛି। ପୂର୍ବରୁ ମଧ୍ୟ ଧର୍ମେନ୍ଦ୍ରଙ୍କୁ ବିଭିନ୍ନ ରାଜ୍ୟର ନିର୍ବାଚନ ଦାୟିତ୍ବ ଦିଆଯାଇଥିଲା।

କର୍ଣ୍ଣାଟକରେ ଆସନ୍ତା ଏପ୍ରିଲ ବା ମେ ମାସରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ତେଣୁ ଏବେଠାରୁ ଉଭୟ ଶାସନ ଗାଦିରେ ଥିବା ବିଜେପି ଓ ବିରୋଧୀ କଂଗ୍ରେସ ଭୋଟରଙ୍କ ନିକଟରେ ପହଞ୍ଚିବା ଆରମ୍ଭ କରିଦେଇଛନ୍ତି। ନିର୍ବାଚନକୁ ଆଖିରେ ରଖି ବିଜେପି ତାର ରାଜ୍ୟ ପ୍ରଭାରୀ ଭାବେ ଧର୍ମେନ୍ଦ୍ରଙ୍କୁ ନିଯୁକ୍ତି ଦେଇଥିବା ଘୋଷଣା କରିବା ସହ ତାମିଲନାଡୁ ବିଜେପ ଅଧ୍ୟକ୍ଷଙ୍କୁ ସହ ପ୍ରଭାରୀ କରାଯାଇଛି।

ପୂର୍ବରୁ ବିଭିନ୍ନ ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନ କାଳରେ ଧର୍ମେନ୍ଦ୍ରଙ୍କୁ ସେଠାକାର ପ୍ରଭାରୀ କରାଯାଇଥିଲା ଓ ଧର୍ମେନ୍ଦ୍ର ମଧ୍ୟ ଦକ୍ଷତାର ସହ ନିଜ କାର୍ଯ୍ୟ ସମ୍ପାଦନ କରି କେନ୍ଦ୍ରୀୟ ଟିମଙ୍କ ବିଶ୍ବାସଭାଜନ ହୋଇପାରିଛନ୍ତି। ତେଣୁ ଦକ୍ଷିଣୀ ରାଜ୍ୟସମୂହରେ ଦଳ ନିଜ ସରକାର ଗଠନ କରିବା ଆଶାରେ ଧର୍ମେନ୍ଦ୍ରଙ୍‌କୁ ଭରସା କରିଛି।

ହେଲେ ଏହା କର୍ଣ୍ଣାଟକରେ ଧର୍ମେନ୍ଦ୍ରଙ୍କ ପାଇଁ ଏତେ ସହଜ ହେବା ପରି ମନେ ହେଉନାହିଁ। କାରଣ ସେଠାର ସଂଗଠନରେ ଜାରି ରହିଛି ଆଭ୍ୟନ୍ତରୀଣ କନ୍ଦଳ। ଏପରି ସମୟରେ ଦଳୀୟ ନେତାଙ୍କୁ ଏକଜୁଟ କରି ଲୋକଙ୍କୁ ମନାଇବା ଧର୍ମେନ୍ଦ୍ରଙ୍କ ପାଇଁ ହେବାକୁ ଯାଉଛି ଏକ ବଡ ଚ୍ୟାଲେଞ୍ଜ।

Leave a Reply

Your email address will not be published. Required fields are marked *