ନବୀନଙ୍କ ଶରଣାପନ୍ନ ଏନଡିଏ!

Spread the love

() ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏନଡିଏରେ ସାମିଲ ହେବା ପାଇଁ ନିବେଦନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱାଲେ । ଏଥିସହ ନବୀନ ଏନଡିଏରେ ସାମିଲ ହେଲେ ଏହା ନବୀନଙ୍କ ପାଇଁ ଶୁଭଙ୍କର ହେବ ତଥା ଆଗାମୀ ୨୦୨୪ ନିର୍ବାଚନରେ ଏନଡିଏ ୩୫୦ ଟାର୍ଗେଟ ପୁରା କରିବ ବୋଲି ଅଠାୱାଲେ କହିଛନ୍ତି। ହେଲେ ନବୀନଙ୍କୁ ପ୍ରଲୋଭିତ କରିବାକୁ ଚେଷ୍ଟା କରୁଥିବା କେନ୍ଦ୍ର ମନ୍ତ୍ରୀଙ୍କ ବୟାନ ପରୋକ୍ଷରେ ଏନଡିଏର ଅସହାୟତାକୁ ପଦାରେ ପକାଇ ଦେଇଥିବା ଚର୍ଚ୍ଚା ହେଉଛି।

୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ସବୁ ଦଳ ନିଜକୁ ପ୍ରସ୍ତୁତ କରୁଛନ୍ତି। ନିର୍ବାଚନର ୨ ବର୍ଷ ପୂର୍ବରୁ ସାରା ଦେଶରେ ଦେଖିବାକୁ ମିଳିଲାଣି ନିର୍ବାଚନୀ ମାହୋଲ। ଏହାରି ଭିତରେ କିନ୍ତୁ ବିଜେପି ବା ବିଜେପି ନେତୃତ୍ବାଧୀନ ଏନଡିଏର ପକ୍ଷଛେଦ ହେଲାପରି ମନେ ହେଉଛି। ୨୦୧୯ ସାଧାରଣ ନିର୍ବାଚନ ପରେ ଏନଡିଏରୁ ପଞ୍ଜାବର ଅକାଳି ଦଳ, ତେଲେଙ୍ଗାନାର ଟିଆରଏସ, ମହାରାଷ୍ଟ୍ରର ଶିବସେନା, ବିହାରର ଜେଡିୟୁ  ପରି ବହୁ ସହଯୋଗୀ ଦଳ ମେଣ୍ଟକୁ ବାଏବାଏ କରି ନିଜ ବାଟରେ ଚାଲିଗଲେଣି। ମେଣ୍ଟ ଧୀରେ ଧୀରେ କ୍ଷମତା ହରାଇବାରେ ଲାଗିଛି। ସେପଟେ ବିଜେପିର ମାତ୍ରାଧିକ କ୍ଷମତା ହାସଲ ନୀତି,  ଦେଶରେ ଦେଖାଦେଇଥିବା ସାମ୍ପ୍ରଦାୟିକ ହିଂସା, ଦରଦାମ ବୃଦ୍ଧି, ବେରୋଜଗାରୀ ସହ ବିଭିନ୍ନ ନୀତିଗତ ମନମୁଖୀ ନୀତିରେ ଅତିଷ୍ଠ ହୋଇପଡିଲେଣି ସାଧାରଣ ଜନତା। ଫଳରେ  ଆଗାମୀ ନିର୍ବାଚନରେ ମେଣ୍ଟ ବିରୋଧରେ ଠିଆ ହୋଇଥିବା ୟୁପିଏ ଏବେ ଶକ୍ତି ସଂଗ୍ରହକରି ଚାଲିଛି।

ତେଣୁ ଯୋଡ ତୋଡ ରାଜନୀତି ଆରମ୍ଭ କରି ଦେଇଛି ବିଜେପି। ବିଭିନ୍ନ ରାଜ୍ୟରେ ସରକାରୀ ଦଳରେ ଫାଟ ସୃଷ୍ଟି କରି ବାଗୀଙ୍କୁ ନିଜ ଦଳରେ ସାମିଲ କରାଉଛି। ଏମିତି କି ଦିଲ୍ଲୀ ସରକାର ଭାଙ୍ଗିବାକୁ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ପଦର ଲୋଭ ଦେଖାଯାଇଥିବା କହିଛନ୍ତି ସିସୋଦିଆ। ସେପଟେ, ମହାରାଷ୍ଟ୍ର, କର୍ଣ୍ଣାଟକ, ମଧ୍ୟପ୍ରଦେଶ ଆଦି ରାଜ୍ୟରେ କଂଗ୍ରେସ ତଥା କଂଗ୍ରେସର ମେଣ୍ଟ ସରକାରର ବାଗୀ ନେତାଙ୍କୁ ହାତେଇ ବିଜେପି ଏନଡିଏକୁ ସୁଦୃଢ କରିବାରେ ଲାଗିଛି। ତଥାପି ଆଗାମୀ ନିର୍ବାଚନରେ ଏନଡିଏ ସରକାର ଗଠନ କରିବା କାଠିକର ପାଠ ହୋଇପଡିଛି।

ଅନ୍ୟପଟେ, ଯେତେ ଚେଷ୍ଟା କଲେ ମଧ୍ୟ ଏହି ୮ ବର୍ଷ ଭିତରେ ବିଜେପି ଓଡିଶାର କ୍ଷମତାଶୀନ ବିଜେଡିରେ ଫାଟ ସୃଷ୍ଟି କରି ପାରୁ ନାହିଁ  । କୌଣସି ବିଜେଡି ନେତାଙ୍କୁ ନିଜ ପଟିଆ କରିବାରେ ବିଫଳ ହୋଇଛି ବାଜିଗର ଦଳ। ହୁଏତ ସେହି କାରଣରୁ ସୋମବାର ଦିନ ଏନଡିଏ ସହଯୋଗୀ ଦଳ ନେତା ତଥା କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱାଲେଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମେଣ୍ଟରେ ସାମିଲ ହେବାକୁ ଅନୁରୋଧ କରିଛନ୍ତି ମୋଦି ଓ ଶାହ ବୋଲି କୁହାଯାଉଛି। ଏହା ବ୍ୟତୀତ ନବୀନ ଏନଡିଏରେ ସାମିଲ ହେଲେ ଏହା ଆଗାମୀ ଦିନରେ ବିଜେଡି ପାଇଁ ଫାଇଦା ଆଣିଦେବ ତଥା କେନ୍ଦ୍ର ରାଜ୍ୟକୁ ବହୁ ଅନୁଦାନ ପ୍ରଦାନ କରିବ ବୋଲି ଲୋଭ ଦେଖାଛନ୍ତି କେନ୍ଦ୍ରମନ୍ତ୍ରୀ।

ଏନଡିଏରେ ସାମିଲ ହେଲେ ନବୀନ ବହୁ ଲାଭରେ ରହିବେ କହିଛନ୍ତି କେନ୍ଦ୍ର ମନ୍ତ୍ରୀ। ତେବେ ନବୀନ ଲାଭରେ ରୁହନ୍ତୁ କି ନାହିଁ ଏନଡିଏ ଲାଭରେ ରହିବ। କାରଣ ବିହାରରେ ସରକାର ବଦଳିବା ପରେ ବର୍ତ୍ତମାନ ସଂସଦରେ ଏନଡିଏର ପଲା ହାଲୁକା ହେବାରେ ଲାଗିଛି । ନିଜ ଫାଇଦା ପାଇଁ, ନିଜକୁ ସୁରକ୍ଷିତ ରଖିବାକୁ ମୋଦି ତଥା ଏନଡିଏ ଏବେ ନବୀନଙ୍କ ଶରଣାପନ୍ନ ହେବା ପରି ମନେ ହେଉଛି।

ସୋମବାର ଦିନ କେନ୍ଦ୍ର ମନ୍ତ୍ରୀ ଭୁବନେଶ୍ବରରେ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ନବୀନଙ୍କୁ ଦେଇଛି ପ୍ରଲୋଭନ। ତେବେ ଦୀର୍ଘ ୨୨ ବର୍ଷ ମଧ୍ୟରେ ନବୀନଙ୍କ କାର୍ଯ୍ୟପନ୍ଥାକୁ ଦେଖି ମନେ ହେଉନାହିଁ ନବୀନ ମୋଦିଙ୍କ ପାଲରେ ପଡିବେ। ନବୀନ ସର୍ବାଦ କେନ୍ଦ୍ରରେ ଯେଉଁ ସରକାର ଥାଆନ୍ତୁ ନା କାହିଁ ସମଦୂରତା ରକ୍ଷା ନାମରେ କେନ୍ଦ୍ରକୁ ବାହାରୁ ସମର୍ଥନ ଦେଇଥିଲେ ମଧ୍ୟ ମେଣ୍ଟରେ ସାମିଲ ନ ହୋଇ ନିଜକୁ ତଥା ଦଳକୁ ଜନତାଙ୍କ ଆକ୍ରୋଶରୁ ବଞ୍ଚାଇ ଆସିଛନ୍ତି।  ଅନ୍ୟପଟେ, ସମ୍ପ୍ରତି ଦେଶରେ ବିଜେପିର ମାତ୍ରାଧିକ କ୍ଷମତା ଲୋଭ କାରଣରୁ ଯେଉଁ ଆଞ୍ଚଳିକ ଦଳ ସହ ମେଣ୍ଟ କରିଛି, ତାକୁ ଭାଙ୍ଗିବାକୁ ଚେଷ୍ଟା କରିଥିବା ଦେଖିବାକୁ ମିଳିଛି। ତେଣୁ ମନେ ହେଉଛି ନବୀନ କାଦୁଅକୁ ଯିବାରୁ ନିଜକୁ ତଥା ଦଳକୁ ଦୂରେଇ ରଖିବେ।

ତେବେ ନିକଟ ଅତୀତରେ ରାଜ୍ୟରେ ସିବିଆଇ ଓ ଇଡିର କାର୍ଯ୍ୟାନୁଷ୍ଠାନ ଦେଖିଲେ ସମ୍ୟକ ଆଶା କରାଯାଉଛି କି, ହୁଏତ ନିଜ ଦଳର ବିଭିନ୍ନ ନେତା ମନ୍ତ୍ରୀଙ୍କ ନାମରେ ଥିବା ନାନା ଦୁର୍ନୀତି ପାଇଁ ମୁଣ୍ଡ ଉପରେ ଝୁଲୁଥିବା ଏହି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ଖଣ୍ଡାକୁ ଏଡାଇବାକୁ ନବୀନ ରାଜି ହୋଇଯାଇ ପାରନ୍ତି। ଏବେ ବାକି ରହିଲା ଦେଖିବାକୁ, କେଉଁ ମୋଡ ନେଉଛି ଏହି ରାଜନୈତିକ ବୁଝାମଣା।

ଶିଳାସ୍ମିତା ରାୟଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *