ରାହୁଲଙ୍କ ଜେଲ ବେଲକୁ ନେଇ ରାଜନୀତି

Spread the love

() ରାହୁଲଙ୍କ ’ ସବୁ ମୋଦି କାହିଁକି ଚୋର’ ବୟାନରେ ଆଜି କୋର୍ଟ ୨ ବର୍ଷର ଦଣ୍ଡାଦେଶ ଶୁଣାଇବା ସହ ୩୦ ଦିନ ଜାମିନ ପ୍ରଦାନ କରିଛନ୍ତି। କୋର୍ଟଙ୍କ ରାୟ ଆସିବା ପରେ ତେଜିଛି ରାଜନୀତି। ବିଜେପି କୋର୍ଟଙ୍କ ରାୟକୁ ସ୍ବାଗତ କରିଥିବା କହୁଥିବା ବେଳେ କିନ୍ତୁ କଂଗ୍ରେସ ତଥା ଅନ୍ୟ ବିରୋଧୀ ଦଳ କେନ୍ଦ୍ର ଉପରେ ବର୍ଷିଛନ୍ତି। ଦେଶରେ ଏକଛତ୍ରବାଦୀ ଶାସନ ଚାଲିଥିବା ଅଭିଯୋଗ ଆଣିଛନ୍ତି କଂଗ୍ରେସ ନେତା। ରାହୁଲଙ୍କ ବିରୋଧରେ ଷଡଯନ୍ତ୍ର କରାଯାଇଥିବା ଅଭିଯୋଗ ବାଢୁଛନ୍ତି ବିରୋଧୀ।

ମାନହାନୀ ମକଦମାରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ କୋର୍ଟ ସାମୟିକ ଆଶ୍ବସ୍ତି ଦେଇଥିବା ବେଳେ କିନ୍ତୁ ତେଜିଛି ରାଜନୀତି। ରାହୁଲଙ୍କ ବୟାନ ସର୍ବଦା କଂଗ୍ରେସକୁ ଅଡୁଆରେ ପକାଉଛି ଓ ତାଙ୍କ ବ୍ୟବହାରକୁ ନେଇ କଂଗ୍ରେସ ସାଂସଦମାନେ ମଧ୍ୟ ଅସନ୍ତୁଷ୍ଟ ଥିବା ଆଇନ ମନ୍ତ୍ରୀ କିରଣ ରିଜିଜୁ କହିଥିବା ବେଳେ ରକ୍ଷାମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି କି, ସର୍ବଦା ଶବ୍ଦକୁ ନେଇ ମର୍ଯାଦା ରହିବା ଆବଶ୍ୟକ। ଏହି ରାୟରୁ କଂଗ୍ରେସ ସାଂସଦ ଶିକ୍ଷା ଗ୍ରହଣ କରିବା ଉଚିତ ବୋଲି ରାଜନାଥ ସିଂହ କହିଛନ୍ତି। ସେହିପରି ବିଜେପି ଅଧ୍ୟକ୍ଷ ସିଆର ପାଟିଲ କହିଛନ୍ତି, ରାହୁଲ କେଉଁଠି କିଛି ବି କହିଦେଇଥାନ୍ତି। ସେ ପୂରା ସମାଜକୁ ବଦନାମ କରିଛନ୍ତି। ରାହୁଲଙ୍କ ବୟାନକୁ ନେଇ ମୋଦି ସମାଜ କ୍ରୋଧାନ୍ବିତ ଥିଲା। ପାଟିଲ ଆହୁରି କହିଛନ୍ତି କି, ରାହୁଲ ଯେଉଁ ବେକାର ବୟାନ ଦିଅନ୍ତି ତାହାକୁ ବନ୍ଦ କରନ୍ତୁ। ବହୁ ବିଜେପି ନେତା ମଧ୍ୟ କୋର୍ଟଙ୍କ ରାୟକୁ ସ୍ବାଗତ କରିଥିବା କହିଛନ୍ତି।

ସେପଟେ ମାମଲାକୁ ନେଇ ସରକାର ବିରୋଧରେ ଆସୁଛି ବିରୋଧୀ ନେତାମାନଙ୍କ ବୟାନ। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜ୍ଜୁନ ଖଡଗେ କହିଛନ୍ତି କି, ପୂର୍ବରୁ ଆମକୁ ସବୁ ଜଣାଥିଲା। ବାରମ୍ବାର ବିଚାରପତି ବଦଳା ଯାଉଛନ୍ତି। ଆଇନ ଅନୁଯାୟୀ ଆମେ କାମ କରିବୁ। ଜନତାଙ୍କୁ ସତ ଜଣାଇବା ଆମର କାମ। ଏହା ଏହି ସରକାରର ଡିକ୍ଟେଟରସିପ। ଏମାନେ ଚାହୁଁଛନ୍ତି ଖାଲି ଏମାନଙ୍କର କଥା ଚାଲୁ। ସେହିପରି ଲୋକସଭାରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ କହିଛନ୍ତି, ଏହା ଏକ ଷଡଯନ୍ତ୍ର ଥିଲା ବୋଲି ଆମ ସମସ୍ତଙ୍କୁ ଜଣାଥିଲା। ସେଥିପାଇଁ ବିଚାରପତିଙ୍କୁ ବଦଳା ଯାଇ ଦଣ୍ଡ ବିଧାନ କରାଯାଇଛି। ନିର୍ବାଚନୀ ମାହୋଲ ଥିଲା ଓ ରାହୁଲ  ମୋଦି ଉପନାମକୁ ଦେଇ ବୟାନ ଦେଇଥିଲେ। ଏହା ଅପରାଧ ନୁହେଁ। କାହାକୁ ଅପମାନିତ କରିବାକୁ ଏପରି କୁହାଯାଇ ନ ଥିଲା। ସେପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ମଧ୍ୟ ଅରବିନ୍ଦ କେଜରିୱାଲଙ୍କ କେନ୍ଦ୍ରକୁ ଟାର୍ଗେଟ କରିବାକୁ ନିଜକୁ ରୋକି ପାରିନାହାନ୍ତି। କେଜରିୱାଲ କହିଛନ୍ତି, ଅଣବିଜେପି ନେତାମାନଙ୍କୁ ଓ ପାର୍ଟିଗୁଡିକୁ ମକଦମାରେ ଗୁଡେଇ ଶେଷ କରିଦେବାକୁ ଷଡଯନ୍ତ୍ର ହେଉଛି। ଆମର କଂଗ୍ରେସ ସହ ମତଭେଦ ଅଛି, କିନ୍ତୁ ରାହୁଲଙ୍କୁ ଏପରି ଫସେଇବା ଅନୁଚିତ। ଜନତା ଓ ବିପକ୍ଷର କାମ ପ୍ରାନ କରିବା। ଆମେ କୋର୍ଟଙ୍କ ସମ୍ମାନ କରୁଛୁ କିନ୍ତୁ ଏହି ନିର୍ଣ୍ଣୟ ସହ ସହମତ ନୋହୁଁ ବୋଲି ଟ୍ବିଟ କରିଛନ୍ତି କେଜରିୱାଲ। ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ କହିଛନ୍ତି ମିଡିଆକୁ ମଧ୍ୟ  

ଘଟଣାକୁ ନେଇ ଭାଇ ରାହୁଲଙ୍କ ଠିଆ ହୋଇଛନ୍ତି ପ୍ରିୟଙ୍କା ଗାନ୍ଧୀ ଭଦ୍ରା। ସେ ଟ୍ବିଟ କରି କହିଛନ୍ତି କି, ଭୟଭୀତ ସତ୍ତାଧାରୀ ଦଳ ସମସ୍ତ ମେସିନାରୀ ଦ୍ବାରା ସାମ, ଦାମ, ଦଣ୍ଡ, ଭେଦ ଲଗାଇ ରାହୁଲ ଗାନ୍ଧୀ ଜିଙ୍କ ସ୍ବର ଦବାଇବାକୁ ଚେଷ୍ଟା କରୁଛି। ଆଗକୁ ପ୍ରିୟଙ୍କା ଲେଖିଛନ୍ତି କି, ମୋର ଭାଇ କେବେ ଡରି ନାହାନ୍ତି କି ଡରିବେ ନାହିଁ। ସତ କହିଚାଲିଥିବେ। ଦେଶବାସୀଙ୍କ ସ୍ବର ଉଠାଇଚାଲିଥିବେ। ସତ୍ୟର ଶକ୍ତି କୋଟି କୋଟି ଦେଶବାସୀଙ୍କ ପ୍ରେମ ତାଙ୍କ ସହ ରହିଛି। ସେପଟେ ରାହୁଲ ମଧ୍ୟ ଟ୍ବିଟ କରି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଏକ ଉକ୍ତି ସେୟାର କରିଛନ୍ତି କି, ମୋର ଧର୍ମ ଅହିଂସା ଉପରେ ପର୍ଯ୍ୟବେଶିତ। ସତ୍ୟ ମୋର ଭଗବାନ, ଅହିଂସା ଏହାକୁ ପାଇବାର ସାଧନ। ଆଉ ଏକ ଟ୍ବିଟରେ ଆଜି ସହିଦ ଦିବସ ଥିବାରୁ କହିଛନ୍ତି, ଭଗତ ସିଂହ, ସୁଖଦେବ ଓ ରାଜଗୁରୁଙ୍କୁ ସହିଦ ଦିବସରେ ସାଦର ପ୍ରଣାମ। ସତ୍ୟ ଓ ଦମ୍ଭର ପଣତ ଧରି, ଦେଶ ପାଇଁ ନିର୍ଭୀକଭାବେ ଲଢିଚାଲ, ଭାରତ ମାତାର ସେହିସବୁ ବୀର ସୁପୁତମାନଙ୍କଠାରୁ ଶିଖିଛି। ଏଥିସହ ରାହୁଲ ଇନକିଲାବ ଜିନ୍ଦାବାଦ ନାରା ଦେଇଛନ୍ତି ଟ୍ବିଟରରେ। ଅନ୍ୟପଟେ, ରାହୁଲଙ୍କ ପ୍ରତି ନିଜ ସମର୍ଥନ ଓ କେନ୍ଦ୍ରକୁ ଟାର୍ଗେଟ କରୁଥିବା ନେତାଙ୍କ ବୟାନକୁ ନେଇ ବିଜେପିର ବରିଷ୍ଠ ନେତା ରବିଶଙ୍କର ପ୍ରସାଦ କହିଛନ୍ତି କି, ରାହୁଲ ଗାନ୍ଧୀ ମାନହାନୀ କେଶରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ତାଙ୍କୁ ୨ ବର୍ଷ ଦଣ୍ଡ ଶୁଣାଇଛନ୍ତି। ଏହା ଉପରେ କଂଗ୍ରେସ ନେତା ବହୁତ କଥା କହୁଛନ୍ତି, କିନ୍ତୁ ସତ କହୁନାହାନ୍ତି। ୨୦୧୯ରେ ରାହୁଲ ଗାନ୍ଧୀ କର୍ଣ୍ଣାଟକରେ କହିଥିଲେ କି, ସବୁ ଚୋରଙ୍କ ନାମ ମୋଦି କାହିଁକି ହୋଇଥାଏ। ମୋଦି ଏକ ଜାତି। ଏହି ସମାଜର ଲୋକ ବ୍ୟବସାୟ, ଡାକ୍ତର, ଇଞ୍ଜିନିୟର ଅଟନ୍ତି। ଏହା ସମ୍ପୂର୍ଣ୍ଣ ରୂପେ ମାନହାନୀ। ରବିଶଙ୍କର ଆହୁରି କହିଛନ୍ତି ଯାହା କିଛି ହୋଇଛି, ଆଇନ ପରିସରରେ ହୋଇଚି। ରାହୁଲ କହୁଛନ୍ତି, ସେ ସତ୍ୟ ଓ ଅହିଂସା ଉପରେ ବିଶ୍ବାସ ରଖନ୍ତି। କିନ୍ତୁ ଲୋକଙ୍କ ଅପମାନ କରନ୍ତି, କଣ ରାହୁଲଙ୍କୁ ଲୋକଙ୍କୁ ଅପମାନିତ କରିବାର ଅଧିକାର ଅଛି। ଯଦି ଅଧିକାର ଅଛି, ତେବେ ଅନ୍ୟମାନଙ୍କୁ କୋର୍ଟକୁ ଯିବାର ଅଧିକାର ରହିଛି।

ରାହୁଲଙ୍କୁ ଆଜି ସୁରତ କୋର୍ଟରୁ ସାମୟିକ ଆଶ୍ବସ୍ତି ମିଳିଥିବା ବେଳେ ଝାରଖଣ୍ଡରେ ତିନିଟି ମାମଲା ରହିଛି ସେହି ୨୦୧୯ ବୟାନକୁ ନେଇ। ଗୋଟିଏ ପଟେ ୩୦ ଦିନ ଭିତରେ ଉଚ୍ଚ ନ୍ୟାୟାଳୟକୁ ଯାଇ ସ୍ଥାୟୀ ଜାମିନ ନ ଆଣିଲେ ଜେଲ ଯାଇ ପାରନ୍ତି। କାରଣ  ସୁପ୍ରିମ କୋର୍ଟ ୨୦୧୩ରେ କହିଥିଲେ କି, ବିଭିନ୍ନ କୋର୍ଟରେ ୨ ବର୍ଷ ବା ତାଠା ଅଧିକ ସଜା ପାଇଥିବା ଜନପ୍ରତିନିଧିଙ୍କ  ସଦସ୍ୟତା ରଦ୍ଦ କରିଦିଆଯିବ। ଏଥିସହ ସର୍ବୋଚ୍ଚ କୋର୍ଟ ଆହୁରି ସ୍ପଷ୍ଟ କରିଥିଲେ କି, ଯେଉଁ ସାଂସଦ ବା ବିଧାୟକ ଦଣ୍ଡ ଉପରେ ଉଚ୍ଚ କୋର୍ଟରେ ଚ୍ୟାଲେଞ୍ଜ କରିବେ, ସେମାନଙ୍କ ଉପରେ ସଦସ୍ୟତା ରଦ୍ଦ କରିବାର ଆଦେଶ ଲାଗିବ ନାହିଁ।     ଶିଳାସ୍ମିତା ରାୟଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *