ରାହୁଳଙ୍କ ବୟାନକୁ ନେଇ ତେଜୁଛି ରାଜନୀତି

Spread the love

() ବିଦେଶ ମାଟିରେ ଭାରତ ଚର୍ଚ୍ଚା। ସାମ୍ପ୍ରତିକ ଭାରତୀୟ ବିଧି ବ୍ୟବସ୍ଥାକୁ ନେଇ ଟାର୍ଗେଟ। ଭାରତରେ ସାଂସଦ ହେବା କଷ୍ଟ। ସଂସଦର ସ୍ଥିତି ବଦଳି ଯାଇଛି। ପୂର୍ବର ଆଲୋଚନା ଆଉ ହେଉ ନାହିଁ। ବିରୋଧୀଙ୍କ ସ୍ବର ଚପାଇ ଦିଆଯାଉଛି। ନ୍ୟାୟପାଳିକା ଓ ପତ୍ରକାରିତା ପରି ସଂସ୍ଥାକୁ ଦିଆଯାଉନାହିଁ ସ୍ବାଧୀନତା। ଏମିତି ଅନେକ ପ୍ରସଙ୍ଗକୁ ନେଇ କେନ୍ଦ୍ର ଉପରେ ବର୍ଷିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ସାଂସଦ ରାହୁଲ ଗାନ୍ଧୀ। ରାହୁଲ ଗାନ୍ଧୀ ବର୍ତ୍ତମାନ ବ୍ରିଟେନ ଗସ୍ତରେ। ଲଣ୍ଡନର ବିଭିନ୍ନ ମଞ୍ଚରେ ଉଦବୋଧନ ଦେବା କାଳରେ ମୋଦି ସରକାରର ବିରୋଧୀ ମାରଣ ନୀତି ତଥା ସ୍ବେଚ୍ଛାଚାରିତାକୁ ଖୋଲାଖୋଲି ବଖାଣିଛନ୍ତି ୱାଇନାଡ ସାଂସଦ ରାହୁଲ ଗାନ୍ଧୀ। ସେପଟେ ରାହୁଲଙ୍କ ଏପରି ଘନଘନ ବୟାନକୁ ନେଇ ପୁଣି ବିଜେପି କଂଗ୍ରେସ ମୁହାଁମୁହିଁ। ନିଜ ବିଫଳତା ଲୁଚେଇବାକୁ ବିଦେଶ ମାଟିରେ ଷଡଯନ୍ତ୍ର କହିଛନ୍ତି ବିଜେପି ନେତା।

ପୁଣି ଚର୍ଚ୍ଚାରେ ରାହୁଲ ଗାନ୍ଧୀ। ରାହୁଲଙ୍କ ବ୍ରିଟେନ ଗସ୍ତକୁ ନେଇ ଆଲୋଚନା।  ବିଦେଶ ମାଟିରେ ଗଣାଇଲେ ମୋଦି ସରକାରର ଦୋଷ ଦୁର୍ବଳତା। ଭାରତରେ କିପରି ମୋଦି ସରକାର ବିରୋଧୀ ତାଡନ ନୀତି ଆପଣେଇ ବିରୋଧୀଙ୍କ ମୁହଁ ବନ୍ଦ କରିଦେଉଛି ତାକୁ ଗୋଟି ଗୋଟି କରି ବିଭିନ୍ନ ମଞ୍ଚରେ ବଖାଣିଛନ୍ତି ୱାଇନାଡ ସାଂସଦ। ସମ୍ପ୍ରତି ରାହୁଲ ଗାନ୍ଧୀ ବ୍ରିଟେନରେ। ସେଠାରେ ବିଭିନ୍ନ ସଂଗଠନ ଦ୍ବାରା ଆୟୋଜିତ କାର୍ଯ୍ୟକ୍ରମରେ ଉଦବୋଧନ ଦେଉଛନ୍ତି ଓ ଏହି ଅବସରରେ ସମାଲୋଚନା କରୁଛନ୍ତି ଭାରତର ସାମ୍ପ୍ରତିକ ସ୍ଥିତିକୁ ନେଇ। ଲଣ୍ଡନ ସ୍ଥିତ ହାଉସ ଅଫ ପାର୍ଲିଆମେଣ୍ଟରେ ରାହୁଲ ତାଙ୍କ ବକ୍ତବ୍ୟ କାଳରେ କହିଛନ୍ତି କି, ଭାରତ ସଂସଦରେ ବିରୋଧୀଙ୍କ ମାଇକ୍ରୋଫୋନକୁ ବନ୍ଦ କରି ଦିଆଯାଉଛି। ହାଉସ ଅଫ କମନ୍ସର ଗ୍ରାଣ୍ଡ କମିଟି କୋଠରୀରେ ବିରୋଧୀ ଲେବର ପାର୍ଟିର ଭାରତୀୟ ବଂଶୋଦ୍ଭବ ସାଂସଦ ବୀରେନ୍ଦ୍ର ଶର୍ମାଙ୍କ ଦ୍ବାରା ଆୟୋଜିତ ଏକ ସମାରୋହରେ ଯୋଗଦେଇଥିବା ଅବସରରେ ରାହୁଲଙ୍କ ଏକ ଖରାପ ମାଇକ୍ରୋଫୋନ ମିଳିଥିଲା। ଏହାକୁ ନେଇ ସେ କହିଥିଲେ, ଆମ ସଂସଦରେ ମାଇକ୍ରୋଫାନ କାମ କରୁଛି, ହେଲେ ନିଜ କଥା ରଖିବା ବେଳେ ତାହା ବନ୍ଦ ହୋଇଥାଏ। ଏମିତି ଅନେକ ଥର ମୋ ସହ ଘଟିଛି। ସେ ଆହୁରି କହିଛନ୍ତି କି, ବିରୋଧୀଙ୍କ ଦମନ କରାଯାଉଛି ଭାରତରେ ।

ସେହିପରି ମୋଦି ସରକାର ଦ୍ବାରା ହୋଇଥିବା ନୋଟବନ୍ଦୀକୁ ଏକ ବିନାଶକାରୀ ଆର୍ଥିକ ନିଷ୍ପତ୍ତି କହିବା ସହ ଏହା ଉପରେ କଂଗ୍ରେସକୁ ଆଲୋଚନା ପାଇଁ କିପରି ସୁଯୋଗ ଦିଆଯାଇ ନ ଥିଲା ତାହାର ବର୍ଣ୍ଣନା କରିଥିଲେ ରାହୁଲ। ସଂସଦରେ କିପରି ବିରୋଧୀଙ୍କୁ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ସୁଯୋଗ ଦିଆଯାଉନାହିଁ ତାହାର ଉଲ୍ଲେଖ କରିବାକୁ ଯାଇ ସେ ନୋଟବନ୍ଦୀ, ଜିଏସଟି, ଚୀନ ସୈନ୍ୟଙ୍କ ଭାରତୀୟ ଅଞ୍ଚଳରେ ଅନୁପ୍ରବେଶ ପ୍ରସଙ୍ଗରେ ବିରୋଧୀଙ୍କୁ ବଞ୍ଚିତ କରାଯାଇଥିଲା ଆଲୋଚନାରୁ । କିନ୍ତୁ ପୂର୍ବରୁ ଭିନ୍ନ ଥିଲା ସଂସଦର ଚିତ୍ର। ଆଲୋଚନା ଥିଲା ଜୀବନ୍ତ, ଉଚ୍ଚକୋଟିର ଓ ସମସ୍ତ ମତପାର୍ଥକ୍ୟ ସତ୍ତ୍ବେ ହେଉଥିଲା ଆଲୋଚନା ବୋଲି  କହିଥିଲେ ରାହୁଲ। ତେଣୁ ବର୍ତ୍ତମାନ ସ୍ଥିତିକୁ ନେଇ ସେ ହୋଇପଡୁଛନ୍ତି ଅଣନିଶ୍ବାସୀ ।

ଏତିକିରେ ସରି ନ ଥିଲା ମୋଦି ସରକାରକୁ ଟାର୍ଗେଟ କରିବାର ଯାତ୍ରା। ସେ ଆଗକୁ ଆହୁରି କହିଥିଲେ କି, ଭାରତର ଲୋକତନ୍ତ୍ର ବିଶ୍ବସ୍ତରରେ ସବୁଠାରୁ ଭଲ। ଏହା ଆମେରିକା ଓ ୟୁରୋପର ଲୋକତନ୍ତ୍ର ତୁଳନାରେ ତିନି ଗୁଣା ବଡ। ଆଉ ଯଦି ଏହି ଲୋକତନ୍ତ୍ର ଭାଙ୍ଗିଯାଏ, ତେବେ ଏହା ପୂରା ଗ୍ରହର ଲୋକତନ୍ତ୍ର ପ୍ରତି ଝଟକା ହେବ। ସେଠାର ଏକ ପ୍ରବାସୀ ଭାରତୀୟମାନଙ୍କ ସହ ଆଲୋଚନା କାଳରେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ ବା ଆରଏସଏସକୁ ଏକ ଗୁପ୍ତ ସମାଜ ଭାବେ ବର୍ଣ୍ଣନା କରିବା ସହ ଏହା ଲୋକତନ୍ତ୍ର ପ୍ରକ୍ରିୟାକୁ ନଷ୍ଟ କରିବା ପାଇଁ ପ୍ରସ୍ତୁତ କରାଯାଇଛି। ରାହୁଲ କହିଛନ୍ତି କି, ଆରଏସଏସ ଏକ ଗୁପ୍ତ ସମାଜ। ଏହା ମୁସଲମାନ ଭାଇଚାରା ତୁର୍କ ଉପରେ ଗଠନ କରାଯାଇଛି।  ଏହାର ବିଚାର ଧାରା ହେଉଛି, ସତ୍ତାକୁ ଆସିବାକୁ ଲୋକତାନ୍ତ୍ରିକ ପ୍ରତିଯୋଗିତାର ବ୍ୟବହାର କରି ଓ ପରେ ଲୋକତାନ୍ତ୍ରିକ ପ୍ରତିଯୋଗିତାକୁ ନଷ୍ଟ କରିଦେବା। କିନ୍ତୁ ୨୦୦୪ରେ ଯେତେବେଳେ ସେ ରାଜନୀତିକୁ ଆସିଥିଲେ ସେତେବେଳର ରାଜନୈତିକ ଲଢେଇ ସମ୍ପର୍କରେ ବର୍ଣ୍ଣନା କରି କହିଥିଲେ କି, ସେହି ସମୟରେ  ଲୋକତାନ୍ତ୍ରିକ ଲଢେଇ ରାଜନୈତିକ ଦଳଗୁଡିକ ମଧ୍ୟରେ ଥିଲା।  କେବେ ମଧ୍ୟ ଚିନ୍ତା କରି ନ ଥିଲି କି, ପ୍ରତିଯୋଗିତାର ସ୍ବରୂପ ସମ୍ପୂର୍ଣ୍ଣ ରୂପେ ବଦଳି ଯିବ।  ସୋମବାର ସେଠାରେ ରାହୁଲ ଆହୁରି ସାଙ୍ଘାତିକ ଅଭିଯୋଗ ଆଣି କହିଛନ୍ତି କି, ଆମ ଦେଶରେ ବିଭିନ୍ନ ସଂସ୍ଥାଗୁଡିକୁ ସେମାନେ ନିଜ କବ୍ଜାକୁ ନେଇ ଆସିଛନ୍ତି, ଯାହା ଆଶ୍ଚର୍ଯ୍ୟ ଚକିତ କରୁଛି। ପ୍ରେସ, ନ୍ୟାୟପାଳିକା, ସଂସଦ, ନିର୍ବାଚନ ଆୟୋଗ ପରି ସଂସ୍ଥା ସବୁ ଚାପରେ, ବିପଦରେ ବୋଲି କହିଥିଲେ ରାହୁଲ।

ବ୍ରିଟେନରେ ବିଭିନ୍ନ ସଂଗଠନ ଦ୍ବାରା ଆୟୋଜିତ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇ ଲଗାତର ରାହୁଲ ମୋଦି ସରକାର ବିରୋଧରେ କରିଚାଲିଛନ୍ତି ବିଷୋଦ୍ଗାର। ଯାହାକୁ ନେଇ ବିଜେପି ପାଲଟା ଆକ୍ରମଣ କରିବାରୁ ନିଜକୁ ଅଟକାଇ ପାରିନି। ରାହୁଲ ବିଦେଶରେ ଭାରତର ସ୍ବରୂପ ମଳିନ କରିବାରେ ଲାଗିଛନ୍ତି ତଥା ଏହା ତାଙ୍କ ଅଭ୍ୟାସଗତ ବୋଲି ବିଜେପି ଅଭିଯୋଗ କରିଛି।  ବିଜେପି ନେତା ତଥା କ୍ରିଡା ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି, ବିଦେଶୀ ମାଟିରେ ଭାରତକୁ ବଦନାମ କରିଛନ୍ତି ରାହୁଲ। ଦେଶ ସହ ବିଶ୍ବାସଘାତକ ନ କରିବାକୁ ମଧ୍ୟ ରାହୁଲଙ୍କୁ ପରାମର୍ଶ ଦେଇଛନ୍ତି ଅନୁରାଗ। ସେ କହିଛନ୍ତି କି, ଭାରତ ସହ ବିଶ୍ବାସଘାତ ନ କରନ୍ତୁ ରାହୁଲ ଗାନ୍ଧୀ ଜି। ଏହାକୁ ସେ ଭାରତର ବିଦେଶ ନୀତି ଦିଗରେ ରାହୁଲଙ୍କ ସ୍ବଳ୍ପ ଜ୍ଞାନର ପ୍ରମାଣ କହିବା ସହ ବିଦେଶ ମାଟିରେ ଭାରତ ବିରୋଧରେ କହିଥିବା ମିଛକୁ କେହି ବିଶ୍ବାସ କରିବେ ନାହିଁ ବୋଲି କହିଛନ୍ତି ଅନୁରାଗ ଠାକୁର। ଠାକୁର ଆହୁରି କହିଛନ୍ତି, ନିଜର ବିଫଳତାକୁ ଲୁଚାଇବା ଷଡଯନ୍ତ୍ର ଅନ୍ତର୍ଗତ ଏପରି କରୁଛନ୍ତି। ଭାରତର ବଦନାମ କରିବା ପାଇଁ ବିଦେଶ ମାଟିର ନେଉଛନ୍ତି ସାହାରା । ରାହୁଲ ବିବାଦର ଝଡ ପାଲଟିଛନ୍ତି। ଭାରତକୁ ବଦନାମ କରିବାର କୌଣସି ସୁଯୋଗ ଛାଡନ୍ତି ନାହିଁ ସେ ବିଦେଶୀ ଏଜେନ୍ସି, ଚ୍ୟାନେଲ ବା ମାଟିରେ। ସେହିପରି ରାହୁଲଙ୍କ ମାଇକ୍ରୋଫୋନ ବନ୍ଦ ଉପାକ୍ଷାନ ଉପରେ ରାଜ୍ୟ ସଭା ଡେପୁଟି ଚେୟାରମ୍ୟାନ ହରିବଂଶ କହିଛନ୍ତି ୱାଇନାଡ ସାଂସଦଙ୍କ ବୟାନ ସମ୍ପୂର୍ଣ୍ଣ ମିଛ, ଅମୂଳକ।

ତେବେ ବ୍ରିଟେନରେ ରାହୁଲଙ୍କ ମୋଦି ସରକାରକୁ ଟାର୍ଗେଟକୁ ନେଇ ବିଜେପି ଶିବିରରେ ଦେଖାଦେଇଥିବା ତାତିର ସବୁ ସୀମା ସରହଦ ପାର କରି ଯାଇଛନ୍ତି କର୍ଣ୍ଣାଟକ ବିଜେପ ଅଧ୍ୟକ୍ଷ ତଥା ଲୋକସଭା ସାଂସଦ ନଳିନ କୁମାର। ନଳିନୀ ଏକ କାର୍ଯ୍ୟକ୍ରମରେ ରାହୁଲଙ୍କ ପ୍ରତି କଟାକ୍ଷ କରିବାକୁ ଯାଇ କହିଛନ୍ତି କି, ରାହୁଲ ଗାନ୍ଧୀ ବିବାହ କରି ନାହାନ୍ତି, କାରଣ ସେ ପିଲା ଜନ୍ମ ଦେଇ ପାରିବେ ନାହିଁ।  ଯାହା ଦେଶରେ ଏକ ନୂଆ ବିବାଦର ସୂତ୍ରପାତ କରିବାକୁ ଯାଉଥିବା ଅନୁମେୟ।

ଶିଳାସ୍ମିତା ରାୟଙ୍କ ରିପୋର୍ଟ  

Leave a Reply

Your email address will not be published. Required fields are marked *