ସଂସଦରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପିତ

Spread the love

() ସଂସଦର ବଜେଟ୍ ଅଧିବେଶନ। ରାଷ୍ଟ୍ରପତିଙ୍କ ଅଭିଭାଷଣରୁ ଆରମ୍ଭ ହୋଇଛି ଅଧିବେଶନ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୨-୨୩ର ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରିଛନ୍ତି। ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀ କହିଥିଲେ, ଭାରତ ବଜେଟ ଉପରେ ପୁରା ଦୁନିଆର ନଜର ରହିଛି। ସେପଟେ ଶ୍ରୀନଗରରେ ବର୍ଷା ଓ ବରଫପାତ ଲାଗି ଫେରିବା ସମ୍ଭବପର ହୋଇନଥିବାରୁ ଉଭୟ ରାଜ୍ୟସଭା ଓ ଲୋକସଭାରେ କଂଗ୍ରେସର ବିରୋଧୀ ଦଳ ନେତା ଆଜି ସାମିଲ୍ ହୋଇପାରିନଥିଲେ ଅଧିବେଶନରେ। ଆଉ ରାଷ୍ଟ୍ରପତିଙ୍କ ଅଭିଭାଷଣରେ କିଛି ନୂଆ ନାହିଁ ବୋଲି କାଉଣ୍ଟର କରିଛନ୍ତି ବିରୋଧୀ।

ସଂସଦର ବଜେଟ୍ ଅଧିବେଶନ ଆରମ୍ଭରୁ ପ୍ରଧାନମନ୍ତ୍ରୀ ଏଭଳି ଢଙ୍ଗରେ ରଖିଥିଲେ ମନ୍ତବ୍ୟ। ଭାରତର ବଜେଟକୁ ସାରା ଦୁନିଆର ନଜର ରହିଛି। ବିଶ୍ୱର ଅସ୍ଥିର ଅର୍ଥନୀତି ଭିତରେ କେନ୍ଦ୍ରର ବଜେଟ୍ କିଭଳି ଭାରତୀୟଙ୍କ ଆଶା ଓ ଆକାଙ୍କ୍ଷାକୁ ପୂରଣ କରୁଛି, ତା ଉପରେ ସମସ୍ତଙ୍କ ନଜର। ଆଉ ଅର୍ଥମନ୍ତ୍ରୀ ନିଶ୍ଚିତ ଏ ଦିଗରେ ସକରାତ୍ମକ ବାର୍ତ୍ତା ଅଧିବେଶନରେ ଥୋଇବେ। ସେପଟେ ମହାମହିମ ରାଷ୍ଟ୍ରପତି ସଦନର ଉଭୟ ଗୃହକୁ ସମ୍ୱୋଧିତ କରିଥିଲେ। ସ୍ଥିର ଓ ନିର୍ଣ୍ଣାୟକ ସରକାର ସବୁ ପରିସ୍ଥିତିକୁ ମୁକାବିଲାରେ ସକ୍ଷମ ବୋଲି କହିବା ସହ ଗରିବି ହଟାଅ କେବଳ ଏକ ସ୍ଳୋଗାନରେ ସୀମିତ ନ ରହୁ ବୋଲି ଆହ୍ୱାନ ଦେଇଛନ୍ତି। ସେପଟେ ରାଷ୍ଟ୍ରପତିଙ୍କ ଅଭିଭାଷଣରେ କିଛି ନୂଆ ନାହିଁ ବୋଲି କହିଛନ୍ତି ବିରୋଧୀ। ପୁରା ଅଭିଭାଷଣ ବିଜେପିର ନିର୍ବାଚନୀ ପ୍ରସ୍ତୁତି ଓ ଅଭିଭାଷଣ ଜରିଆରେ ବିଜେପି ନିଜର କ୍ୟାମ୍ପେନ୍ କରିଦେଲା ବୋଲି କହି କଟାକ୍ଷ କରିଛନ୍ତି ବିରୋଧୀ। ଅଭିଭାଷଣରେ ନିଯୁକ୍ତି, ମୁଦ୍ରାସ୍ଫୀତି ବାବଦରେ କିଛି ନାହିଁ। ପ୍ରଧାନମନ୍ତ୍ରୀଙ୍କୁ ଆଦାନୀ ଆକ୍ଟ ଆଣିବାକୁ ପରାମର୍ଶ ଦିଅନ୍ତୁ ମହାମହିମ। କାରଣ ଦେଶରେ କେବଳ ପୁଞ୍ଜିପତିଙ୍କ ଚିନ୍ତାରେ ଉବୁଟୁବୁ ମୋଦି ସରକାର।

ସେପଟେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୨-୨୩ର ଅର୍ଥନୀତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରିଛନ୍ତି। ଚଳିତ ଆର୍ଥିକବର୍ଷରେ ଜିଡିପି ୬.୮ ପ୍ରତିଶତ ରହିବ। ୨୩-୨୪ରେ ଜିଡିପି ୬.୧ ଓ ୨୪-୨୫ ଆର୍ଥିକ ବର୍ଷରେ ଏହା ୬.୮ ପ୍ରତିଶତରେ ସୀମିତ ରହିବ। ଦେଶର ଅର୍ଥନୀତିରେ ବଡ଼ ସୁଧାର ଆସୁଛି ବୋଲି କହିଛନ୍ତି ମୁଖ୍ୟ ଅର୍ଥନୀତି ଉପଦେଷ୍ଟା। ଅଣବ୍ୟାଙ୍କିଂ ଓ କର୍ପୋରେଟ ସେକ୍ଟର ଏବେ ଭଲ ସ୍ଥିତିରେ ଅଛି। କୃଷି କ୍ଷେତ୍ରରେ ନିବେଶ ବଢ଼ିଛି। ଟ୍ରେଡ୍, ହୋଟେଲ ଓ ଟ୍ରାନ୍ସପୋର୍ଟ ସେବାରେ ଉଲ୍ଲେଖନୀୟ ଉନ୍ନତି ହୋଇଥିବା ଦର୍ଶାଇଛି ସର୍ଭେ ରିପୋର୍ଟ।

ଫେବୃଆରୀ ପହିଲାରେ ୨୩-୨୪ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ। ୨୭ଟି କାର୍ଯ୍ୟଦିବସ ସହ ଦୁଇଟି ପର୍ଯ୍ୟାୟରେ ଚାଲିବ ଅଧିବେଶନ। ଅଧିବେଶନରେ ମୁଦ୍ରାସ୍ଫୀତି, ବେକାରୀ ଓ ସୀମା ବିବାଦ ଭଳି ଅନେକ ପ୍ରସଙ୍ଗକୁ ଉଠାଇବାକୁ ବିରୋଧୀ ପ୍ରସ୍ତୁତ ହୋଇ ବସିଛନ୍ତି।

ପ୍ରଦୀପ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *