ଆଉ ଅଧ୍ୟକ୍ଷ ନିର୍ବାଚନ ଲଢିବି ନାହଁ: ଗେହଲଟ

Spread the love

ନୂଆଦିଲ୍ଲୀ: ରାଜସ୍ଥାନ କଂଗ୍ରେସରେ ଜାରି ରାଜନୈତିକ ଅସ୍ଥିରତା ମଧ୍ୟରେ ଆସନ୍ତା ଦିନେ ଦୁଇ ଦିନ ଭିତରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ନିଷ୍ପତ୍ତି ହେବାକୁ ଯାଉଛି। ଦଳର ସାଂଗଠନିକ ମହାସଚିବ କେ ସି ବେଣୁଗୋପାଳ କହିଛନ୍ତି, ରାଜସ୍ଥାନ ମୁଖ୍ୟମନ୍ତ୍ରୀକୁ ନେଇ ପାର୍ଟିର ଅଧ୍ୟକ୍ଷା ସୋନିଆ ଦିନେ ଦୁଇ ଦିନରେ ନିଷ୍ପତ୍ତି ନେବେ। ଏହା ପୂର୍ବରୁ ସୋନିଆଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ। ସୋନିଆଙ୍କଠାରୁ ରାଜସ୍ଥାନ ସ୍ଥିତିକୁ ନେଇ କ୍ଷମା ମାଗିଛନ୍ତି। ଏଥିସହ ସେ ଆଉ ଅଧ୍ୟକ୍ଷ ପଦ ପାଇଁ ଲଢିବେ ନାହିଁ ବୋଲି କହିଛନ୍ତି।

ବେଣୁଗୋପାଳ ସାମ୍ବାଦିକମାନଙ୍କୁ କହିଛନ୍ତି, ଗତ ୫୦ ବର୍ଷ ଧରି ମୁଁ ଦଳର ବିଶ୍ବସ୍ଥ ସିପାହୀ ଭାବେ କାର୍ଯ୍ୟ କରୁଛି। ଗତ ଦୁଇ ଦିନ ପୂର୍ବରୁ ରାଜସ୍ଥାନରେ ଯାହା ଘଟିଗଲା ଆମକୁ ଦୋହଲାଇ ଦେଇଛି।

ସେପଟେ ଏହି ପ୍ରସଙ୍ଗରେ ଗେହଲଟ କହିଛନ୍ତି, ଆମ ପରମ୍ପରାରେ ଏକ ଲାଇନ ପ୍ରସ୍ତାବ ପାରିତ ହୋଇଥାଏ। କିନ୍ତୁ ଦୁର୍ଭାଗ୍ୟରୁ ଏମିତି ସ୍ଥିତି ସୃଷ୍ଟି ହେଲା କି ପ୍ରସ୍ତାବ ପାରିତ ହୋଇପାରିଲା ନାହିଁ। ମୁଁ ମୁଖ୍ୟମନ୍ତ୍ରୀ ଓ ବିଧାୟକ ଦଳ ନେତା। ପ୍ରସ୍ତାବ ପାରିତ ନ ହେବାକୁ ନେଇ ମୁଁ ଦୁଃଖିତ ଓ ଏହି ଦୁଃଖ ସର୍ବଦା ରହିବ। ମୁଁ ସୋନିଆଙ୍କୁ ଏନେଇ କ୍ଷମା ପ୍ରାର୍ଥନା କରିଛି। ଏହି ସ୍ଥିତି ପରେ ମୁଁ ଅଧ୍ୟକ୍ଷ ପଦରୁ ବ୍ୟାହତ ନେଇଛି।

ଗତ ରବିବାର ସଂଧ୍ୟାରେ ଜୟପୁରରେ ବିଧାୟକ ଦଳର ବୈଠକ ଡକା ଯାଇଥିଲା, କିନ୍ତୁ ଗେହଲଟଙ୍କ ସମର୍ଥକ ବିଧାୟକମାନେ ଏଥିରେ ସାମିଲ ହୋଇ ନ ଥିଲେ। ଦଳର ରାଜ୍ୟ ପର୍ଯ୍ୟବେକ୍ଷକ ମଲ୍ଲିକାଜ୍ଜୁନ ଖଡଗେ ଓ ଅଜୟ ମାକନ ଏହାକୁ ଘୋର ଅନୁଶାସନହୀନତା କହିଛନ୍ତି। ତେଣୁ ଗେହଲଟଙ୍କ ତିନି ସମର୍ଥକଙ୍କ ବିରୋଧରେ ଅନୁଶାସନଗତ କାର୍ଯ୍ୟାନୁଷ୍ଠାନ ପାଇଁ ସୋନିଆଙ୍କୁ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *