ଭାଙ୍ଗିଯିବ ମିଶନଶକ୍ତି !

ନା କାମ ଦେଉଛନ୍ତି ନା ଦରମା ଦେଉଛନ୍ତି। ରାଜରାସ୍ତାରେ ୬୦ହଜାର ମହିଳା। ମିଶନଶକ୍ତି କାର୍ଯ୍ୟକ୍ରମର ମୁଖ୍ୟ କମ୍ୟୁନିଟି ସପୋର୍ଟିଂ ଷ୍ଟାଫ୍ ବ୍ୟାଙ୍କମିତ୍ର, କୃଷିମିତ୍ର ଓ ପ୍ରାଣୀମିତ୍ର ଆନ୍ଦୋଳନରେ ବସିଛନ୍ତି। ମହିଳା ସଶକ୍ତିକରଣର ପିରାମିଡ୍ ଭୁଷିଡ଼ିବାକୁ ବସିଲାଣି। ମହିଳା ଶିଶୁ ବିକାଶ ମନ୍ତ୍ରୀ କହିଥିଲେ, ମିଶନ ଶକ୍ତି ବନ୍ଦ ହେବାର ପ୍ରଶ୍ନ ଉଠୁନି। ଏହେ ଦୌଡ଼ିବ। କିନ୍ତୁ ଏବେକାର ଅବସ୍ଥା ଦର୍ଶାଉଛି, ଏହା ଗୁରୁଣ୍ଡିବା ଅବସ୍ଥାକୁ ପଳେଇଆସିଛି। ମିଶନ ଶକ୍ତି ଭାଙ୍ଗିଦେବାକୁ ସରକାର ଚିନ୍ତା କରିଛନ୍ତି କି। ଏଭଳି ସନ୍ଦେହ, ଆଶଙ୍କା ବଢ଼ିଲାଣି କହି ବିଧାନସଭାର ଶୂନ୍ୟକାଳରେ ଉପ-ମୁଖ୍ୟମନ୍ତ୍ରୀ ତଥା ବିଭାଗୀୟ ମନ୍ତ୍ରୀ ପ୍ରଭାତି ପରିଡ଼ାଙ୍କୁ ଗୁଡ଼ାଇତୁଡ଼ାଇ ପଚାରିଥିଲା ବିଜେଡି। ଏ ସମ୍ପର୍କରେ ବାଚସ୍ପତିଙ୍କ ରୁଲିଂ କେବଳ ଦାବି କଲାନି। ଲୋୟର ପିଏମଜିରେ ଧାରଣାରତ ଆନ୍ଦୋଳନକାରୀଙ୍କୁ ସମର୍ଥନ ଦେବାକୁ ଚାଲିଯାଇଥିଲା ବିଜେଡି। ଆଉ ଆନ୍ଦୋଳନକାରୀ ବି ନିଜ ଭବିଷ୍ୟତ ନେଇ ସନ୍ଦିହାନରେ ପଡ଼ିଥିବା କହିଛନ୍ତି। ସୁଭଦ୍ରା ମହିଳା ସଶକ୍ତିକରଣର ମାଇଲଖୁଣ୍ଟ ବୋଲି ମୋହନ ସରକାର କହିଲା ଭଳି ନବୀନ ସରକାର ଅମଳରେ ମିଶନ ଶକ୍ତି ବି ୭୦ଲକ୍ଷ ମହିଳାଙ୍କୁ ସ୍ୱାବଲମ୍ୱୀ କରିପାରିଛି।

ସେପଟେ ଏହାର କାଉଣ୍ଟର କରିଛି ଶାସକ ଦଳ। ଏମବିକେ, ସିଆରପିଙ୍କୁ ମିଛ କଥା କହି, ଉସୁକାଇ ଆଣି ରାଜରାସ୍ତାକୁ ଆଣିବା ପଛରେ ରହିଛି ବିଜେଡି। ୫ ବର୍ଷିଆ ଚୁକ୍ତିନାମା ଏପ୍ରିଲ୍ ୨୦୨୪ରେ ସରୁଥିଲା ବେଳେ କାହିଁକି ଗଲା ସରକାର ଏହାର ନବୀକରଣ କଲେନି। ଦରମା ଦେବା ଦାୟିତ୍ୱ ଜିପିଏଲଏଫର। ଏମାନଙ୍କୁ ଦରମା ସରକାର ଦେଉନଥିଲେ। ବିଡ଼ମ୍ୱନା ଯେ, ଏହାର ଅଡିଟ୍ ବି ହେଉନଥିଲା। ବିରୋଧୀ ଦଳ ମାଆମାନଙ୍କୁ ଉସୁକାଇ ତୁଛାରେ ଡ୍ରାମା କରୁଛନ୍ତି। ମିଶନ ଶକ୍ତିରେ କେତେ ମାଆ ସଶକ୍ତ ହୋଇଛନ୍ତି କହି ପାଲଟା ହିସାବ ମାଗିଥିଲା ବିଜେଡିକୁ।

ହଜାରହଜାର ମିଶନ ଶକ୍ତି କମ୍ୟୁନିଟି ସପୋର୍ଟିଂ ଷ୍ଚାଫ ରାଜରାସ୍ତାରେ ଥିଲା ବେଳେ ମିଶନ ଶକ୍ତି ବନାମ ସୁଭଦ୍ରା ସ୍କିମ ଭିତରେ ଭଲ କିଏ, ଖରାପ କିଏ, ତାହାର ତୁଳନା ଚାଲିଥିଲା ଯେମିତି ଗୃହ ଭିତରେ।

ରିପୋର୍ଟ-ପ୍ରଦୀପ ନାୟକ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *