ଜନ୍ମଦିନରେ ସୁଭଦ୍ରା ସ୍କିମର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି

ନିଜ ଜନ୍ମଦିନ ଅବସରରେ ଓଡ଼ିଶାରେ ସୁଭଦ୍ରା ସ୍କିମର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି। ୨୫ଲକ୍ଷ ହିତାଧିକାରୀଙ୍କ ଆକାଉଣ୍ଟକୁ ପ୍ରଥମ କିସ୍ତି ଭାବେ ୫ହଜାର ଟଙ୍କା ଲେଖାଏଁ ପଠାଇଛନ୍ତି। ଜନତା ମୈଦାନରେ ବିରାଟ ଜନସଭାରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ ସହ ସୁଇଚ୍ ଟିପି ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଲେ। ମହିଳା ସଶକ୍ତିକରଣ କ୍ଷେତ୍ରରେ ଏହା ଏକ ମାଇଲଖୁଣ୍ଟ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ସେପଟେ ବିଜେଡି ଓ କଂଗ୍ରେସ ଏହାକୁ କଡ଼ା ସମାଲୋଚନା କରିଛନ୍ତି। ଏକକାଳୀନ ୫୦ହଜାର ନ ଦେଇ ୫ ବର୍ଷରେ ଏହାକୁ ଦେଲେ ଏହା କେମିତି ମହିଳାଙ୍କୁ ଆର୍ଥିକ ସ୍ୱାବଲମ୍ୱୀ କରିବ ଜଳଜଳ କରି ଦିଶୁଛି।

ବହୁ ପ୍ରତୀକ୍ଷିତ ସୁଭଦ୍ରା ସ୍କିମର ଶୁଭାରମ୍ଭ ହେଲା। ନିଜ ଜନ୍ମଦିନରେ ଜନତା ମୈଦାନରେ ଆୟୋଜିତ ବିଶାଳ ଜନସଭାରେ ଏହାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ସୁଇଚ୍ ଟିପି ୧୦ଲକ୍ଷ ହିତାଧିକାରୀଙ୍କ ଆକାଉଣ୍ଟକୁ ପ୍ରଥମ କିସ୍ତି ୫ହଜାର ଲେଖାଏଁ ପଠାଇଛନ୍ତି ପ୍ରଧାନମନ୍ତ୍ରୀ। ମହିଳା ସଶକ୍ତିକରଣ କ୍ଷେତ୍ରରେ ସୁଭଦ୍ରା ବଡ଼ ଯୁଗାନ୍ତକାରୀ ଅଭିଯାନ ବୋଲି ଅଭିହିତ କରିଛନ୍ତି ପ୍ରଧାନମନ୍ତ୍ରୀ। ଏଥିରେ ୧ କୋଟିରୁ ଉର୍ଦ୍ଧ୍ୱ ମହିଳା ଉପକୃତ ହେବେ। ଏହି ଅବସରରେ ସୁଭଦ୍ରା ପୁସ୍ତିକା ବି ଉନ୍ମୋଚନ ହୋଇଛି। ଅନେକ ହିତାଧିକାରୀଙ୍କୁ ସମ୍ମାନିତ କରିଥିଲେ ପ୍ରଧାନମନ୍ତ୍ରୀ। ଜଗନ୍ନାଥଙ୍କ କୃପା ହେଲେ ଜନତା ଜନାର୍ଦ୍ଦନର ସେବା କରିବାକୁ ଭରପୁର ସୁଯୋଗ ମିଳେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ମାଆ ସୁଭଦ୍ରାଙ୍କ ନାଁରେ ଯୋଜନା ଆରମ୍ଭ ହେଲା। ଯୋଜନାର ଶୁଭାରମ୍ଭ ବେଳେବର୍ଷା ହେଉଥିବାରୁ ସ୍ୱୟଂ ଇନ୍ଦ୍ରଦେବତା ବି କୃପା କଲେ ବୋଲି କହିଥିଲେ ମୋଦି। ଗରିବ, ଦଳିତ, ଆଦିବାସୀ, ମହିଳା, ଚାଷୀ ଓ ଯୁବକଙ୍କ ସ୍ୱପ୍ନକୁ ପୂରଣ କରିବାକୁ ସଂକଳ୍ପବଦ୍ଧ ଡବଲ ଇଞ୍ଜିନ ସରକାର। ଏହା ମୋଦିଙ୍କ ବିଶ୍ୱାସ ଓ ମହାପ୍ରଭୂଙ୍କ ଆଶୀର୍ବାଦ। ଯାହା କହିଥିଲୁ- ସରକାର ହେବା ମାତ୍ରେ ତାହା କଲୁ।

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହାକୁ ଐତିହାସିକ କ୍ଷଣ ବୋଲି କହିଛନ୍ତି। ଜନ୍ମଦିନରେ ଶୁଭେଛା ଜଣାଇବା ସହ ସୁଭଦ୍ରାରେ ମାଆ ମାନଙ୍କୁ ସ୍ୱାବଲମ୍ୱୀ କରିବାକୁ ଯେଉଁ କଥା ଦେଇଥିଲେ, ତାହା ଅନୁପାଳନ କରୁଛୁ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ। ଏହା ପ୍ରଗତିଶୀଳ ଓ ବୈପ୍ଲବିକ ଯୋଜନା। ମୋଦିଙ୍କ ମାଆ ଉଜ୍ୱଳା ଯୋଜନାର ଥିଲେ ପଥପ୍ରଦର୍ଶକ। ସେମିତି ସୁଭଦ୍ରା ସ୍କିମ୍ ମହିଳା ସମ୍ମାନକୁ ବୃଦ୍ଧି କରାଇବା ସହ ଏହି ଅର୍ଥକୁ କ୍ଷୁଦ୍ର ଉଦ୍ୟୋଗ, ପିଲାଙ୍କ ଶିକ୍ଷା ଲାଗି ବ୍ୟବହାର କରିପାରିବେ। ରୋଜଗାର ଲାଗି ଇଛା ଥିଲେ ବି ଅର୍ଥ ଅଭାବରୁ କେମିତି ଆରମ୍ଭ କରିବେ ଜାଣିପାରୁନଥିଲେ। ଏଣିକି ମହିଳାଙ୍କୁ ଆତ୍ମନିର୍ଭରଶୀଳ ଲାଗି ସୁଭଦ୍ରା ସାଜିବ ସାରଥୀ ଆଉ ଦେଖାଇବ ରାହା। ଉପ-ମୁଖ୍ୟମନ୍ତ୍ରୀ କହିଥିଲେ, ଏଥିରେ ୧ କୋଟିରୁ ଉର୍ଦ୍ଧ୍ୱ ମହିଳା ଉପକୃତ ହେବେ।

ସେପଟେ ମହିଳାଙ୍କୁ ମାତ୍ର ବାର୍ଷିକ ୧୦ହଜାର ଦେଇ କେମିତି ଆର୍ଥିକ ସ୍ୱାବଲମ୍ୱୀ କରାଇବେ, କେମିତି ଉଦ୍ୟୋଗୀ କରାଇବେ ବୋଲି ବିରୋଧୀ କଟାକ୍ଷ କରିଛନ୍ତି। ଏକକାଳୀନ ୫୦ହଜାର ଦେଇଥିଲେ ହୁଏତ ମହିଳା କିଛି କରିପାରିଥାଆନ୍ତେ। ନିର୍ବାଚନ ବେଳେ ଦେଇଥିବା କଥା ଭଣ୍ଡେଇ ଦେଲେ ସରକାର।

ମୋଦି ଦେଇଥିବା କଥାକୁ ଅନୁପାଳନ କରିଛନ୍ତି ମୋହନ ସରକାର। ତା ପୁଣି ମାତ୍ର ଶହେ ଦିନରେ। ଏମିତି କଥା କହି ସୁଭଦ୍ରାର ଲୋକାର୍ପଣ ଉତ୍ସବରେ ଓଡ଼ିଶା ଇତିହାସରେ ସବୁଠୁ ବଡ଼ ମହିଳା ସଶକ୍ତିକରଣ ଯୋଜନା ବୋଲି ଦାବି କରୁଛନ୍ତି ସରକାର। ଆତ୍ମନିର୍ଭରଶୀଳ କରିବାକୁ ସୁ଼୍ଭଦ୍ରା ବଡ଼ ସହାୟକ ସାଜିବ ବୋଲି କହୁଥିବା ବିଜେପି ସରକାରର ଏ ଦାବିକୁ କିନ୍ତୁ ସହଜେ ଗ୍ରହଣ କରିବାକୁ ନାରାଜ ବିରୋଧୀ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *