କୋର୍ଟରେ ନେତାଙ୍କ ଗୁହାରୀ, ଦିନକ ପାଇଁ ଆମକୁ ବେଲ୍ ମିଳୁ

ଦିନକ ପାଇଁ ଅନ୍ତତଃ ବେଲ୍ ଦିଅ ଅଦାଲତ। ରାଜ୍ୟସଭା ନିର୍ବାଚନ ଭୋଟିଂରେ ସାମିଲ ହେବାକୁ ଜେଲରେ ଥିବା ମହାରାଷ୍ଟ୍ରର ଦୁଇ ନେତା ମୁମ୍ୱାଇ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ନଓ୍ୱାବ ମଲ୍ଲିକ ଓ ଅନୀଲ ଦେଶମୁଖ ଏଭଳି ଆବେଦନ କରିଥିଲା ବେଳେ କୋର୍ଟ ଏହା ଉପରେ ଶୁଣାଣୀ କରିଛନ୍ତି।

ଜୁନ୍ ୧୦ରେ ରାଜ୍ୟସଭା ନିର୍ବାଚନ ରହିଛି। କିନ୍ତୁ ଜେଲରେ ଅଛନ୍ତି ନଓ୍ୱାବ ମଲ୍ଲିକ ଓ ଅନୀଲ ଦେଶମୁଖ। ଏହି ସମୟରେ ରାଜ୍ୟସଭା ନିର୍ବାଚନରେ ଭୋଟିଂ ଅଧିକାରରୁ ବଞ୍ଚିତ କରାନଯାଉ। ଅନ୍ତତଃ ସେହି ଦିନକ ପାଇଁ ଅଦାଲତ ଜାମିନ ଦିଅନ୍ତୁ କହି ଦୁଇ ନେତା ଅଦାଲତର ଦ୍ୱାରସ୍ଥ ହୋଇଥିଲେ। ମହାରାଷ୍ଟ୍ର ସରକାରରେ ପୂର୍ବତନ ମନ୍ତ୍ରୀ ଅନୀଲ ଦେଶମୁଖ ଓ କ୍ୟାବିନେଟ ମନ୍ତ୍ରୀ ନଓ୍ୱାବ ମଲ୍ଲିକ ସଙ୍ଗୀନ ଆରୋପରେ ବନ୍ଧା ହୋଇ ଜେଲରେ ଅଛନ୍ତି। ମଦ ବେପାରୀଙ୍କଠୁ ମାସକୁ ଶହେ କୋଟି ଟଙ୍କା ବଟି ଆଦାୟର ଟାର୍ଗେଟ ଫିକ୍ସ କରିବା ଅଭିଯୋଗରେ ଅନୀଲଙ୍କୁ ବାନ୍ଧି ଜେଲରେ ପୁରାଇଛି  ସିବିଆଇ। ସେହିଭଳି ଅଣ୍ଡରଓ୍ୱାଲ୍ଡ ଗ୍ୟାଙ୍ଗଷ୍ଟର ଦାଉଦ ସହ ଲିଂକରେ ମନି ଲଣ୍ଡରିଂ ମାମଲାରେ ଫସିଛନ୍ତି ନଓ୍ୱାବ ମଲ୍ଲିକ। ଫେବୃଆରୀ ୨୩ରେ ଇଡି ନଓ୍ୱାବଙ୍କୁ ଗିରଫ କରିଥିଲା। ଉଭୟ ନେତା ମୁମ୍ୱାଇ ସ୍ପେଶିଆଲ କୋର୍ଟରେ ଜାମିନ ପାଇଁ ଆବେଦନ କରିଥିଲେ। ୧୦ ତାରିଖରେ ମହାରାଷ୍ଟ୍ରର ୬ଟି ଆସନରେ ହେବାକୁ ଯାଉଛି ରାଜ୍ୟସଭା ନିର୍ବାଚନ। ରାଜ୍ୟସଭା ଭୋଟିଂରେ ସାମିଲ ହେବାକୁ ଉଭୟ ନେତା ଦିନକ ପାଇଁ ଜାମିନ ଦେବାକୁ ଅନୁରୋଧ କରିଥିଲେ ଅଦାଲତରେ। ନେତାଙ୍କ ଓକିଲ ଯୁକ୍ତି ବାଢିଥିଲେ କି, ଗଣତନ୍ତ୍ରରେ ଅପରାଧିକ ଇତିହାସ ଥାଇ ବି ଜଣଙ୍କୁ ନିର୍ବାଚନ ଲଢିବାକୁ ସୁଯୋଗ ଦିଆଯାଉଛି। କିନ୍ତୁ ଭୋଟିଂ ପ୍ରକ୍ରିୟାରେ ଭାଗ ନେବାକୁ କାହିଁକି ନୁହେଁ। ରାଜନୀତିରେ ଅପରାଧି ତତ୍ତ୍ୱ ରହିବନି ବୋଲି ଉଭୟ ଅଦାଲତ ଓ ଆଇନପ୍ରଣେତା ନିଶ୍ଚିତ କରୁଥିଲା ବେଳେ ଦୋଷୀ ଓ ବିଚାରାଧୀନ ବନ୍ଦୀଙ୍କ ଭିତରେ ଫରକ୍ ଥବା କଥା ବି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି। ସେଥିଲାଗି ତାଙ୍କ ମହକିଲକୁ ସ୍ୟୁରିଟି ରଖି ଜାମିନ ଦିଆଯାଉ। ନଚେତ୍ ଅସୁସ୍ଥ ଆଳରେ ଦିନକ ପାଇଁ ଜାମିନ ମିଳୁ ଅଥବା ଏସକର୍ଟ ଦେଇ ଭୋଟିଂ ରାଇଟ୍ସ ସାବ୍ୟସ୍ତ କରିବାକୁ ଅନୁମତି ମିଳୁ। ନିର୍ବାଚିତ ପ୍ରତିନିଧିଙ୍କ ସେମାନଙ୍କ କର୍ତ୍ତବ୍ୟରୁ ବଞ୍ଚିତ କରାନଯାଉ। କିନ୍ତୁ ଏଭଳି ଯୁକ୍ତିକୁ ବିରୋଧ କରିଥିଲେ ଅତିରିକ୍ତ ସଲିସିଟର ଜେନେରାଲ। ଜଣେ ପୁଲିସ ହାଜତରେ ଥିଲେ କି ବିଚାର ବିଭାଗୀୟ ହାଜତରେ ଥିଲେ ଭୋଟ ଦେଇପାରିବନି। କିନ୍ତୁ ଯଦି ଥରେ ଦୋଷୀ ସାବ୍ୟସ୍ତ ହୋଇଗଲା, ତେବେ ସେ ନିଜର ଭୋଟ୍ ଦେଇପାରିବ। ନଓ୍ୱାବ ଓ ଅନୀଲ ଉଭୟ ବିଚାରାଧୀନ ବନ୍ଦୀ। ସେଥିଲାଗି ସେମାନେ ଭୋଟ୍ ଦେଇପାରିବେନି। ଭୋଟ ଦେବା ସାମ୍ୱିଧାନିକ ଅଧିକାର ହୋଇପାରେ। କିନ୍ତୁ ଏହା ରିପ୍ରେଜେଣ୍ଟେସନ ଅଫ ପିପୁଲ୍ସ ଆକ୍ଟ ଦ୍ୱାରା ପରିଚାଳିତ। ଆଉ ଆକ୍ଟ ଏଭଳି ବନ୍ଦୀଙ୍କୁ ଅନୁମତି ଦେଉନି। ସେଥିଲାଗି ଆକ୍ଟକୁ ଅନୁସରଣ କରିବା ଆବଶ୍ୟକ। ଭୋଟ ଦେବା ଅଧିକାର ମୌଳିକ ଅଧିକାର ପରିସରଭୁକ୍ତ ନୁହେଁ। ନିଜ ଆଚରଣରୁ ଆବେଦନକାରୀ ଜେଲରେ ଅଛନ୍ତି। ପ୍ରତିପକ୍ଷ ଓକିଲ କେଉଁଠୁ ଜାଣିଲେ ଯେ, ବିଚାରାଧୀନ ବନ୍ଦୀଙ୍କ ପାଇଁ ଏହା ଲାଗୁ ନୁହେଁ। ଏହା କେଉଁଠି ବି ଉଲ୍ଲେଖ ନାହିଁ। ଆଉ ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ଶେଷରେ କୋର୍ଟ ରାୟକୁ ସଂରକ୍ଷିତ ରଖିଛନ୍ତି।

ପ୍ରଦୀପ ନାୟକ, ନକ୍ଷତ୍ର ନ୍ୟୁଜ୍

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *