ଜଙ୍ଗଲ କଟାକୁ ନେଇ ପୁଲିସ ଓ ସ୍ଥାନୀୟ ଲୋକଙ୍କ ଭିତରେ ସଂଘର୍ଷ, ତେଜୁଛି ରାଜନୀତି

ଜଙ୍ଗଲ କଟାକୁ ନେଇ ପୁଲିସ ଓ ସ୍ଥାନୀୟ ଲୋକଙ୍କ ଭିତରେ ସଂଘର୍ଷ। ଛତିଶଗଡ଼ର ହସଦେଓ ଜଙ୍ଗଲରେ ଆଦାନୀ କମ୍ପାନୀର କୋଇଲା କମ୍ପାନୀର ସଂପ୍ରସାରଣ ଲାଗି ପ୍ରାୟ ୫ହଜାର ଗଛ କଟାର ଆବଶ୍ୟକତା ରହିଛି। କିନ୍ତୁ ଜଙ୍ଗଲ ଆମର କହି ସ୍ଥାନୀୟ ଲୋକେ ଏହାକୁ କାଟିବାକୁ ବାରଣ କରି ଆନ୍ଦୋଳନ କରିବା ପରିପ୍ରେକ୍ଷୀରେ ପୁଲିସ ସହ ମୁହାଁମୁହିଁ ହୋଇଛନ୍ତି। ଯାହାକୁ ନେଇ ସରକାରଙ୍କ ଆଦାନୀ ପ୍ରୀତିରେ ବଳି ପଡ଼ୁଛନ୍ତି ସାଧାରଣ ଲୋକେ କହି ଆରୋପ ପ୍ରତ୍ୟାରୋପ ରାଜନୀତି ତେଜିଛି।

ହାତରେ ବାଡ଼ି, କୁରାଢ଼ୀ ଓ ଧନୁତୀର ନେଇ ଜଙ୍ଗଲକୁ ଜଗିଥିଲେ ସ୍ଥାନୀୟ ଲୋକେ। କୌଣସି ପରିସ୍ଥିତିରେ ଜଙ୍ଗଲ ସଫା କରିବାକୁ ଦିଆଯିବନି। ଗଛ କଟା ହୋଇପାରିବନି କହି ଅଡ଼ି ବସିଥିଲେ ଲୋକେ। ସେପଟେ ଗଛ କାଟିବାକୁ ବନ ବିଭାଗ ଓ ପୁଲିସର ମିଳିତ ଅପରେସନ। ଛତିଶଗଡ଼ର ହସଦେଓ ଜଙ୍ଗଲ ସୁରକ୍ଷା ନେଇ ଗୋଟିଏ ପଟେ ସ୍ଥାନୀୟ ଲୋକଙ୍କ ଜିଦ୍ ତ ଅନ୍ୟ ପଟେ ଆଦାନୀ ଗ୍ରୁପର କୋଇଲା କମ୍ପାନୀର ସଂପ୍ରସାରଣ ଲାଗି ପ୍ରାୟ ୫ହଜାର ଗଛକଟା ନିର୍ଦେଶକୁ ଅନୁପାଳନ ଲାଗି ପୁଲିସ ଓ ପ୍ରଶାସନ ତୟାର ଥିଲା। ଆଉ ଦେଖୁ ଦେଖୁ ମୁହାଁମୁହିଁ ପରିସ୍ଥିତିରୁ ସଂଘର୍ଷ ଉପୁଜିଥିଲା ପୁଲିସ-ସ୍ଥାନୀୟ ଲୋକଙ୍କ ଭିତରେ। ଅଚାନକ ସ୍ଥାନୀୟ ଲୋକ ହିଂସ୍ରିକ ହୋଇ ଉଠିଥିଲେ। ଆଉ ବନ ବିଭାଗ ଓ ପୁଲିସ ଉପରେ ଆକ୍ରମଣ କରିଥିଲେ। ପାଲଟା ଜବାବରେ ପୁଲିସ ଲାଠିଚାର୍ଜ କରିଥିଲା। ଏଭଳି ସ୍ଥିତିରେ ଗଛ କାଟି ନ ପାରି ପ୍ରଶାସନ ପଛକୁ ଫେରିଥିଲା। ସଂଘର୍ଷରୁ ଅନେକ ଲୋକ ଆହତ ହେବା ସହ ବନବିଭାଗ ଓ ପୁଲିସ କର୍ମୀ ବି ଆହତ ହୋଇଛନ୍ତି। କିଛି ପ୍ରଶାସନିକ ଅଧିକାରୀ ବି ବାଦ୍ ପଡ଼ିଲେନି।

ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏହି ଘଟଣାରେ ଛତିଶଗଡ଼ର ବିଜେପି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଆଦିବାସୀଙ୍କ ଜଙ୍ଗଲ ଓ ଜମିକୁ ବଳପୂର୍ବକ ହଡପ କରିବାକୁ ଆଦାନୀ ପୁଲିସ ବଳ ଲଗାଇ ପ୍ରୟାସ କରୁଛି। ଛତିଶଗଡ଼ରେ କଂଗ୍ରେସ ସରକାର ଥିଲା ବେଳେ ହସଦେଓ ଜଙ୍ଗଲ ନ କାଟିବାକୁ ବିଧାନସଭାରେ ସର୍ବସମ୍ମତ ପ୍ରସ୍ତାବ ପାରିତ ହୋଇଥିଲା। ସର୍ବସମ୍ମତ ଅର୍ଥାତ୍ ବିଜେପି ବିଧାୟକଙ୍କ ବି ସହମତି ଥିଲା। କିନ୍ତୁ ସରକାର ବଦଳିବା ମାତ୍ରେ ନା ଏହି ପ୍ରସ୍ତାବ ବାବଦରେ ବିଜେପି ସରକାର ମନେରଖିଲା ନା ହସଦେଓର ମୂଳନିବାସୀଙ୍କ ଦୁର୍ଦ୍ଦଶା ଓ ଅଧିକାରକୁ ରକ୍ଷା କରିପାରୁଛି। ପ୍ରିୟଙ୍କା ଗାନ୍ଧୀ ବି ଆନ୍ଦୋଳନକାରୀଙ୍କୁ ସମର୍ଥନ କରି ସ୍ୱର ଉଠାଇଛନ୍ତି। ଜଙ୍ଗଲରୁ ବେଦଖଲ କରି ଆଦାନୀର କୋଇଲା ଖାଦାନ ପ୍ରୀତି ଜଳଜଳ କରି ଦେଖାଯାଉଛି। ଲୋକଙ୍କୁ ଉଚିତ କ୍ଷତିପୂରଣ ମିଳିବା ଦରକାର।  ଗୋଟିଏ ଗଛ ମାଆଙ୍କ ନାଁରେ ଅଭିଯାନ କରି ନାଟକ କରୁଛନ୍ତି ମୁଖ୍ୟମନ୍ତ୍ରୀ। ସେପଟେ ଶାସକ ଦଳ କହିଛି, କଂଗ୍ରେସ ଏହି ଉପଦେଶ ଦେବା ବଦଳରେ ନିଜକୁ ଆଗ ଆଇନାରେ ଦେଖୁ। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେଭାନ୍ତ ରେଡ୍ଡୀ କେଉଁ ଆଧାରରେ ସ୍କିଲ ଡେଭେଲପମେଣ୍ଟ ବିଶ୍ୱବିଦ୍ୟାଳୟ ଲାଗି ଆଦାନୀଙ୍କଠୁ ହଜାର କୋଟି ଟଙ୍କା ଡୋନେସନ ନେଲେ। ଆଦାନୀଙ୍କ ସ୍ୱାର୍ଥରେ ମୋଦି ସରକାର ବୋଲି ଚିଲାଉଥିବା କଂଗ୍ରେସ ଏ ବାବଦରେ କାହିଁକି ଚୁପ୍।

ପର୍ସା କୋଇଲା ଖଣିର ସଂପ୍ରସାରଣ ଲାଗି ପ୍ରଶାସନ ଉପସ୍ଥିତିରେ ଗଛକଟା ଆରମ୍ଭ ହେବାରୁ ସ୍ଥାନୀୟ ବାସିନ୍ଦା ଓ ହସଦେଓ ଜଙ୍ଗଲ ବଞ୍ଚାଅ ସୁରକ୍ଷା ସଂଘର୍ଷ ସମିତି ଏହାକୁ ବିରୋଧ କରିଥିଲା। ଲମ୍ୱା ସମୟ ଧରି ହସଦେଓ ଜଙ୍ଗଲରେ ପ୍ରସ୍ତାବିତ କୋଇଲା ଖଣିକୁ ନେଇ ବିବାଦ ଲାଗିରହିଛି। ସରକାରଙ୍କୁ ବିଜୁଳି ଉତ୍ପାଦନ ଲାଗି କୋଇଲା ଆବଶ୍ୟକ ଅଛି। ସେଥିଲାଗି ରାଜସ୍ଥାନ ସରକାରଙ୍କୁ ସରଗୁଜାର ହସଦେଓ କ୍ଷେତ୍ରରେ କୋଇଲା ଖନନ ଲାଗି ଅନୁମତି ଦିଆଯାଇଛି। ରାଜସ୍ଥାନ ରାଜ୍ୟ ବିଦ୍ୟୁତ ନିଗମ ଏହି କୋଇଲା ନେବା କଥା। କୋଇଲା ଖନନର ଦାୟିତ୍ୱ ଆଦାନୀ ସମୂହ ଦ୍ୱାରା ହେଉଛି। ଯିଏ ଖନନ ବିକାଶ ସଞ୍ଚାଳନ ବୁଝାମଣା ଆଧାରରେ କରୁଛି। ଉତ୍ତୋଳିତ କୋଇଲାର ବଡ଼ ଅଂଶ ଆଦାନୀଙ୍କ କମ୍ପାନୀକୁ ବିଜୁଳି ଯୋଗାଇବାରେ ସହାୟକ ସାଜିବ। ୨୦୦୯ ସର୍ଭେକ୍ଷଣ ଅନୁସାରେ ପର୍ସା ଇଷ୍ଟ ଓ କେଟେ ବସନରେ ପ୍ରାୟ ୨ଲକ୍ଷ୪୭ହଜାର ଗଛ କଟାହେବାର ଥିଲା। ପର୍ସାରେ ଅତିରିକ୍ତ ୯୬ହଜାର ଗଛ କଟାହେବ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *