ବିଜେପି ବିଧାୟକଙ୍କ ପିଛା ଛାଡୁନି ବିବାଦ

ବିଜେପି ବିଧାୟକଙ୍କ ପିଛା ବିବାଦ ଛାଡ଼ୁନି। କର୍ଣ୍ଣାଟକର ବିଜେପି ବିଧାୟକ ୟାଟନାଲ କୌଣସି ନା କୌଣସି କାରଣରୁ ସବୁବେଳେ ବିବାଦୀୟ ହୋଇପଡ଼ୁଛନ୍ତି। କେତେବେଳେ ଦଳ ବିରୁଦ୍ଧରେ ଧମକ ତ କେତେବେଳେ ବିବାଦୀୟ ମନ୍ତବ୍ୟ ଲାଗି ତାଙ୍କ ବିରୁଦ୍ଧରେ ଜାମିନ ବିହୀନ ଗିରଫ ପରଓ୍ୱାନା ଜାରି କଲେଣି କୋର୍ଟ। ଆଉ ଏବେ ଏକ ମନ୍ଦିର ଉତ୍ସବରେ ଓ୍ୱାକଫ ସମ୍ପତ୍ତି ବାବଦରେ ମନ୍ତବ୍ୟ ଦେବାରୁ ତାଙ୍କୁ ମଞ୍ଚ ଛାଡ଼ିବାକୁ ବାଧ୍ୟ କରିଦେଲେ ଲୋକେ।

ବସନଗୌଡ଼ା ପାଟିଲ ୟାଟନାଲ। କର୍ଣ୍ଣାଟକର ବିଜେପି ବିଧାୟକ। କିନ୍ତୁ ସବୁବେଳେ ନିଜ ବିବାଦୀୟ ମନ୍ତବ୍ୟ ଲାଗି ଚର୍ଚ୍ଚାରେ ରହି ଆସିଛନ୍ତି ୟାଟନାଲ। ଆଲାମପ୍ରଭୂ ମନ୍ଦିରରେ ମୁଖ୍ୟ ଅତିଥି ଭାବେ ତାଙ୍କୁ ଡକାଯାଇଥିଲା। କିନ୍ତୁ ପରିସ୍ଥିତି ଏମିତି ହେଲା ଯେ, ତାଙ୍କୁ ବୈଠକର ଅଧାରୁ ମଞ୍ଚ ଛାଡ଼ିବାକୁ ପଡ଼ିଥିଲା। କାରଣ ଭାଷଣ ଦେବା ବେଳେ ସେ ଓ୍ୱାକଫ ବୋର୍ଡ କେମିତି ଚାଷୀଙ୍କ ଜମିକୁ ବେଆଇନ ଭାବେ ନେଇଯିବାକୁ ବସିଛି, ସେ କଥାର ଅବତାରଣା କରିଥିଲେ ୟାଟନାଲ। ବାସ୍ ଏତିକିରେ ଚିହିଁକି ଯାଇଥିଲେ ଭିଡ଼ରେ ଥିବା କିଛି ବ୍ୟକ୍ତି। ଧାର୍ମିକ ଉତ୍ସବରେ ରାଜନୀତି କରନ୍ତୁନି ବୋଲି ଚେତାଇଦେଇ ପାଟିତୁଣ୍ଡ କରିଥିଲେ ଲୋକେ। ଫଳରେ ନିଜ ଭାଷଣ ସମ୍ପୂର୍ଣ୍ଣ କରିପାରିନଥିଲେ ୟାଟନାଲ। ବାଧ୍ୟ ହୋଇ ଅଧାରୁ ସଭା ଛାଡ଼ି ଚାଲିଯିବା ଭଳି ପରିସ୍ଥିତି ଉପୁଜିଥିଲା। ଏହା ରାଜନୀତି ନୁହେଁ କହି ଯେତେ ବୁଝାଇଲେ ବି ବୁଝିନଥିଲେ ସମବେତ ଜନତା। ସହରରେ ଥିବା ମୁସଲିମ ବି ମନ୍ଦିର ନିର୍ମାଣ ଲାଗି ୬ଲକ୍ଷ ଟଙ୍କା ଦେଇଛନ୍ତି। ଲୋକେ ବିଶ୍ୱାସର ସହ ଜମି ଦାନ କରୁଛନ୍ତି। ନଭେମ୍ୱର ପହିଲାରେ ଓ୍ୱାକଫ ସମ୍ପତ୍ତିର ଜାତୀୟକରଣ ଲାଗି ଦାବି କରି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ୟାଟନାଲ। ଓ୍ୱାକଫ ବୋର୍ଡ ଚାଷୀ, ମଠ ଓ ମନ୍ଦିର ଜମିକୁ ନିଜର ଦାବି କରୁଛି। ଯାହାକି ସମ୍ୱିଧାନର ସମାନତା ଅଧିକାରକୁ ଉଲ୍ଲଂଘନ କରୁଛି।  ବିଜୟପୁରାର ବିଜେପି ବିଧାୟକ ୟାଟନାଲ ଆରୋପ ଲଗାଇଥିଲେ କି, ସ୍ୱାଧୀନତା ପୂର୍ବରୁ ହିଁ ସମ୍ପତ୍ତିକୁ ଅନଧିକୃତ ଅଧିଗ୍ରହଣ କରିଚାଲିଛି ଓ୍ୱାକଫ ବୋର୍ଡ। ଅକ୍ଟୋବର ୧୭ରେ ୟାଟନାଲଙ୍କ ବିରୁଦ୍ଧରେ ଜାମିନ ବିହୀନ ଗିରଫ ପରଓ୍ୱାନା ଜାରି କରିଥିଲେ ସ୍ୱତନ୍ତ୍ର କୋର୍ଟ। କର୍ଣ୍ଣାଟକ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପରିବାର ଉପରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ ୟାଟନାଲ। ମାନହାନି ମକଦ୍ଦମା ମାମଲାରେ କୋର୍ଟରେ ହାଜର ନହେବାରୁ ସ୍ୱତନ୍ତ୍ର କୋର୍ଟ ତାଙ୍କ ବିରୁଦ୍ଧରେ ଜାମିନବିହୀନ ଓ୍ୱାରେଣ୍ଟ ଜାରି କରିଛନ୍ତି। କର୍ଣ୍ଣାଟକ ସ୍ୱାସ୍ଥ୍ୟମନ୍ତ୍ରୀ ଦିନେଶ ରାଓଙ୍କ ପତ୍ନୀ ତବସୁମ ରାଓ ଏହି ମାନହାନି ମକଦ୍ଦମା ଦାଏର କରିଥିଲେ।

ୟାଟନାଲ କହିଥିଲେ ଯେ, ଅଧା ପାକିସ୍ତାନ ଦିନେଶ ରାଓଙ୍କ ଘରେ ରହୁଛନ୍ତି।  ଏମିତି ଅନେକ ବିବାଦୀୟ ମନ୍ତବ୍ୟ ଦେଇ ସବୁବେଳେ ଚର୍ଚ୍ଚାର ଘେରରେ ରହିଆସିଛନ୍ତି ବିଜେପିର ଫାୟାରବ୍ରାଣ୍ଡ୍ ନେତା ଭାବେ ପରିଚିତ ୟାଟନାଲ। ସେପ୍ଟେମ୍ୱରରେ କହିଥିଲେ, ଜଣେ ବଡ଼ ନେତା ହଜାରେ କୋଟି ଟଙ୍କା ମହଜୁଦ ରଖିଛନ୍ତି। ସେ ଟଙ୍କାରେ ବିଧାୟକଙ୍କୁ କିଣି କର୍ଣ୍ଣାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ନାଁ ନ ନେଇଥିଲେ ବି ପରୋକ୍ଷରେ କହିଥିଲେ ଯେ, ନିକଟ ଅତୀତରେ ଯେଉଁ ନେତାଙ୍କ ଘରୁ ଟଙ୍କା ଗଣା ମେସିନ୍ ବାହାରିଥିଲା। ୟାଟନାଲଙ୍କ ଏହି ମନ୍ତବ୍ୟକୁ ନେଇ ଉପ-ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ଅଭିଯୋଗ କରିଥିଲେ। ରାଜ୍ୟ ସରକାରରେ ଅସ୍ଥିରତା ସୃଷ୍ଟି ଲାଗି ବିଜେପି ୟାଟନାଲଙ୍କ ଜରିଆରେ ଏଭଳି ଉଦ୍ଭଟ କଥା କହୁଛି। କେବଳ ଏତିକିରେ ସରୁନି, ୟାଟନାଲଙ୍କ ବିବାଦୀୟ ପ୍ରସଙ୍ଗ। କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଜାତିକୁ ନେଇ ପଲିଟିକାଲ ରାଲିରେ ଅଙ୍ଗୁଳି ଉଠାଇଥିଲେ ୟାଟନାଲ। କର୍ଣ୍ଣାଟକରେ ଜାତିଗଣନା ରାଜନୀତି ତେଜୁଥିଲା ବେଳେ ରାହୁଲଙ୍କ ପ୍ରକୃତ ଜାତି କଅଣ, ତାହା ସର୍ବସାଧାରଣ ଜାଣିବା ଦରକାର ବୋଲି କହିଥିଲେ ୟାଟନାଲ। ଯେତେବେଳେ ଆମେରିକାରେ ରାଷ୍ଟ୍ରବିରୋଧୀ ବୟାନ ଦେଇ ଦେଶରେ ଜାତିଗଣନା ସର୍ଭେ ଦରକାର ବୋଲି ଯୁକ୍ତି ବାଢ଼ୁଥିଲେ ରାହୁଲ। ସେତେବେଳେ ରାହୁଲ କେଉଁ ଧର୍ମ ଓ ଜାତିରେ ଜନ୍ମ ନେଇଛନ୍ତି, ତାହାର ବି ତଦନ୍ତ ଜରୁରୀ ବୋଲି ଆପତ୍ତିଜନକ ମନ୍ତବ୍ୟ ରଖିଥିଲେ ୟାଟନାଲ। କେବଳ ବିରୋଧୀଙ୍କୁ ନୁହେଁ, ନିଜ ଦଳ ଓ ଦଳୀୟ ନେତାଙ୍କୁ ବି ଛାଡ଼ିନାହାନ୍ତି ୟାଟନାଲ। କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପା ଓ ତାଙ୍କ ପରିବାରକୁ କ୍ରମାଗତ ଟାର୍ଗେଟ କରିଆସିଛନ୍ତି ଯାଟନାଲ। କେମିତି ୟେଦୁରପ୍ପା କୋଭିଡ୍ ସମୟରେ ନିଜ କ୍ଷମତାର ଦୁରୁପଯୋଗ କରି ନିଜର ଆର୍ଥିକ ପ୍ରତିପତ୍ତି ବଢାଇଥିଲେ, ଡିସେମ୍ୱର ୨୦୨୩ରେ ସଙ୍ଗୀନ ଆରୋପ ଆଣିଥିଲେ ୟାଟନାଲ। ବିଜେପି ଭିତରେ ତାଙ୍କର ପତିଆରା କମୁଥିବା ଦେଖି ଦଳର ପ୍ରଭାବୀ ନେତାଙ୍କ ସହ ସମ୍ପର୍କ ବଢ଼ାଇ ମୁଖ୍ୟମନ୍ତ୍ରୀ ଚୌକି ଅକ୍ତିଆର କରିବାକୁ ଚାହୁଁଥିଲେ। ଓ୍ୱାକଫ ହଟାଅ, ଦେଶ ବଞ୍ଚାଅ ରାଲି କରିଥିଲେ। କ୍ରମାଗତ ମୁସଲିମ ବିରୋଧୀ ଅଭିଯାନ ଓ ମନ୍ତବ୍ୟକୁ ନେଇ ଅନେକ ଥର ଧାର୍ମିକ ବିଦ୍ୱେଷର ମଞ୍ଜି ବୁଣିଛନ୍ତି ବୋଲି ୟାଟନାଲଙ୍କ ବିରୁଦ୍ଧରେ ଅନେକ ଅଭିଯୋଗ ରହିଛି। ତା ସତ୍ତ୍ୱେ ୟାଟନାଲ ରାଜ୍ୟର ସବୁଠୁ ଚର୍ଚ୍ଚିତ ବିଧାୟକ ଭାବେ ନିଜର ସ୍ୱତନ୍ତ୍ର ପରିଚିତି ସୃଷ୍ଟି କରିପାରିଛନ୍ତି। ତେବେ ବାରମ୍ୱାର ଦଳବିରୋଧୀ ମନ୍ତବ୍ୟ ଦେଇ ଦଳକୁ ଅଡ଼ୁଆରେ ପକାଇଆସିଥିବା ଏହି ବରିଷ୍ଠ ବିଧାୟକଙ୍କ ବିରୁଦ୍ଧରେ ଦଳ ବି କୌଣସି ଆକ୍ସନ ନେବାକୁ ଡରୁଛି। ଅନେକ ନେତା ତାଙ୍କ ବିରୁଦ୍ଧରେ ଆକ୍ସନ ଲାଗି ସ୍ୱର ଉଠାଇଥିଲେ ବି। ସେଥିଲାଗି ତ ଦଳରୁ ବହିଷ୍କାର କଲେ, ବିଜେପି ଶାସନ ଅମଳରେ ହୋଇଥିବା ୪୦ହଜାର କୋଟି ଟଙ୍କାର ସ୍କାମର ଗୁମର ଖୋଲିଦେବେ ବୋଲି ଦଳକୁ ଧମକାଇବାକୁ ପଛାଇନଥିଲେ ୟାଟନାଲ। ଡିସେମ୍ୱରରେ ୟାଟନାଲଙ୍କ ଏହି ମନ୍ତବ୍ୟ କଂଗ୍ରେସ ସରକାରକୁ ସୁହାଇଥିଲା। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା କହିଥିଲେ ଯେ, ୟାଟନାଲଙ୍କ ଏହି ମନ୍ତବ୍ୟରୁ ହିଁ ସ୍ପଷ୍ଟ କେମିତି ବିଜେପି ସରକାର ୪୦ ପ୍ରତିଶତ ପିସିରେ ଚାଲୁଥିଲା। ବିଜେପିର ପିସି ସରକାର ଚାଲିଥିଲା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *