ବାଜିଲା ଗୁଜୁରାଟ ନିର୍ବାଚନୀ ବିଗୁଲ

Spread the love

() ଗୁଜୁରାଟ ପାଇଁ ନିର୍ବାଚନୀ ବିଗୁଲ ବାଜିଛି। ଗୁଜୁରାଟରୁ ଗୌରବ ଯାତ୍ରା ଆରମ୍ଭ କରିଛି ବିଜେପି। କ୍ରମାଗତ ଗୁଜୁରାଟ କ୍ଷମତା ଡୋରିକୁ ଧରିଥିବା ବିଜେପି ଲାଗି ଏଥର ଜିତିବା ସହଜ ହେବ ନା ଏଥର ଆମ୍ ଆଦମୀ ଦଳ କରିସ୍ମା କରିବ। ଗୁଜୁରାଟରେ ପରିବର୍ତ୍ତନ ହେବ ବୋଲି ଆପ୍ ଦାବି କରିଛି। ଆଉ ତା ଆଗରୁ ମୋଦି ଓ ତାଙ୍କ ମାଆଙ୍କ ପ୍ରତି ଆମ୍ ଆଦମୀ ଦଳର ଗୁଜୁରାଟ ମୁଖ୍ୟଙ୍କ ଆପତ୍ତିଜନକ ଟିପ୍ପଣୀକୁ ନେଇ ବିଜେପି ମୁଦ୍ଦା କଲାଣି।

ଗୁଜୁରାଟ ଓ ହିମାଚଳପ୍ରଦେଶ ପାଇଁ ବାଜିଲା ନିର୍ବାଚନୀ ବିଗୁଲ୍। ତାରିଖ ଘୋଷଣା ପରଠୁ ଯେତିକି ରାଜନୈତିକ ଗିତିବିଧି ପ୍ରଖର ହେବା କଥା, ତା ଆଗରୁ ଗୁଜୁରାଟରେ ବିଜେପି ଓ ଆମ୍ ଆଦମୀ ଦଳ ଭିତରେ ତୁତୁମେମେ ରାଜନୀତି ଶିଖରକୁ ଛୁଇଁସାରିଲାଣି କହିଲେ ଭୁଲ୍ ହେବନି। ମୋଦି ଓ ତାଙ୍କ ମାଆଙ୍କ ପ୍ରତି ଆପତ୍ତିଜନକ ଟିପ୍ପଣୀ କରିଥିବା ଗୁଜୁରାଟ ଆପ୍ ମୁଖ୍ୟ ଗୋପାଳ ଇଟାଲିଆଙ୍କୁ ଶାଣିତ ଆକ୍ରମଣ କରିଚାଲିଛି ବିଜେପି। ଗୋପାଳଙ୍କୁ ପୁଲିସ ଅଟକ ରଖିବା, କିଛି ସମୟ ପରେ ଜାମିନରେ ଛାଡ଼ିବା ଆଦି ଅଧ୍ୟାୟ ବି ସରିଛି। ହେଲେ ବିଜେପି ଏହି ପ୍ରସଙ୍ଗକୁ ମୁଖ୍ୟ ମୁଦ୍ଦା କରିବାକୁ ଯାଉଛି ନିର୍ବାଚନରେ। ଗୁଜୁରାଟରେ ତୃତୀୟ ଗୌରବ ଯାତ୍ରା ଆରମ୍ଭ କରିସାରିଛି ବିଜେପି। ଗୁଜୁରାଟର ବିକାଶ ଯାତ୍ରା ଗୁଜୁରାଟବାସୀ ଦେଖିସାରିଛନ୍ତି। ଆଉ ଏବେ ଦେଶ ବିକାଶର ଯାତ୍ରା ଦେଖୁଛି ବୋଲି କହିଛନ୍ତି ନଡ୍ଡା।

ସେପଟେ କଂଗ୍ରେସକୁ ୩୫ ବର୍ଷ, ବିଜେପିକୁ ୨୭ ବର୍ଷ ଶାସନଭାର ଦେଇଥିବା ଗୁଜୁରାଟବାସୀ ଏଥର ଆମ୍ ଆଦମୀ ଦଳକୁ ପ୍ରଥମ କରି ସୁଯୋଗ ଦିଅନ୍ତୁ ବୋଲି ଅପିଲ୍ କରିଛି ଦଳ। ଆପ୍ ଗୁଜୁରାଟ ସହପ୍ରଭାରୀ କହିଛନ୍ତି କି, ଦଳ କ୍ଷମତାକୁ ଆସିଲେ ରାଜ୍ୟରୁ ଦୁର୍ନୀତି ଓ ଦାରିଦ୍ର୍ୟ ଦୂରୀକରଣ ହେବ। ଦିଲ୍ଲୀର ଆପ୍ ମଡେଲ ସରକାର ଭଳି ବିଦ୍ୟୁତ ରିହାତିରେ ମିଳିବ ଓ ମୋହଲ୍ଲା କ୍ଲିନିକ୍ ଖୋଲିବ। ବିଜେପି ଭୟରେ ମାଟି କାମୁଡ଼ିଲାଣି। ସେଥିଲାଗି ଆପ୍ ନେତା ଓ କର୍ମୀଙ୍କୁ ଯେନତେନ ପ୍ରକାରେ ଦବାଇବାକୁ କରୁଥିବା ଉଦ୍ୟମ ଫସର ଫାଟିବ। ଗିର୍ ସୋମନାଥ ମନ୍ଦିରରେ ଆୟୋଜିତ ସଭାକୁ ସମ୍ୱୋଧନ କରି ରାଘବ ଏକଥା କହିଥିଲେ। କଂଗ୍ରେସ ବି ବିଶାଳ ରାଲି କରି ନିଜର ଶକ୍ତି ପ୍ରଦର୍ଶନ କରିବାରେ ଲାଗିଛି ଗୁଜୁରାଟରେ। ଦେଓଧର ବିଧାନସଭା କ୍ଷେତ୍ରରେ ଗିରିରାଜ ସିଂ ଭାଗେଲା ଘରକୁ ଘର ବୁଲି କ୍ୟାମ୍ପେନ ଆରମ୍ଭ କରିସାରିଲେଣି। କଂଗ୍ରେସ ବିଧାୟକ ଅନନ୍ତ ପଟେଲ ଗୁଜୁରାଟରେ ୪୨୪ କିଲୋମିଟର କଭର କରିବାକୁ ବାହାରିଛନ୍ତି। ତୃଣମୂଳ କଂଗ୍ରେସ କର୍ମୀଙ୍କୁ ପୁଣି ଆସ୍ଥା ଜିତିବାକୁ ପ୍ରୟାସ କରିଛି ଦଳ।  ଏଥର ୧୨୫ରୁ ଅଧିକ ଆସନ ହାତେଇବ ବୋଲି ଦମ୍ଭ ଦେଖାଇଛି କଂଗ୍ରେସ। ରାଜସ୍ଥାନ ମଡେଲ ଗୁଜୁରାଟରେ ଆପଣାଇବ କଂଗ୍ରେସ।

ଗୁଜୁରାଟ ବିଧାନସଭାରେ ୧୮୨ ଆସନ ଭିତରୁ ୨୦୧୭ରେ ଗଲା ୩୨ ବର୍ଷ ଭିତରେ କଂଗ୍ରେସ ସବୁଠୁ ଉତ୍କୃଷ୍ଟ ପ୍ରଦର୍ଶନ କରି ୭୭ ଆସନ ହାତେଇଥିଲା। ଯଦିଓ ପରବର୍ତ୍ତୀ ସମୟରେ ଅନେକ ବିଧାୟକ ଦଳ ବଦଳ କରି ବିଜେପିକୁ ଢଳିଥିଲେ। ତେବେ ଗଲା ୩୨ ବର୍ଷ ଭିତରେ ପ୍ରଥମ କରି ବିଜେପିର ନିର୍ବାଚନୀ ରଣନୀତି କଡ଼ା ସମ୍ମୁଖୀନ ହେବାକୁ ଯାଉଛି ଆମ୍ ଆଦମୀ ପକ୍ଷରୁ।

ପ୍ରଦୀପ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *