ଚାଷୀ ଓ ଚାଷକୁ ସବୁଠୁ ଅଧିକ ଅଗ୍ରାଧିକାର ଦେଇଛନ୍ତି ମୋଦି ସରକାର: ମନମୋହନ ସାମଲ

Spread the love

ଭୁବନେଶ୍ୱର : ଗତ କାଲି କେନ୍ଦ୍ର କ୍ୟାବିନେଟର ନିଷ୍ପତି ଅନୁଯାୟୀ ଆସନ୍ତା ୩ ବର୍ଷ ପାଇଁ (୨୦୨୨-୨୩, ୨୦୨୩-୨୪, ୨୦୨୪-୨୫ ଆର୍ଥିକ ବର୍ଷ) ୟୁରିଆ ସାର ସବସିଡି ପ୍ରଦାନ ବାବଦରେ କେନ୍ଦ୍ର ସରକାର ୩.୭୦ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ବହନ କରିବେ । ସେହିପରି ଗୋବର୍ଦ୍ଧନ ଯୋଜନାରେ ଖର୍ଚ୍ଚ ହେବ ଆହୁରି ୧୪୫୧କୋଟି ଟଙ୍କା । ଏଥର ପୂର୍ବରୁ ମୃର୍ତିକାର ସଲଫର ଅଭାବ ଦୂର କରିବା ପାଇଁ ଚାଷୀଙ୍କୁ ଦିଆଯିବ ସଲଫର କୋଟେଡ ୟୁରିଆ (ୟୁରିଆ ଗୋଲ୍ଡ) । ନିମ୍ କୋଟେଡ ୟୁରିଆ, ନାନୋ ୟୁରିଆର ପ୍ରଚଳନ ଦ୍ୱାରା ଜମିର ଉର୍ବରତା ବୃଦ୍ଧି ପାଇବା ସହ କୃଷକର ଖର୍ଚ୍ଚ ମଧ୍ୟ ହ୍ରାସ ପାଇବ । ୟୁରିଆ ସାରର ବାସ୍ତବ ମୂଲ୍ୟ ବସ୍ତା ପ୍ରତି ୨୨୦୦ ଟଙ୍କା ହୋଇଥିବାବେଳେ କେନ୍ଦ୍ର ସରକାର ସବସିଡି ପ୍ରଦାନ କରି ମାତ୍ର ୨୪୨ ଟଙ୍କାରେ ଏହା ଚାଷୀଙ୍କୁ ଉପଲବ୍ଧ କରାଉଛନ୍ତି । କେନ୍ଦ୍ର ସରକାର ୨୦୧୪-୧୫ ରେ ଉର୍ବରକ ସବସିଡି ପାଇଁ ୭୩,୦୬୭ କୋଟି ବହନ କରିଥିବାବେଳେ ୨୦୨୨-୨୩ରେ ୨,୫୪,୭୯୯ କୋଟି ଖର୍ଚ୍ଚ ଟଙ୍କା ବହନ କରିଛନ୍ତି । ଏହା ନିଶ୍ଚିତ ଭାବେ ଏକ ସ୍ୱାଗତଯୋଗ୍ୟ ଏବଂ ଐତିହାସିକ ପଦକ୍ଷେପ ବୋଲି କହିବା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ସମବାୟ ବିଭାଗ ମନ୍ତ୍ରୀ ଅମିତ ଶାହାଙ୍କୁ ରାଜ୍ୟ ସଭାପତି ମନମୋହନ ସାମଲ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି ।

ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ ଏବଂ ୮୦ପ୍ରତିଶତ ଲୋକ ଚାଷ ଉପରେ ନିର୍ଭର କରନ୍ତି । ଚାଷୀଙ୍କ ଅର୍ଥନୀତି ସୁଦୃଢ଼ ହେଲେ ଦେଶର ଅର୍ଥନୀତି ସୁଦୃଢ଼ ହେବ । ଏଥିଲାଗି କୃଷକଙ୍କ ଆୟକୁ ଦିଗୁଣିତ କରିବା ପାଇଁ ମୋଦି ସରକାର ବଦ୍ଧପରିକର । ମୋଦି ସରକାର ୨୦୧୪ରେ ଶାସନ କ୍ଷମତାକୁ ଆସିବା ପରେ କୃଷକଙ୍କ କଲ୍ୟାଣ ପାଇଁ ପର୍ଯ୍ୟାୟକ୍ରମେ ଗୋଟିଏ ପରେ ଗୋଟିଏ ଯୋଜନାର କାର୍ଯ୍ୟାନ୍ୱୟନ କରିଚାଲିଛନ୍ତି । ଏହି ଯୋଜନା ଗୁଡିକ ହେଲା ଚାଷୀଙ୍କ ପାଇଁ ପିଏମ କିଷାନ ସମ୍ମାନ ନିଧି ଯୋଜନା, ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା, ସଏଲ ହେଲ୍ଥ କାର୍ଡ, ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା, ଇ-ନାମ (ନ୍ୟାସନାଲ ଏଗ୍ରିକଲଚର ମାର୍କେଟ), ପ୍ରଧାନମନ୍ତ୍ରୀ ଆତ୍ମନିର୍ଭର ଭାରତ ଅଭିଯାନ, ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା, ପରମ୍ପରାଗତ କୃଷି ବିକାଶ ଯୋଜନା, ପ୍ରଧାନମନ୍ତ୍ରୀ କୃଷି ସମ୍ପଦ ଯୋଜନା ଇତ୍ୟାଦି ଯୋଜନାମାନଙ୍କର କାର୍ଯ୍ୟାନ୍ୱୟନ କରିଛନ୍ତି । ମୋଦିଜୀ ଶାସନ କ୍ଷମତାକୁ ଆସିବା ପରେ ବିଭିନ୍ନ ଖାଦ୍ୟଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ କ୍ରମାଗତ ଭାବେ ବୃଦ୍ଧି ପାଇଛି । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପିଛା ୧୩୪୦ଟଙ୍କାରୁ ୨୧୮୩ଟଙ୍କାକୁ ବୃଦ୍ଧି ପାଇଛି । ଚାଷୀମାନଙ୍କର ଭାର ଲାଘବ କରିବା ପାଇଁ କେନ୍ଦ୍ର ସରକାର ଅନବରତ ଚେଷ୍ଟା ଜାରି ରଖିଥିବାରୁ ସାମଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ସରକାରଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରିଛନ୍ତି ।

କେନ୍ଦ୍ର ସରକାରଙ୍କର ସମସ୍ତ ଯୋଜନା ରାଜ୍ୟ ସରକାରଙ୍କ ନିକଟରେ ଆସି ପଡିରହୁଛି, ଲାଭାର୍ଥିଙ୍କ ନିକଟରେ ଏହା ପହଁଚିପାରୁନାହିଁ । କୃଷି ଓ ସମବାୟ କ୍ଷେତ୍ରରେ ଓଡିଶାର ଚାଷୀଙ୍କ ବିକାଶ ପାଇଁ ଆସିଥିବା ଟଙ୍କାକୁ ରାଜ୍ୟ ସରକାର ସଠିକ୍ ବ୍ୟବହାର କରନ୍ତୁ ବୋଲି ସାମଲ ପରାମର୍ଶ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *