ଦିଲ୍ଲୀରେ ବାଣ ରାଜନୀତି

Spread the love

ନୂଆଦିଲ୍ଲୀ: ବାଣ କଟକଣା ଓ ଏହାକୁ ନେଇ ଅଦାଲତି ଲଢ଼େଇ ଏବେ ରାଜନୀତିରେ ମୁଖ୍ୟ ମୁଦ୍ଦା ସାଜିଲାଣି ଯେମିତି। ହିନ୍ଦୁଙ୍କ ପର୍ବକୁ ଆମ୍ ଆଦମୀ ସରକାର ସହିପାରୁନାହାନ୍ତି କହି ଟାର୍ଗେଟ କଲାଣି ବିଜେପି। ସେପଟେ ବାଣ ବଡ଼ ନା ଜୀବନ ବଡ଼ ବୋଲି କାଉଣ୍ଟର ଆଟାକ କରିଛି ଆମ୍ ଆଦମୀ ଦଳ। ଏଭଳି ସ୍ଥିତିରେ ଜଣେ ମୁସଲିମ୍ ପିଟିସନକାରୀ ଗଲାବର୍ଷ କୋଲକାତା ହାଇକୋର୍ଟରେ ବାଣକୁ ସମ୍ପୂର୍ଣ୍ଣ ନିଷେଧ ଲାଗି ଆବେଦନ କରିଥିଲା ବେଳେ ଏଥର ବି ଏହାର ପୁନରାବୃତ୍ତି ହୋଇପାରେ ବୋଲି ଅନେକ ଆଶଙ୍କା ପ୍ରକଟ କରିଛନ୍ତି।

ଦୀପାବଳିରେ ଦିଲ୍ଲୀ ସରକାର ବାଣ ବିକ୍ରି ଓ ବାଣ ଫୁଟାଇବା ଉପରେ ସମ୍ପୂର୍ଣ୍ଣ ନିଷେଦ୍ଧାଦେଶକୁ ନେଇ ରାଜନୀତି ଓ ସୋସିଆଲ ମିଡ଼ିଆରେ ଆରୋପ ପ୍ରତ୍ୟାରୋପର ଝଡ଼ ବହିବାରେ ଲାଗିଛି। ଯଦିଓ ଦିଲ୍ଲୀ ସରକାରଙ୍କ ନିଷ୍ପତ୍ତିକୁ ସର୍ବୋତ୍ତମ ଓ ଦିଲ୍ଲୀବାସୀଙ୍କୁ ପ୍ରଦୂଷଣ ବଳୟରୁ ମୁକ୍ତ କରିବାକୁ ଏଭଳି କଟକଣାକୁ ଯଥାର୍ଥ ବୋଲି କହିଛନ୍ତି ସୁପ୍ରିମକୋର୍ଟ। ହେଲେ ଏହାକୁ ନେଇ ଥମୁନି ଆରୋପ ପ୍ରତ୍ୟାରୋପ। କିଏ ଏହାକୁ ହିନ୍ଦୁଙ୍କ ବଡ଼ ପର୍ବରେ ବାଧା ଦେଉଥିବା ଆପ୍ ସରକାରଙ୍କୁ ହିନ୍ଦୁ ବିରୋଧୀ ବୋଲି ଆକ୍ଷେପ କଲାଣି ତ କିଏ କହୁଛି, ଅଣ ହିନ୍ଦୁଙ୍କ ପର୍ବରେ ବାଣ ଫୁଟାଇବାକୁ ଫ୍ରି କରିଦେବେ କେଜରିଓ୍ୱାଲ ସରକାର। ଆଉ କିଏ କହିଛି, ବିବାହ, ନିର୍ବାଚନରେ ବିଜୟ ଯାତ୍ରାରେ ବାଣ ଫୁଟିବା ମନା ନାହିଁ। କିନ୍ତୁ ଦୀପାବଳିରେ ବାଣ ଫୁଟିବା ବ୍ୟାନ୍। ଯୁକ୍ତି ବାଢ଼ିଛନ୍ତି କି, ଦିଲ୍ଲୀରେ ଦୀପାବଳିରେ ବାଣ ଫୁଟିଲେ ମାତ୍ର ୨.୫ ପ୍ରତିଶତ ପ୍ରଦୂଷଣର କାରଣ ସାଜିବ। ଦିଲ୍ଲୀର ପ୍ରଦୂଷଣ କେଉଁଠୁ ଆସୁଛି କହି ହିସାବ ଦେଇଛନ୍ତି। ତା ପୁଣି ଆଇଆଇଟିର ରିପୋର୍ଟ ମୁତାବକ। କେବଳ ୮୦ ପ୍ରତିଶତ ପ୍ରଦୂଷଣ ଗାଡି, ନଡ଼ା ଜାଳ ଓ ଫ୍ୟାକ୍ଟ୍ରିରୁ ଆସୁଛି। କ୍ୟାନସରକୁ ଭଲ କରିବାକୁ ପାରାସିଟାମଲ ଦେବା ଭଳି ଏଭଳି ଆକ୍ସନ। ସେପଟେ ଆଜିଠୁ ଦୀପ ଜାଳ, ବାଣ ନୁହେଁ କ୍ୟାମ୍ପେନର ଶୁଭାରମ୍ଭ କରିଛନ୍ତି ଦିଲ୍ଲୀ ସରକାର। ଲୋକଙ୍କୁ ସଚେତନ ଉଦ୍ଦେଶ୍ୟରେ ଏହି ଅଭିଯାନ ଆରମ୍ଭ ହୋଇଛି। ଗଲା ଦୁଇ ବର୍ଷ ହେଲା ବାଣ ବିକ୍ରି ଓ ଫୁଟାଇବା ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ବଳବତ୍ତର ରହିଛି। ଆଉ ଏଥର ବି ଦିଲ୍ଲୀରେ ବାୟୁ ପ୍ରଦୂଷଣ ଅଧିକ ଉଦବେଗଜନକ ସ୍ଥିତିରେ ଥିବାରୁ ଏହା ଉପରେ କଟକଣା ଲଗାଯାଇଛି।

ଶୁକ୍ରବାର ଦିଲ୍ଲୀ ସରକାର କନୋଟରେ ଥିବା ସେଣ୍ଟ୍ରାଲ ପାର୍କରେ ୫୧ହଜାର ଦୀପ ଜାଳିବେ। କଟକଣାକୁ କଡ଼ାକଡ଼ି ଅନୁପାଳନ ଲାଗି ୪୦୮ଟି ଟିମ୍ ମୁତୟନ କରାଯାଇଛି। ଦିଲ୍ଲୀ ପୁଲିସର ୨୧୦ଟି ଟିମ୍, ରାଜସ୍ୱ ବିଭାଗର ୧୬୫ଟି ଟିମ୍ ଓ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ୩୩ଟି ଟିମ୍ ବ୍ୟାନକୁ କାର୍ଯ୍ୟକାରୀ ଲାଗି ତଦାରଖ କରିବେ। ଅକ୍ଟୋବର ୧୬ ସୁଦ୍ଧା ବେଆଇନ ବାଣ ବିକ୍ରିକୁ ନେଇ ୧୮୮ଟି ମାମଲା ହୋଇଛି ଓ ୨ହଜାର୧୯୭ କେଜି ବାଣ ଜବତ ହୋଇଛି। ପ୍ରତିବର୍ଷ ଦୀପାବଳିରେ ବାଣ ଫୁଟା ଲାଗି ଛୋଟ ପିଲା, ମହିଳା ଓ ବୟସ୍କଙ୍କ ଲାଗି ଅଧିକ ବିପଦ ସୃଷ୍ଟି ହେଉଛି। ଏହା ସହ କେନ୍ଦ୍ର ପରିବେଶ ମନ୍ତ୍ରୀ ଭୁପେନ୍ଦର ଯାଦବଙ୍କୁ ବି ଅନୁରୋଧ କରିଛନ୍ତି, ଏହି କଟକଣାକୁ କଡାକଡି ଅନୁପାଳନ ଲାଗି ପୁରା ଏନସିଆରରେ ନିଶ୍ଚିତ କରନ୍ତୁ। ସେପଟେ ସୋସିଆଲ ମିଡିଆରେ ସୁପ୍ରିମକୋର୍ଟଙ୍କ ଏକପାଖିଆ ନିଷ୍ପତ୍ତିକୁ ନେଇ ଅନେକ ସମାଲୋଚନା କରିବାକୁ ବି ପଛାଇନାହାନ୍ତି। ବାଣ ଫୁଟାଇବା ଭାରତୀୟ ପରମ୍ପରାର ଏକ ପ୍ରତୀକ। ଏଥିଲାଗି କେଜରିଓ୍ୱାଲ ଓ ଆମ୍ ଆଦମୀ ଦଳ ଦଣ୍ଡିତ ହେବା ଦରକାର। ଏଭଳି ସ୍ଥିତିରେ ଆଉ କେହି ଦିଲ୍ଲୀର ନୂଆ ମନ୍ତ୍ରୀ ରାଜକୁମାର ଆନନ୍ଦଙ୍କ ବାସଭବନରେ କିଭଳି ବାଣ ଫୁଟିଲା, ତାହାର ଭିଡ଼ିଓ ସାମାଜିକ ଗଣମାଧ୍ୟମରେ ଛାଡ଼ି ଭର୍ତ୍ସନା କରିଛନ୍ତି। ବିଜେପିର ତେଜିନ୍ଦର ପାଲ୍ ସିଂ ଏହାକୁ ନେଇ କେଜରିଓ୍ୱାଲ ସରକାରଙ୍କୁ ଘେରିଛନ୍ତି।

ବାଣ କଟକଣାକୁ ନେଇ ଏବେ ରାଜନୀତିର ଚର୍ଚ୍ଚା ଭିତରେ ଧସେଇ ପଶିଛି ଧର୍ମୀୟ କାର୍ଡ।

ପ୍ରଦୀପ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *