ପୁରୀରେ ପାୱାର ଦେଖାଇଲେ ଅପରାଜିତା

Spread the love

ପୁରୀରେ ପାଓ୍ୱାର ସୋ! ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଦେଖାଇଛନ୍ତି ନିଜର ଦମ୍। ଶ୍ରୀମନ୍ଦିର ବଞ୍ଚାଅ ଆନ୍ଦୋଳନ ଉପଲକ୍ଷେ ହେବାକୁ ଥିବା ପଦଯାତ୍ରା ସିନା ବନ୍ଦ ହୋଇଗଲା। ହେଲେ ପୁରୀରେ ପଦଯାତ୍ରା କରି ପ୍ରଶାସନକୁ ଚକମା ଦେଇଦେଲେ ଅପରାଜିତା। ମହାପ୍ରଭୂଙ୍କୁ ଦର୍ଶନ କଲେ। ଲମ୍ୱ ହୋଇ ପଡିଗଲେ ଅରୁଣସ୍ତମ୍ଭ ଆଗରେ। ଲୁହ ସମ୍ୱରଣ କରିପାରିଲେନି ପ୍ରଭୂଙ୍କ ଦର୍ଶନ ବେଳେ। ପୁରୀରେ  ତାଙ୍କର ପ୍ରବେଶ ଆଗରୁ କେଉଁ ଅଜଣା ଭୟ ପ୍ରଶାସନକୁ ଘାରିଛି। ପ୍ରଶାସନ କଅଣ ଲୁଚାଉଛି କହି ଦର୍ଶନ କରି ଫେରିଲା ପରେ ଗଣମାଧ୍ୟମ ଆଗରେ ବିଷ ଓଗାଳିଥିଲେ ଅପରାଜିତା। ହେଲେ ପୁରୀ ପ୍ରବେଶ ଆରମ୍ଭରୁ ଦର୍ଶନ ସାରି ଫେରିବା ଯାଏ ବେଶ୍ ରୋଚକ ଥିଲା ଦୃଶ୍ୟପଟ୍ଟ।  ମହାପ୍ରଭୂଙ୍କୁ ଦର୍ଶନ କରିବାକୁ ପୁରୀ ଆସୁଛି କହି ମଙ୍ଗଳବାରରୁ ପୁରୀ ଜିଲ୍ଲାପାଳଙ୍କୁ ଚିଠି ଯୋଗେ ଅବଗତ କରାଇସାରିଥିଲେ। ଏମିତିରେ ଶ୍ରୀମନ୍ଦିର ବଞ୍ଚାଅ ଆନ୍ଦୋଳନ ଉପଲକ୍ଷେ ହେବାକୁ ଥିବା ପଦଯାତ୍ରାକୁ ପ୍ରଶାସନ ଅନୁମତି ଦେଇନଥିଲା। ଆଉ ଏଭଳି ସ୍ଥିତିରେ ଅପରାଜିତାଙ୍କ ପୁରୀ ଗସ୍ତକୁ ନେଇ ପ୍ରଶାସନ ବି ବେଶ୍ ସତର୍କ ହୋଇପଡ଼ିଥିଲା। ୨୦ ଟି ଗାଡ଼ିରେ ତାଙ୍କ ସମର୍ଥକଙ୍କ ସହ ପୁରୀରେ ପ୍ରବେଶ କରିବାକୁ ଉଦ୍ୟମ କରୁଥିବା ବେଳେ ଚନ୍ଦନପୁର କାଠପୋଲ ନିକଟରେ ପୋଲିସ ତାଙ୍କୁ ଅଟକାଇଥିଲା। କେବଳ ଦୁଇଟି ଗାଡିରେ ୨ ରୁ ୩ ଜଣଙ୍କ ସହ ଶ୍ରୀମନ୍ଦିର ନିକଟକୁ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ପାଇଁ ପ୍ରଶାସନ ଅନୁରୋଧ କରିଥିଲା।‌ ଅଟକାଯାଇଥିବା ପ୍ରତିବାଦରେ କାଠପୋଲ ଠାରୁ ଚାଲି ଚାଲି ମାଳତୀପାଟପୁର ପର୍ଯ୍ୟନ୍ତ ଆସିଥିଲେ। ସେଠାରେ ଫୁଲଚନ୍ଦନ ଦେଇ ସମର୍ଥକ ସ୍ୱାଗତ କରିଥିଲେ। ପରେ ସେ ଗାଡ଼ିରେ କିଛି ସମର୍ଥକଙ୍କ ସହ ବସି ବଡ଼ଦାଣ୍ଡରେ ପ୍ରବେଶ କରିଥିଲେ। ବଡଦାଣ୍ଡରୁ କିଛି ବାଟ ଚାଲି ସାଂସଦ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଥିଲେ।  ଆଉ ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗରେ ପ୍ରଶ୍ନବାଣରେ ଛନ୍ଦି ଦେଇଥିଲେ ସରକାରଙ୍କୁ। ପୁରୀ ସାଂସଦ ପିନାକୀ ମିଶ୍ରଙ୍କୁ ଟାର୍ଗେଟ କରିଥିଲେ। ଏପରିକି କେଉଁ ପରିସ୍ଥିତିରେ ଗଜପତି ମହାରାଜାଙ୍କ ସାହାରା ନେବାକୁ ପଡିଲା ବୋଲି ପ୍ରଶ୍ନବାଚୀ ଆଙ୍କିଥିଲେ। ଶ୍ରୀମନ୍ଦିର କାର୍ଯ୍ୟାଳୟ ନିକଟରେ ରାଜ୍ୟ ଛାତ୍ର କଂଗ୍ରେସ ପକ୍ଷରୁ ଜଣେ କର୍ମୀ ସାଂସଦଙ୍କୁ ଟମାଟୋ ମାଡ କରିଥିଲେ। ଶ୍ରୀ ଜଗନ୍ନାଥ ସେନା ବି ଗୁଣ୍ଡିଚା ମନ୍ଦିରରୁ ସିଂହଦୁଆର ଯାଏ ବଡଦାଣ୍ଡରେ ପଦଯାତ୍ରା କରି ଶାନ୍ତିଶୃଙ୍ଖଳାର ସହ ସମାପ୍ତ କଲା ବୋଲି ଘୋଷଣା କରିଛି। ସେପଟେ ପଦଯାତ୍ରାକୁ ଅନୁମତି ନଥିଲା ବେଳେ କିଭଳି ସାଂସଦ ସମର୍ଥକଙ୍କ ସହ ଏହା କଲେ, ତାକୁ ବିରୋଧ କରି ଏତଲା ଦେଇଛି ଶ୍ରୀକ୍ଷେତ୍ର ବିକାଶ ମଞ୍ଚ। ଅନେକ ସେବାୟତ ବି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଅପରାଜିତା ରାଜନୀତି କରୁଛନ୍ତି ବୋଲି କହିଛନ୍ତି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ଥମିବାର ନାଁ ଧରୁନି। ପଦଯାତ୍ରା ବିବାଦ ଏହି ଏପିସୋଡରେ ଆଉ ଏକ ନୂଆ ଅଧ୍ୟାୟ ଯୋଡିସାରିଛି।

Leave a Reply

Your email address will not be published. Required fields are marked *