ଲୁମେକ୍ସ ପ୍ରସଙ୍ଗରେ ମୁହଁ ଖୋଲିଲେ ଡିସିପି

Spread the love

()ଲୁମେକ୍ସ ଲୁଟ୍ ପ୍ରସଙ୍ଗକୁ ନେଇ ବିଧାନସଭା ହୁଲୁସ୍ତୁଲ ହେବା ପରେ ପୁଲିସ ପ୍ରଶାସନ ଅଡୁଆରେ। କୌଣସି ବାଟ ନ ପାଇ ଶେଷରେ ମୁହଁ ଖୋଲିଛନ୍ତି ଭୁବନେଶ୍ୱର ଡିସିପି। ହାଇକୋର୍ଟଙ୍କ ନିର୍ଦେଶକୁ ଅନୁପାଳନ କରାଯିବ। ବଡ଼ ଧରଣର ଆର୍ଥିକ ନେଣଦେଣ ହୋଇଥିବାରୁ ବିଭିନ୍ନ ଏଜେନ୍ସିର ସହଯୋଗ ସହ ସିନିଅର ଅଫିସରଙ୍କୁ ତଦନ୍ତରେ ନିୟୋଜିତ କରାଯାଇଛି। ଅନେକ ପ୍ରମାଣ ଯୋଗାଡ଼ ହେଉଥିବାରୁ ବିଳମ୍ୱ ହେଉଛି।

ଅଭିଯୁକ୍ତ ରାଜୀବ ଦାସ ଓ ସୋନିଆଙ୍କ ସମ୍ପର୍କୀୟ କମିଶନରେଟ ପୁଲିସର ଅତିରିକ୍ତ ସିପି ଉମାଶଙ୍କର ଦାସଙ୍କୁ ବଦଳି କର। ଉମାଶଙ୍କର କମିଶନରେଟ ପୁଲିସରେ ଥିଲା ଯାଏ ଅଭିଯୁକ୍ତ ଦମ୍ପତ୍ତିଙ୍କୁ ବାନ୍ଧିବାକୁ ପଛଘୁଞ୍ଚା ଦେବ ପୁଲିସ। କିଛି ଏମିତି ଢଙ୍ଗରେ ବିଧାନସଭା ଭିତରେ ଓ ବାହାରେ ବିରୋଧୀ ଦଳ ଏହି ବହୁ ଚର୍ଚ୍ଚିତ ଲୁମେକ୍ସ ମହାଠକାମୀକୁ ନେଇ ବର୍ଷିଛନ୍ତି। ଏମିତି ଅଭିଯୁକ୍ତ ଓ ଅଫିସରଙ୍କୁ କାହା ବଳରେ ଘଣ୍ଟ ଘୋଡ଼ାଯାଉଛି ବୋଲି ପଚାରିଛନ୍ତି ବିରୋଧୀ ଦଳ। ସବୁଠି ଏହି ଠକ ଦମ୍ପତ୍ତିଙ୍କ କାରନାମାକୁ ନେଇ ଚର୍ଚ୍ଚା। ତା ସତ୍ତ୍ୱେ ସରକାର ଚୁପ୍ ବସିବା ସମସ୍ତଙ୍କୁ ସନ୍ଦେହୀ କରିଛି। ମାନ୍ୟବର ଉଚ୍ଚନ୍ୟାୟାଳୟଙ୍କ ନିର୍ଦେଶକୁ ଅନୁପାଳନ ବି ହେଉନି। ହେଲେ ଶାସକ ଦଳ କହିଛି, ଆଇନ ଆଖିରେ ସମସ୍ତେ ସମାନ। ଅପରାଧୀ ଯିଏ ଯେତେ ପ୍ରଭାବଶାଳୀ ହୋଇଥିଲେ ବି, ମୁଖ୍ୟମନ୍ତ୍ରୀ କାହାକୁ ବରଦାସ୍ତ କରନ୍ତିନି।

ସେପଟେ ଏ ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ଭୁବନେଶ୍ୱର ଡିସିପି।  ୧୫ ଦିନ ଭିତରେ ଅଭିଯୋଗ ଉପରେ ପଦକ୍ଷେପ ନେବାକୁ ଭୁବନେଶ୍ୱର ଡିସିପିଙ୍କୁ ଉଚ୍ଚନ୍ୟାୟାଳୟ ନିର୍ଦେଶ ଦେଇଥିଲେ। ଅଭିଯୋଗକାରୀଙ୍କୁ ଡାକିଛୁ। ପ୍ରମାଣ ଯୋଗାଡ଼ ଚାଲିଛି। ବଡ଼ ଧରଣର ଆର୍ଥିକ ନେଣଦେଣ ହେତୁ ଅନେକ ଏଜେନ୍ସିକୁ  ଲଗାଇଛୁ। ସିନିଅର ଅଫିସର ତଦନ୍ତରେ ଲାଗିଛନ୍ତି। ଅଭିଯୁକ୍ତଙ୍କ ସହ ବରିଷ୍ଠ ଆଇପିଏସଙ୍କ ସମ୍ପର୍କୀୟ ଆଧାରରେ ତଦନ୍ତ ହୁଏନି। ସତ ଆଧାରରେ ତଦନ୍ତ ହୁଏ। ତଦନ୍ତରେ ଏକଥା ବି ଆସିଲେ, ପୁଲିସ ପ୍ରଫେସନାଲ ଢଙ୍ଗରେ ତଦନ୍ତ କରିବ। କୌଣସି ଅଭିଯୋଗ ଉପରେ ତଦନ୍ତ ଦିଗହରା ହୁଏନା।

ପୁଲିସ ଉପରେ ଅଭିଯୋଗକାରିଣୀଙ୍କ ଭରସା ବି ଥିଲା। କିନ୍ତୁ ନ୍ୟାୟାଳୟଙ୍କ ନିର୍ଦେଶକୁ ଅନୁପାଳନ କରିବାରେ ଅହେତୁକ ବିଳମ୍ୱ ହେତୁ ପୁଲିସ ଉପରେ ସେ ଭରସା ତୁଟିବାକୁ ବସିଲାଣି। ଠକାମୀର ଶିକାର ହେଉଥିବା ବ୍ୟକ୍ତିବିଶେଷଙ୍କ ଗଣମାଧ୍ୟମରେ ଚିତ୍କାର ପରେ ରାଜ୍ୟବାସୀଙ୍କ ଆଗରେ ଦୋଷୀ ହୋଇ ଠିଆହୋଇଛି ରାଜ୍ୟ ପୁଲିସ। ଏପରି ସମୟରେ ପୁଲିସ ବିହୀତ ପଦକ୍ଷେପ ନେଇ ନିଜ ଭାବମୂର୍ତ୍ତି ସୁଧାରିବାରେ ସକ୍ଷମ ହେଉଛି ନା ଲୋକଙ୍କ ଅଭିଯୋଗ ସତ୍ୟ ପ୍ରମାଣିତ ହେଉଛି ଏହା ଦେଖିବାକୁ ବାକି ରହିଛି।

 ସ୍ୱରୂପା ମହାପାତ୍ର, ନବକିଶୋର ସାହୁ ଓ ପ୍ରଦୀପ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *