ଏପଟେ ଶକ୍ତି ପ୍ରଦର୍ଶନ, ସେପଟେ ମାରାଥନ ବୈଠକ

Spread the love

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କୁ ବିମାନ ବନ୍ଦରରୁ ଭବ୍ୟ ସ୍ୱାଗତ ନେଇ ଜନସମୁଦ୍ର ପାଲଟିଥିଲା ବିମାନ ବନ୍ଦରରୁ ନବୀନ ନିବାସ ରାସ୍ତା। ଏହି ବିପୁଳ ସ୍ୱାଗତ ସମ୍ୱର୍ଦ୍ଧନା ଜରିଆରେ ବିଜେଡି ନିଜର ଶକ୍ତି ପ୍ରଦର୍ଶନ କରିଛି କହିଲେ ଭୁଲ୍ ହେବନି। ସେପଟେ ଏହି ସୋକୁ ତାଳ ଦେଇ ବିଜେପି ବି କମର କଷିଥିଲା କାଉଣ୍ଟର ଆଟାକ୍ କରିବାକୁ। ମହିଳା ବିରୋଧୀ ହିଂସାରେ ଓଡ଼ିଶା ରେକର୍ଡ ଭାଙ୍ଗୁଛି କହି ରାଜଭବନ ଆଗରେ ପ୍ରତିବାଦ ସାଙ୍ଗକୁ ମୁଖ୍ୟାଳୟରେ ମିଶନ୍ ୨୪କୁ ସଫଳ କରିବାକୁ ମାରାଥନ ବୈଠକ ବସିଥିଲା ପ୍ରଭାରୀଙ୍କ ଅଧ୍ୟକ୍ଷତାରେ।

ସେପ୍ଟେମ୍ୱର ୬। ଯେମିତି ବିଜେଡି ପାଇଁ ଅଭୂଲା ଓ ସ୍ମରଣୀୟ ରହିବ। ଠିକ୍ ସେମିତି ବିଜେପି ଲାଗି ବି ଥିଲା। ମୁଖ୍ୟମନ୍ତ୍ରୀ ଦିଲ୍ଲୀରୁ ଜୀବନବ୍ୟାପି ସାଧନା ସମ୍ମାନରେ ସମ୍ମାନିତ ହୋଇ ଫେରିଥିବାରୁ ବିମାନ ବନ୍ଦରରୁ ନବୀନ ନିବାସ ଜନ ସମୁଦ୍ର ପାଲଟିଥିଲା। ୫୦ ହଜାର ଲୋକଙ୍କ ସମାଗମରେ ଏଭଳି ବିପୁଳ ସ୍ୱାଗତ ସମ୍ୱର୍ଦ୍ଧନା ଦେଖିଲା ଭଳି ଥିଲା। ନାଚଗୀତରେ ଦୁଲୁକିଥିଲା ରାସ୍ତାଘାଟ। ଶଙ୍ଖ ଚିହ୍ନ ଓ ନବୀନଙ୍କ ପୋଷ୍ଟରରେ ଯେମିତି ଅଧା ଭୁବନେଶ୍ୱର ଲୁଚିଯାଇଥିଲା। ଆଉ ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ଓ କ୍ରମାଗତ ଜନଆସ୍ଥାକୁ ଆୟୁଧ କରି ମାଡି ଚାଲିଥିବା ବିଜେଡି ଏଭଳି ମୂହୂର୍ତ୍ତକୁ କେମିତି ବା ହାତଛଡ଼ା କରିଥାଆନ୍ତା।

ସେପଟେ ଠିକ୍ ଆଜି ଦିନରେ ବିଜେଡିକୁ କାଉଣ୍ଟର କରିବାକୁ କମର କଷିଥିଲା ପଦ୍ମ ଶିବିର। କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲଙ୍କ ଅଧ୍ୟକ୍ଷତାରେ ମିଶନ୍ ୨୪କୁ ସଫଳ କରିବାକୁ ମୁଖ୍ୟାଳୟରେ ବସିଥିଲା ମାରାଥନ ବୈଠକ। ରାଜ୍ୟ ସରକାରଙ୍କ ବିରୁଦ୍ଧରେ କେଉଁ ପ୍ରସଙ୍ଗକୁ ଅସ୍ତ୍ର କରି ଆନ୍ଦୋଳନର ରୂପରେଖ ତିଆରି ହେବ, ଖସଡ଼ା ତିଆରି ହୋଇଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନଡ୍ଡା ବି ମାସ ଶେଷ ଆଡ଼କୁ ଦୁଇ ଦିନିଆ ଗସ୍ତରେ ଆସୁଛନ୍ତି। ୨୫ ବର୍ଷର ସେବା ପାଇଁ ସମ୍ମାନ ବୋଲି ବିଜେଡି ହୋର୍ଡିଂ ଛାଇ ଦେଇଥିଲା ବେଳେ ଏହାକୁ କାଉଣ୍ଟର କରିବାକୁ ରାଜଭବନ ଆଗରେ ନବୀନ ସରକାରଙ୍କୁ ମହିଳା ବିରୋଧୀ କହି ସେଇ ତିନି ଘଣ୍ଟା ଧାରଣା ଦେଇଥିଲା ବିଜେପି।

ସେପଟେ ଏହି ପ୍ରତିଯୋଗିତାରେ ଆଜି ସିନା ଫିକା ପଡ଼ିଗଲା କଂଗ୍ରେସ। ପୁରଷ୍କାର ଲାଗି ବିଜେଡିର ଦୌଡ଼ ଓ ଓଡ଼ିଶା ଦଖଲ ଲାଗି ବିଜେପିର ସ୍ୱପ୍ନକୁ କଟାକ୍ଷ କରିଛି। କିନ୍ତୁ ୭ ତାରିଖରୁ ଆରମ୍ଭ ହେଉଥିବା ଭାରତ ଯୋଡ଼ ଅଭିଯାନରେ କଂଗ୍ରେସ ତାହାର ଶକ୍ତି ପ୍ରଦର୍ଶନ କରିବାକୁ ଯାଉଛି। ଓଡ଼ିଶାରେ ବି ପଦଯାତ୍ରା ହେବ। ଶହେ ଜଣିଆ ପ୍ରତିନିଧି ଏହି ଅଭିଯାନରେ ସାମିଲ ହେବେ।

ପଲିଟିକାଲ ହବ୍ ପାଲଟିଛି ଯେମିତି ରାଜଧାନୀ। ତିନି ପ୍ରମୁଖ ଦଳ ଭିତରେ ସମ୍ମାନ, ସାଂଗଠନିକ ସରଞ୍ଚନା ଓ ସର୍ବୋପରି ୨୪କୁ ନେଇ ଶକ୍ତି ପ୍ରଦର୍ଶନ ବେଶ୍ ଆଲୋଚ୍ୟର ବିଷୟ ସାଜିଛି।

ନବକିଶୋର ସାହୁଙ୍କ ସହ ସିମ୍ପୁଲ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *