ମହାରାଷ୍ଟ୍ରର ସିନ୍ଧୁଦୁର୍ଗ ଜିଲ୍ଲାରେ ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତି ଭୁଷୁଡ଼ିବା ପରେ ତେଜିଛି ରାଜନୀତି। ୯ ମାସ ପୂର୍ବରୁ ନୌସେନା ଦ୍ୱାରା ମାଲବଣର ତାରକଲି ସମୁଦ୍ର ତଟସ୍ଥିତ ରାଜକୋଟ କିଲ୍ଲା ପରିସରରେ ଏହାକୁ ସ୍ଥାପିତ କରାଯାଇଥିଲା। କେମିତି ପ୍ରତିମୂର୍ତ୍ତି ଭାଙ୍ଗିଲା, ଏହାର ଯାଞ୍ଚ ଲାଗି ନୌସେନା ଏକ କମିଟି ଗଠନ କରିଛି। ଏହାର ତ୍ୱରିତ ମରାମତି ଲାଗି ବି ପ୍ରସ୍ତୁତି ଆରମ୍ଭ ହୋଇଛି। ଏ ସମ୍ପର୍କରେ ପୁଲିସ ବି ଏତଲା ରୁଜୁ କରିଛି। ପ୍ରତିମୂର୍ତ୍ତି ଭାଙ୍ଗିବା ପଛରେ ଦୁର୍ନୀତିର ଆରୋପ ଲଗାଇଛି ମହାଅଗାଡ଼ି ମେଣ୍ଟ।
ଡିସେମ୍ୱର ୪, ୨୦୨୩। ନୌସେନା ଦିବସରେ ମହାରାଷ୍ଟ୍ରର ସିନ୍ଧୁଦୁର୍ଗ ଜିଲ୍ଲାରେ ଛତ୍ରପତି ଶିବାଜୀ ମହାରାଜାଙ୍କ ପ୍ରତିମୂର୍ତ୍ତି ଅନାବରଣ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି। ଏହି ପ୍ରତିମୂର୍ତ୍ତି ସିନ୍ଧୁଦୁର୍ଗର ନାଗରିକଙ୍କୁ ସମର୍ପିତ କରାଯାଇଥିଲା। କିନ୍ତୁ ଏହା ଭୁଷୁଡ଼ି ପଡ଼ିଛି। ଯାହାକୁ ନେଇ ଘମାସାନ ହୋଇଛି ମହାରାଷ୍ଟ୍ର ରାଜନୀତି। ଏହାକୁ ଦୁର୍ଭାଗ୍ୟପୂର୍ଣ୍ଣ ଦୁର୍ଘଟଣା ବୋଲି କହିବା ସହ ଏହାର ତ୍ୱରିତ ଯାଞ୍ଚ ଲାଗି ଏକ ଟିମ୍ ଗଠନ କରିଛି ନୌସେନା । ଏହି ଟିମ୍ ପ୍ରତିମାର ମରାମତି, ପୁନଃସ୍ଥାପନା ଦିଗରେ ଠୋସ୍ ପଦକ୍ଷେପ ନେବ। ଛତ୍ରପତି ମହାରାଜାଙ୍କ ପ୍ରତିମୂର୍ତ୍ତି ଗଳିପଡ଼ି ଭାଙ୍ଗିଯିବା ମାମଲାରେ ଠିକାଦାର ଓ ଡିଜାଇନ୍ କନସଲଟାଣ୍ଟଙ୍କ ବିରୁଦ୍ଧରେ ଏତଲା ରୁଜୁ କରିଛି ପୁଲିସ। ରାଜକୋଟ କିଲ୍ଲାରେ ଲାଗିଥିବା ଏହି ପ୍ରତିମୂର୍ତ୍ତିର ଉଚ୍ଚତା ୩୫ ଫୁଟ୍। ସୋମବାର ପ୍ରତିମୂର୍ତ୍ତି ଦ୍ୱିପ୍ରହର ଗୋଟାଏ ବେଳେ ପଡ଼ି ଭାଙ୍ଗିଯାଇଥିଲା। ପ୍ରାରମ୍ଭିକ ଯାଞ୍ଚରୁ ଜଣାପଡ଼ିଛି କି, ପ୍ରତିମୂର୍ତ୍ତିର ନଟ୍ ଓ ବୋଲଡରେ କଳଙ୍କି ଲାଗିଯାଇଥିବା ହେତୁ ଏମିତି ହେଲା।
୯ ମାସ ତଳେ ତିଆରି ହୋଇଥିବା ଏହି ପ୍ରତିମୂର୍ତ୍ତି ଭାଙ୍ଗିଯିବା ପଛରେ ଦୁର୍ନୀତିର ଗନ୍ଧ ବାରିଛନ୍ତି ବିରୋଧୀ ଦଳ। ଶିବସେନା(ୟୁବିଟି) କହିଛି, ଭ୍ରଷ୍ଟାଚାରର ପରିଣତି। ଏନସିପି-ଏସପି ନେତ୍ରୀ ସୁପ୍ରିୟା ସୁଲେ ଘଟଣାକୁ ଦୁଃଖଦ କହିବା ସହ ଠିକାଦାର ଥାନେର ଅଟନ୍ତି। ଥାନେ ଜିଲ୍ଲାର ଜୟଦୀପ ଆପଟେ ଏହି ପ୍ରତିମୂର୍ତ୍ତିକୁ ତିଆରି କରିଥିଲେ। ସେଥିଲାଗି ଉଭୟଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଲାଗି ଦାବି କରିଛନ୍ତି ସୁପ୍ରିୟା। ଏଭଳି ଘଟଣା ଛତ୍ରପତି ଶିବାଜୀଙ୍କ ଅପମାନ ଅଟେ। କାମର ଗୁଣାବତ୍ତା ଉପରେ ଧ୍ୟାନ ନ ଦେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ଫୋକସ କରାଯିବାରୁ ଏମିତି ହେଲା। ସେପଟେ କଂଗ୍ରେସ ପ୍ରତି ଜିଲ୍ଲାରେ ଏହାକୁ ନେଇ ବିରୋଧ କରିବ ବୋଲି ଘୋଷଣା କରିଛି। ପ୍ରତିମୂର୍ତ୍ତି ଭାଙ୍ଗିବା ପଛରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କହିଛନ୍ତି, ପବନର ବେଗ ଘଣ୍ଟାକୁ ୪୫ କିଲୋମିଟର ଥିଲା। ଯାହା ଲାଗି ପ୍ରତିମୂର୍ତ୍ତି ପଡ଼ିଯାଇଥିଲା। ଏହା ଦୁର୍ଭାଗ୍ୟଜନକ ଘଟଣା। ସ୍ଥିତିର ଆକଳନ ଲାଗି ସଂସ୍କୃତି ମନ୍ତ୍ରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଆଗକୁ ମଝଭୁତରେ ପ୍ରତିମୂର୍ତ୍ତି ନିର୍ମାଣ କରାଯିବ ଓ ଏଥିରେ ନୌସେନା ବି ସହଯୋଗ କରିବ।
ଏହି ଘଟଣାରେ ଏମଏସ ଆର୍ଟିଷ୍ଟ ଫାର୍ମର ମାଲିକ ଜୟଦୀବ ଆପଟେ ଓ ସରଞ୍ଚନାତ୍ମକ ଉପଦେଷ୍ଟା ଚେତନ ପାଟିଲଙ୍କୁ ଅଭିଯୁକ୍ତ ଦର୍ଶାଯାଇଛି। ଏହି ଦୁ଼୍ଇ କମ୍ପାନୀକୁ ପ୍ରତିମୂର୍ତ୍ତି ତିଆରି ଲାଗି କାମ ଦିଆଯାଇଥିଲା। ଏହି ପ୍ରତିମୂର୍ତ୍ତି ତିଆରି ଲାଗି ନୌସେନାକୁ ୨ କୋଟି ୩୬ ଲକ୍ଷ ଟଙ୍କା ଦେଇଥିଲେ ମହାରାଷ୍ଟ୍ର ସରକାର। ପିଡବ୍ଲୁଡି ବିଭାଗ ବି ନୌସେନାକୁ ପୂର୍ବରୁ ପ୍ରତିମୂର୍ତ୍ତିରେ କଳଙ୍କି ଲାଗିଥିବା ନେଇ ଚିଠି ଲେଖି ସତର୍କ କରାଇଥିଲା। କିନ୍ତୁ ଏହାକୁ ଅଣଦେଖା କରାଯାଇଥିଲା।
Naxatra News is now on Whatsapp
Join and get latest news update delivered to you via whatsapp
Join Now