ଦିଲ୍ଲୀ ମହାନଗର ନିଗମ ଉପନିର୍ବାଚନରେ ବିଜେପିର ବାଜିମାତ୍। ୧୨ଟି ଆସନରୁ ୭ଟିକୁ ଦଖଲ କଲା ବିଜେପି। ଆମ୍ ଆଦମୀ ଦଳ ୩ଟି ଆସନରେ ଜିତିଥିଲା ବେଳେ କଂଗ୍ରେସ ଖାତାରେ ମାତ୍ର ଗୋଟିଏ ସିଟ୍ ପଡ଼ିଲା। ସବୁଠୁ ଆଶ୍ଚର୍ଯ୍ୟର କଥା, ଏଆଇଏଫବି ଆଶାୟୀଙ୍କୁ ବି ଜିତ୍ ମିଳିଛି। ଏହି ଉପନିର୍ବାଚନ ଫଳାଫଳ ଉପରେ ସମସ୍ତଙ୍କ ନଜର ଥିଲା। ଉପନିର୍ବାଚନରେ ସବୁଠୁ ଅଧିକା ଭୋଟରେ ଜିତିଛନ୍ତି ବିଜେପିର ଅନୀତା ଜୈନ। ଶାଲିମାର ବାଗ୍ ସିଟରୁ ପ୍ରାର୍ଥୀ ଅନୀତା ଜୈନ ୧୬ହଜାର୮୪୩ ଭୋଟ ପାଇ ନିକଟତମ ପ୍ରତିଦ୍ୱନ୍ଦୀ ଆପ୍ ର ବିତା ରାଣାଙ୍କୁ ୧୦ହଜାର୧୦୧ ଭୋଟରେ ହରାଇଛନ୍ତି। ଆଉ ସବୁଠୁ କମ୍ ବ୍ୟବଧାନ ଭୋଟରେ ଜିତିଛନ୍ତି ଆପ୍ର ରାଜନ ଅରୋରା। ଆପ୍ ପ୍ରାର୍ଥୀ ରାଜନ ଅରୋରା ୧୦ହଜାର୪୨୩ ଭୋଟ ପାଇଥିଲା ବେଳେ ବିଜେପି ପ୍ରାର୍ଥୀ ଚନ୍ଦ୍ରକାନ୍ତା ଶିବାନୀ ୧୦ହଜାର୨୭୫ ଭୋଟ ପାଇଛନ୍ତି। ଜିତିବାର ବ୍ୟବଧାନ ମାତ୍ର ୧୪୮ ଭୋଟ ରହିଲା। ଦ୍ୱାରକା, ବିନୋଦ ନଗର, ଅଶୋକ ବିହାର, ଗ୍ରେଟର କୈଳାସ, ଦିଚାଉଁ କଲାଂ, ସାଲିମାର ବାଗରେ ବାଜି ମାରିଛି ବିଜେପି। ନାରାୟଣା, ମୁଣ୍ଡକା ଓ ଦକ୍ଷିଣପୁରୀରେ ଆପ୍ ଜିତିଛି। ସଙ୍ଗମ ବିହାରରେ ଜିତିଛି କଂଗ୍ରେସ। ମୁସଲିମ ବହୁଳ ଚାନ୍ଦନୀ ମହଲ ଅଞ୍ଚଳରେ ଅଲ ଇଣ୍ଡିଆ ଫରଓ୍ୱାର୍ଡ ବ୍ଲକ( ଏଆଇଏଫବି)ର ପ୍ରାର୍ଥୀ ମହମ୍ମଦ ଇମ୍ରାନ ଜିତିଛନ୍ତି। ଚାନ୍ଦନୀ ମହଲ ଆସନରୁ ୭ଥର ବିଧାୟକ ଥିବା ସୋଏବ ଇକବାଲ ନିଜର ମନପସନ୍ଦର ପ୍ରାର୍ଥୀଙ୍କୁ ଆପରୁ ଟିକଟ ଦେବାକୁ ଚାହୁଁଥିଲେ। କିନ୍ତୁ ଦଳ ତାଙ୍କୁ ଟିକଟ ଦେଲାନି। ଏଥିରେ ଅସନ୍ତୁଷ୍ଟ ହୋଇ ଇକବାଲ ଦଳ ଛାଡ଼ିଥିଲେ। ସେ ଏଆଇଏଫବି ଦଳରୁ ମହମ୍ମଦ ଇମ୍ରାନଙ୍କୁ ନିର୍ବାଚନ ଲଢ଼ାଇଥିଲେ। ଆପ୍ ମୁଦ୍ରିସର ଉସମାନ କୁରୈସିଙ୍କୁ ପ୍ରାର୍ଥୀ କରିଥିଲା। ହେଲେ ଏହି ଆସନରେ ଇକବାଲ ନିଜର ପ୍ରଭାବ ବଜାୟ ରଖିଲେ ଓ ନିଜ ପ୍ରାର୍ଥୀ ମହମ୍ମଦଙ୍କୁ ଜିତାଇଲେ।
Naxatra News is now on Whatsapp
Join and get latest news update delivered to you via whatsapp
Join Now