ବିଶ୍ୱବିଦ୍ୟାଳୟରେ କୁଳପତି ପଦବୀ ପୂରଣ ଓ ଅଧ୍ୟାପକ ନିଯୁକ୍ତି କାହିଁକି ବନ୍ଦ ପ୍ରସଙ୍ଗରେ ପ୍ରଶ୍ନକାଳ ହୁଲସ୍ତୁଲ ହୋଇଥିଲା। ଉଚ୍ଚଶିକ୍ଷା ମନ୍ତ୍ରୀ ଏ ବିବାଦର ବିଭିନ୍ନ ବିନ୍ଦୁ ଉପରେ ଉତ୍ତର ରଖିବା ବେଳେ ପୂର୍ବ ସରକାରର ଅସଙ୍ଗତିକୁ ଦର୍ଶାଇଥିଲେ। ୟୁଜିସି ଓ ରାଜ୍ୟ ସରକାରଙ୍କ ଭିତରେ ବିବାଦରୁ ପଦବୀ ପୂରଣ ହୋଇପାରୁନାହିଁ। ଆଉ ଏହି ଦ୍ୱନ୍ଦ୍ୱ ଦୂର କରିବାକୁ ସରକାର ପ୍ରୟାସ ଆରମ୍ଭ କଲେଣି ବୋଲି ଗୃହକୁ ଅବଗତ କରାଇଛନ୍ତି ମନ୍ତ୍ରୀ।
ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ ପଦବୀ ଖାଲି ପଡ଼ିଛି। କୁଳପତି ବି ଅନେକ ଜାଗାରେ ନାହାନ୍ତି। ଜଣେ ଜଣେ ଦୁଇ ଦୁଇଟି ବିଶ୍ୱବିଦ୍ୟାଳୟର କୁଳପତି ଦାୟିତ୍ୱ ତୁଲାଉଛନ୍ତି। କାମଚଳା ନ୍ୟାୟରେ ଏମିତି ଚାଲିଲେ ଶୈକ୍ଷିକ ବାତାବରଣ ଠିକ୍ ରହୁନି। ପରିଚାଳନାରେ ଅସୁବିଧା ବି ହେଉଛି। ଅଧ୍ୟାପକ ଚୟନର ମାପକାଠି କଅଣ। କାହିଁକି ଅଧ୍ୟାପକ ପଦବୀ ପୂରଣ ହୋଇପାରୁନି। ପ୍ରଶ୍ନକାଳରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏହି ମୂଳ ପ୍ରଶ୍ନର ଉତ୍ତରରେ ଯେ ୟୁଜିସି ଓ ରାଜ୍ୟ ସରକାରଙ୍କ ଭିତରେ ବିବାଦ ହିଁ ମୂଳ କାରଣ, ତାହାର ଗୁମର ଖୋଲିଥିଲେ ଗୃହରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ। ୟୁଜିସି କଥାରେ ଚାଲିନଥିଲେ ତତ୍କାଳୀନ ସରକାର। ଓପିଏସସି ଅଧ୍ୟାପକ ନିଯୁକ୍ତି ଦେଇପାରିବନି ବୋଲି ୟୁଜିସି କହୁ଼୍ଥିଲା ବେଳେ ଗଲା ସରକାର ଏହାକୁ ମାନିଲେନି। ୟୁଜିସି କହିଥିଲା, କମିଟି ଗଠନ କରି ନିଯୁକ୍ତି ଦିଅ। ଓପିଏସସି ବି କେବଳ ମୌଖିକ ସାକ୍ଷାତକାରରେ ନିଯୁକ୍ତି ଦେଲା, ଲିଖିତ ପରୀକ୍ଷା କାହିଁକି କଲାନି। ଏହାକୁ ନେଇ ସୃଷ୍ଟ ଦ୍ୱନ୍ଦ୍ୱରୁ କଥା ସୁପ୍ରିମକୋର୍ଟ ଯାଏ ପହଞ୍ଚିଥିଲା। ସେବେଠୁ ନିଯୁକ୍ତି ବନ୍ଦ ଅଛି। କିନ୍ତୁ ୮୦ ଦିନର ସରକାର ଏହି ଦ୍ୱନ୍ଦ୍ୱକୁ ହଟାଇବାକୁ ପ୍ରକ୍ରିୟା ଆରମ୍ଭ କଲେଣି ବୋଲି ଗୃହକୁ ଆଶ୍ୱାସନା ଦେଇଥିଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ।
ତେବେ ସିନେଟରୁ ନେଇ ସିଣ୍ଡିକେଟ୍ ଯାଏ ଗୃହରେ କଥା ଉଠିଥିଲା। ସିନେଟ୍ରେ ଶହେ ଲୋକ ଥିଲେ। ଏହା ବିଶ୍ୱବିଦ୍ୟାଳୟର ଭିତ୍ତିଭୂମିଜନିତ ଉପଦେଷ୍ଟାମଣ୍ଡଳୀ ଭାବେ କାମ କରୁଥିଲା। ଯାହା ସିଣ୍ଡିକେଟକୁ ସୁପାରିଶ କରେ। ସିନେଟରେ ୩ ଜଣ ବିଧାୟକ ବି ରହୁଥିଲେ। ସିନେଟ ବ୍ୟବସ୍ଥା ଉଛେଦରୁ ଶିକ୍ଷାବିତ, ଛାତ୍ରନେତା ଓ ବିଧାୟକଙ୍କ ପ୍ରତିନିଧିତ୍ୱ ବି ରହିଲାନି। ଏହାର ପୁନଃସ୍ଥାପନା ଲାଗି ସରକାର ଚିନ୍ତା କରୁଛନ୍ତି ବୋଲି ଗୃହକୁ ଅବଗତ କରାଇଛନ୍ତି ମନ୍ତ୍ରୀ। ବିଜେଡି ସରକାର ଅମଳରେ ହୋଇଥିବା ବିଶ୍ୱବିଦ୍ୟାଳୟ ଆଇନରେ ସଂଶୋଧନ ଆଣିବାକୁ ବିଚାର କରାଯାଉଛି। ବିଭିନ୍ନ ବିଶ୍ୱବିଦ୍ୟାଳୟରେ ବିଶ୍ୱସନୀୟତା ନ ଥିବା ସଂସ୍ଥା ସେଲ୍ଫ ଫାଇନାନ୍ସିଂ କୋର୍ସ ପରିଚାଳିତ କରୁଛି। ବିଶ୍ୱବିଦ୍ୟାଳୟ ଲୋଗୋ ଲଗାଇ ଭବିଷ୍ୟତ ପୀଢିକୁ ନଷ୍ଟ କରୁଥିବାର ଆରୋପ ଆଣିଥିଲେ ବିଧାୟକ ଅମର ନାୟକ।
୧୧୮୭ ଅଧ୍ୟାପକ ପଦବୀ ଖାଲି ପଡ଼ିଛି। ୟୁଜିସି-ସରକାରଙ୍କ ଭିତରେ ୭ଟି ବିନ୍ଦୁ ଉପରେ ବିବାଦରୁ ଅଟକିଛି ପଦବୀ ପୂରଣ ପ୍ରକ୍ରିୟା। ଏସବୁ ଦ୍ୱନ୍ଦ୍ୱ ଦୂର କରି ସମସ୍ତ ସମସ୍ୟା ସମାଧାନ କରିବାକୁ ସରକାର ସଂକଳ୍ପବଦ୍ଧ ବୋଲି କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ।
Naxatra News is now on Whatsapp
Join and get latest news update delivered to you via whatsapp
Join Now