କାଗଜ କଲମରେ ଜମି

ଲୋକଙ୍କ ପାଖରେ ପଟ୍ଟାର କାଗଜ ଖଣ୍ଡେ ଖଣ୍ଡେ ଅଛି। କିନ୍ତୁ ନା ଦେଖିଲେଣି ଜମି ନା ଦଖଲ ଦେଉଛନ୍ତି ସରକାର। କେବଳ ଅତୀତ ସରକାରର ଗୋହି ଖୋଳି ନିଜର ଉତ୍ତରଦାୟିତ୍ୱରୁ ଖସିପାରିବେନି ସରକାର। ଭୂମିହୀନଙ୍କୁ ନା ଜମି ଦେଇପାରୁଛ ନା ସେମାନଙ୍କ ଅଧିକାରର ସଂରକ୍ଷଣ ହୋଇପାରୁଛି। ଆବଶ୍ୟକୀୟ ଆରଆଇ- ଅମିନରୁ ନେଇ ତହସିଲ କର୍ମଚାରୀ ନାହାନ୍ତି। କିଛି ଏମିତି ବାଗରେ ରାଜସ୍ୱ ବିଭାଗର ଅତିରିକ୍ତ ଖର୍ଚ୍ଚ ଦାବି ବେଳେ ଗୁଡ଼ାଇତୁଡ଼ାଇ ମନ୍ତ୍ରୀଙ୍କୁ ଘେରିଥିଲେ ବିରୋଧୀ। କେବଳ ଏତିକି ନୁହେଁ। ବାତ୍ୟା ଦାନାର ପ୍ରକୋପରୁ ୩ ଜଣଙ୍କ ମୃତ୍ୟୁ ହୋଇଥିଲା ବେଳେ ଜିରୋ କାଜୁଆଲିଟିର କଥା କହି ତୁଛାରେ କାହିଁକି ବାହାବା ନେବାକୁ ଚେଷ୍ଟା କଲେ ସରକାର। ଯଦି ଏହା ମିଛ, ତାହେଲେ ଶବବ୍ୟବଛେଦ କାହିଁକି କରାନଯାଇ ସ୍ପଷ୍ଟତା ଆସିଲାନି। ଅମିନ ଅଭାବରୁ ଜମି ମାପଚୁପ ହୋଇପାରୁନି। ଯେଉଁ ଜମିକୁ କେନ୍ଦ୍ର କରି ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ିବାରେ ଲାଗିଛି। ଗୋଷ୍ଠୀକନ୍ଦଳରୁ ହିଂସା ହୋଇ ଥାନା, କୋର୍ଟକଚେରୀକୁ ମାମଲା ଯାଉଛି। ନବୀନ ସରକାରକୁ ଦୋଷ ଠେଲିବା ବଦଳରେ ଦୋଷତୃଟିର ସମୀକ୍ଷା କରି କାମ କଲେ ସୁଶାସନ ଦେଇପାରିବେ ସରକାର ବୋଲି ପରାମର୍ଶ ଦେଇଛି ବିଜେଡି। କଂଗ୍ରେସ କହିଛି, ହାଇଟେକ୍ ସର୍ଭେ ସେଲଟମେଣ୍ଟ ନାଁରେ ସରକାର ଲ୍ୟାଣ୍ଡବ୍ୟାଙ୍କ କରି ଇଡକୋକୁ ଦେବାରେ ବ୍ୟସ୍ତ। କିନ୍ତୁ ଏହାର ମୂଳ ଉଦ୍ଦେଶ୍ୟରୁ ସରକାର ବିଚ୍ୟୁତ ହୋଇଗଲେଣି। ଦଖଲରେ ଥିବା ଜମିକୁ ଲୋକଙ୍କ ନାଁରେ ହେଉନି। ଜମି ଅଧିଗ୍ରହଣ କରି ଇଡକୋ ବର୍ଷ ବର୍ଷ ଧରି ପାଚେରୀ ବୁଲାଇ ଆବଦ୍ଧ କରି ରଖୁଛି। ନା ବ୍ୟବହାର କରୁଛି ନା ଯେଉଁ ଉଦେଶ୍ୟରେ ନେଇ ବ୍ୟବହାର କରିନପାରି ଫେରସ୍ତ କରୁଛି। ଗ୍ରାମସଭାକୁ ପୁଲିସ ଲଗାଇ ଭଣ୍ଡୁର କରାଯାଉଛି। ଜବରଦଖଲକାରୀଙ୍କ କାୟା ଚାରିଆଡ଼େ ମାଡ଼ିଗଲାଣି।

ସେପଟେ ରାଜସ୍ୱ ମନ୍ତ୍ରୀ କହିଛନ୍ତି, ଅତୀତ ସରକାରରେ ହୋଇଥିବା ଭୁଲ ଲାଗି ଏହାର ପରିଣାମ ଭୋଗୁଛନ୍ତି ଲୋକେ। ଆବଶ୍ୟକୀୟ ପଦବୀ ପୂରଣ ଦିଗରେ ସରକାର ଯତ୍ନବାନ ଅଛନ୍ତି। ଲୋକଙ୍କୁ ଜାଗାର କେବଳ ପଟ୍ଟା ନୁହେଁ, ଦଖଲ ଦେବାକୁ ସଂକଳ୍ପବଦ୍ଧ ମୋହନ ସରକାର। ଜମି ଜବରଦଖଲମୁକ୍ତ ହେବ। ବ୍ୟବସ୍ଥାରେ ସଂସ୍କାର ଆଣିବାକୁ ପ୍ରୟାସ ହେଉଛି।

ରାଜସ୍ୱ ବିଭାଗର ଅତିରିକ୍ତ ଖର୍ଚ୍ଚ ଦାବି ଉପରେ ଏଭଳି ଆଲୋଚନା ଗୃହକୁ ସରଗରମ କରିଥିଲା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *