ସ୍ବାଭାବିକ ହେଲା ବିଧାନସଭା , କେଭି ସିଂଦେଓ ଦେଲେ ନୂଆ ଢଙ୍ଗରେ ଉତ୍ତର

ସ୍ୱାଭାବିକ ହେଲା ବିଧାନସଭା। ପ୍ରଶ୍ନକାଳ, ଶୂନ୍ୟକାଳ ଓ ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ବି ସମ୍ଭବ ହେଲା ଏତେ ଦିନ ପରେ। ଉପ-ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓଙ୍କ ଆଜି ଉତ୍ତରପାଳି ଥିଲା। କୃଷି ଓ ଶକ୍ତି ବିଭାଗ ସମ୍ପର୍କିତ ଉତ୍ତର ଦେଲା ବେଳେ କେଭି ବି ବେଶ୍ ହସି ହସି ଯେଉଁ ଢଙ୍ଗରେ ଉତ୍ତର ଦେବା ଆଳରେ ଅତୀତ ସରକାରର ଗୋହି ଖୋଳିଥିଲେ, ତାହା ଦେଖିବା ଭଳି ଥିଲା।

ବିଧାନସଭା ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ପରଠୁ ଚାଲିପାରୁନଥିଲା ପ୍ରଶ୍ନକାଳ। ଅଗଷ୍ଟ ୨୦ରୁ ବିରୋଧୀଙ୍କ ହଙ୍ଗାମାରୁ ପ୍ରଶ୍ନକାଳ, ଶୂନ୍ୟକାଳ ବାଏଁ ବାଏଁ ଉଡ଼ିଯାଉଥିଲା। କିନ୍ତୁ ବୁଧବାର ଶାସକ ଓ ବିରୋଧୀଙ୍କ ଭିତରେ ସହଯୋଗ, ସମନ୍ୱୟ ଦେଖିବାକୁ ମିଳିଥିଲା। ପ୍ରଶ୍ନକାଳରେ ଉତ୍ତର ଦେବାର ପାଳି ପଡ଼ିଥିଲା ଉପ-ମୁଖ୍ୟମନ୍ତ୍ରୀ କେଭି ସିଂଦେଓଙ୍କର। କୃଷି ସମେତ ଶକ୍ତି ବିଭାଗର ଉତ୍ତର ଦେଲା ବେଳେ ହସ ହସ ମୁହଁରେ ଯେଭଳି ଅତୀତ ସରକାରର ଗୋହି ଖୋଳୁଥିଲେ କେଭି, ତାହା ଦେଖିବା ଭଳି ଥିଲା। ଏଇ ଯେମିତି କୃଷି ଯନ୍ତ୍ରପାତି ରିହାତିରେ କେମିତି ଦୁର୍ନୀତି ହେଉଛି, ଚାଷୀ ରିହାତି ପାଉନାହାନ୍ତି, ସେ ସମ୍ପର୍କରେ ବିରୋଧୀ ପ୍ରଶ୍ନବାଣରେ ଛନ୍ଦିଥିଲେ ମନ୍ତ୍ରୀଙ୍କୁ। ଗଲା ସରକାରରେ ଚାଷୀଙ୍କ ପାଖରେ ବିହନ ଓ ସାର ଠିକ ସମୟରେ ପହଞ୍ଚିପାରୁନଥିଲା। ଅତୀତରେ ରିହାତି ପାଇଲା ପରେ ଯନ୍ତ୍ରପାତିକୁ କିଣି ପୁଣି ବିକିଦେଉଥିବା ଅନିୟମିତତା ଜଣାପଡ଼ିବା ପରେ ଏହାର ତଦନ୍ତ ହେବ। ବ୍ୟବସ୍ଥାରେ ସ୍ୱଛତା ଆଣିବାକୁ ପ୍ରୟାସ ହେଉଛି କହି ଉତ୍ତର ଦେଇଥିଲେ ମନ୍ତ୍ରୀ।

ସେପଟେ ଶକ୍ତି ବିଭାଗ ସମ୍ପର୍କିତ ପ୍ରଶ୍ନର ଉତ୍ତର ବି ବେଶ୍ ପ୍ରଭାବୀ ଢଙ୍ଗରେ ରଖିଥିଲେ କେଭି। ପବନ କଳ ଜରିଆରେ ବିଜୁଳି ଉତ୍ପାଦନର ଭିତ୍ତିଭୂମି ଉନ୍ନୟନ ବାବଦରେ ମନ୍ତ୍ରୀଙ୍କୁ ଘେରିଥିଲେ ବିରୋଧୀ। ବଡ଼ କଥା ହେଲା ମନ୍ତ୍ରୀଙ୍କ ଦାଦା ପୁଅ ସାନଭାଇ ବିଧାୟକ କଳିକେଶ ସିଂଦେଓ ତ ସିଧା କେନ୍ଦ୍ର ସରକାରଙ୍କ ଟାର୍ଗେଟ କଥା ମନେପକାଇ ୨୦୩୦ ସୁଦ୍ଧା କେମିତି ପବନକଳରୁ ୪୩.୩୩ ମେଗାଓ୍ୱାଟ୍ ବିଜୁଳି ଉତ୍ପାଦନର ଟାର୍ଗେଟ ପୂରଣ କରିବ ବୋଲି ହରଡ଼ଘଣାରେ ପକାଇବାକୁ ଚେଷ୍ଟା କରିଥିଲେ। ଆଉ ମନ୍ତ୍ରୀ କହିଥିଲେ, ବିଜେଡି ସରକାର ସିନା କୌଣସି ପଦକ୍ଷେପ ନେଲେନି। କିନ୍ତୁ ମୋହନ ସରକାରରେ ସବୁଜ ଶକ୍ତି ଲାଗି ସବୁ ପ୍ରୟାସ ହେଉଛି। କିନ୍ତୁ ଟାଟା ଅଧୀନରେ ସରକାର କାମ କରୁଛନ୍ତି ନା ସରକାରଙ୍କ ଅଧୀନରେ ଟାଟା, ଏ ସମ୍ପର୍କିତ ବିଜେପି ବିଧାୟକ ଓମ୍ ପ୍ରକାଶ ମିଶ୍ରଙ୍କ ପ୍ରଶ୍ନର ଉତ୍ତର ରଖିନଥିଲେ ମନ୍ତ୍ରୀ। ପବନ କଳକୁ ନେଇ ସରକାର ନିଜର ନୀତି ସ୍ପଷ୍ଟ କରନ୍ତୁ ବୋଲି କହିଥିଲେ କଂଗ୍ରେସ ବିଧାୟକ ଦଳ ନେତା କାଡ଼ାମ।

ଉଭୟ କୃଷି ଓ ଶକ୍ତି ବିଭାଗର ଉତ୍ତର ଦେଲା ବେଳେ ଅଭିଜ୍ଞ ଓ ଅନୁଭବୀ କେଭି ସିଂଦେଓ ସରକାରଙ୍କ ନୀତିକୁ ନେଇ ଯେତିକି ସ୍ପଷ୍ଟତା ରଖିଥିଲେ। ସେହି ଅନୁପାତରେ ଅତୀତର ସରକାର କରିଥିବା ଅନିୟମିତତାର ରୂପରେଖ ବି ଗୃହରେ ଥୋଇବାକୁ ଚେଷ୍ଟା କରିଥିଲେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *