କଂଗ୍ରେସର ହାତ ଧରିଲେ ଦୁଇ କୁସ୍ତିଯୋଦ୍ଧା। ଭିନେଶ ଫୋଗଟ ଓ ବଜରଙ୍ଗ ପୁନିଆ। ହରିଆଣା ବିଧାନସଭା ନିର୍ବାଚନର ଠିକ୍ ମାସକ ପୂର୍ବରୁ ଏହି ଦୁଇ କୁସ୍ତିଯୋଦ୍ଧାଙ୍କ କଂଗ୍ରେସରେ ସାମିଲ ନେଇ ରାଜନୀତି ତେଜ୍ ହୋଇଛି। ଖରାପ ବେଳରେ ବିଜେପିକୁ ଛାଡ଼ିଦେଲେ ସବୁ ଦଳ ସାଥ୍ ଦେଲେ। ସେଥିଲାଗି କଂଗ୍ରେସରେ ସାମିଲ ହୋଇ ଗର୍ବିତ ଅନୁଭବ କରୁଛନ୍ତି ବୋଲି ଫୋଗଟ୍ କହିଥିଲା ବେଳେ ପୁନିଆ କହିଛନ୍ତି, ରାଜନୀତି ଉଦ୍ଦେଶ୍ୟରେ ଆସିନୁ। ସବୁ କଥାରେ ରାଜନୀତି କରିବା ବିଜେପିର କାମ। ଯେଉଁ ପରିଶ୍ରମ କୁସ୍ତି, ଚାଷୀ ଆନ୍ଦୋଳନ ଓ ନ୍ୟାୟ ଲାଗି କରିଥିଲୁ, କଂଗ୍ରେସରେ ବି ସମାନ ପରିଶ୍ରମ କରିବୁ। ବିଜେପି କହିଛି, ଦୁଇଜଣ ଯାକ କଂଗ୍ରେସ ରାଜନୀତିରେ ଫସିଗଲେ।
କଂଗ୍ରେସରେ ମିଶିଲେ ଦୁ଼୍ଇ କୁସ୍ତିଯୋଦ୍ଧା ଭିନେଶ ଫୋଗଟ ଓ ବଜରଙ୍ଗ ପୁନିଆ। ଦିଲ୍ଲୀ ମୁଖ୍ୟାଳୟରେ ବିଧିବଦ୍ଧ ଭାବେ କଂଗ୍ରେସରେ ମିଶିଛନ୍ତି। ଦଳରେ ମିଶିବାର ଦୁଇ ଦିନ ପୂର୍ବରୁ ରାହୁଲଙ୍କୁ ଉଭୟ ସାକ୍ଷାତ କରିଥିଲେ। ହରିଆଣା ବିଧାନସଭା ନିର୍ବାଚନର ଠିକ୍ ମାସକ ଆଗରୁ ଏମାନଙ୍କ ଦଳରେ ମିଶ୍ରଣକୁ ନେଇ ଅନେକ ଚର୍ଚ୍ଚା ଆରମ୍ଭ ହୋଇଛି। ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି, ଚକ୍ ଦେ ଇଣ୍ଡିଆ, ଚକ୍ ଦେ ହରିଆଣା। ଆପଣ ଦୁହେଁ ଆମର ଗର୍ବ। ଦଳର ମହାସଚିବ କେସି ବେନୁଗୋପାଳ ଦଳକୁ ସ୍ୱାଗତ କରିଥିଲେ। କଂଗ୍ରେସ ଲାଗି ବଡ଼ ଦିନ ବୋଲି କହିଥିଲେ ବେନୁଗୋପାଳ।
ଦଳରେ ସାମିଲ୍ ମାତ୍ରେ ବିଜେପି ଉପରେ ବର୍ଷିଛନ୍ତି ଉଭୟ ଫୋଗଟ ଓ ପୁନିଆ। ଉଭୟ ଦଳରେ ମିଶିବା ଆଗରୁ ରେଳବାଇ ଚାକିରୀରୁ ବି ଇସ୍ତଫା ଦେଇଛନ୍ତି। ଭିନେଶ କହିଛନ୍ତି, ଖରାପ ବେଳାରେ ବିଜେପିକୁ ଛାଡ଼ିଦେଲେ ବାକି ଦଳ ତାଙ୍କୁ ସମର୍ଥନ ଦେଇଥିଲା। ମହିଳାଙ୍କୁ ନ୍ୟାୟ ଦେବାକୁ ଲଢ଼ି ସେ ଯେଉଁଭଳି ସଂଘର୍ଷର ସମ୍ମୁଖୀନ ହୋଇଥିଲେ, ଏଭଳି ସ୍ଥିତି ଆଉ କାହାପ୍ରତି କରିବାକୁ ଦେବେନି। କୁସ୍ତିଯୋଦ୍ଧାଙ୍କ ଲୁହର ଆଖି ପୋଛିଥିଲା କଂଗ୍ରେସ। କଂଗ୍ରେସ ସହ ଯୋଡ଼ିବା ପରେ ଗର୍ବିତ ଅନୁଭବ କରୁଛି। ପୁନିଆ କହିଛନ୍ତି, ଯେତିକି ପରିଶ୍ରମ କୁସ୍ତି, ଚାଷୀ ଆନ୍ଦୋଳନ, ଅଗ୍ନିପଥ ଲାଗି କରିଥିଲୁ। ସେତିକି ପରିଶ୍ରମ ତୃଣମୂଳସ୍ତରରେ କଂଗ୍ରେସକୁ ମଝଭୁତ କରିବାରେ ଲାଗିବୁ। ଯେଉଁ ଦିନ ଅଲମ୍ପିକ୍ସରେ ଭିନେଶ ହାରିଥିଲେ, ସେ ଦିନ ବିଜେପି ଆଇଟି ସେଲ୍ ସେଲିବ୍ରେସନ କରିଥିଲା।
ଉଭୟ କୁସ୍ତିଯୋଦ୍ଧାଙ୍କ କଂଗ୍ରେସରେ ସାମିଲ୍ ପରେ ଅନ୍ୟତମ କୁସ୍ତିଯୋଦ୍ଧା ସାକ୍ଷୀ ମଲ୍ଲିକ କହିଛନ୍ତି ଏହା ସେମାନଙ୍କ ବ୍ୟକ୍ତିଗତ ନିଷ୍ପତ୍ତି। ଆନ୍ଦୋଳନ ଯାହା ଥିଲା, ତାକୁ ଭୁଲ ରୂପ ଦିଆନଯାଉ।ତାଙ୍କ ପାଖକୁ ବି ଅଫର୍ ଆସିଛି। ରେସଲିଂରେ ଯେପର୍ଯ୍ୟନ୍ତ ଶୋଷଣ ବନ୍ଦ ହେବନି, ସେ ଯାଏ ତାଙ୍କର ଲଢ଼େଇ ଜାରି ରହିବ। ହରିଆଣା ମୁଖ୍ୟମନ୍ତ୍ରୀ ନାଏବ ସୈନୀ କହିଛନ୍ତି, ଦୁଇ କୁସ୍ତିଯୋଦ୍ଧା ରାଜନୀତିର ଶୀକାର ହୋଇଗଲେ। ଭିନେଶଙ୍କୁ ବିଜେପି ସରକାର ଯଥେଷ୍ଟ ସମ୍ମାନ ଦେଇଛି।
ଭିନେଶ ଜୁଲାନା ଆସନରୁ ଟିକଟ ପାଇ ଲଢ଼ିପାରନ୍ତି। ଏହି ଆସନରେ ଭିନେଶଙ୍କ ଦାଦା ଝିଅ ବବିତା ଫୋଗଟଙ୍କୁ ଏଯାଏ ବିଜେପି ଟିକଟ ଦେଇନି ଲଢ଼ିବାକୁ। ଦାଦ୍ରି ସିଟ୍ରୁ ବି ବିକଳ୍ପ ଭାବେ ଭିନେଶଙ୍କୁ ଟିକଟ ଦେଇପାରେ କଂଗ୍ରେସ। ସେପ୍ଟେମ୍ୱର୧୧ରେ ଭିନେଶ ନାମାଙ୍କନ ଭରିବେ ବୋଲି କୁହାଯାଉଛି। ପୁନିଆଙ୍କୁ କଂଗ୍ରେସର ପ୍ରଚାରକ ଦାୟିତ୍ୱ ମିଳିପାରେ। ବଜରଙ୍ଗ ଝଜ୍ଜର ଆସନରୁ ଟିକଟ ଚାହୁଁଥିଲେ। କିନ୍ତୁ ସିଟିଂ ବିଧାୟକ କୁଲଦୀପଙ୍କ ଟିକଟ କାଟିବାକୁ ମନା କରିଛି କଂଗ୍ରେସ। ବଜରଙ୍ଗଙ୍କୁ ସେଥିଲାଗି ସଂଗଠନରେ ବଡ଼ ଭୂମିକା ମିଳିପାରେ।
Naxatra News is now on Whatsapp
Join and get latest news update delivered to you via whatsapp
Join Now