ଭାରତ ଯୋଡରେ ସାମିଲ ହେଲେ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସର ଭାରତ ଯୋଡ଼ ଯାତ୍ରାର ଦୁଇ ଦିନର ବିରତି ପରେ ଗୁରୁବାର କର୍ଣ୍ଣାଟକର ମାଣ୍ଡ୍ୟା ଜିଲ୍ଲାରେ ପୁଣି ଆରମ୍ଭ ହୋଇଛି। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ପ୍ରଥମଥର ପାଇଁ ଏହି ଯାତ୍ରାରେ ଯୋଗ ଦେଇଛନ୍ତି। ଯାତ୍ରା ସମୟରେ ରାହୁଲ ଗାନ୍ଧୀ ତାଙ୍କ  ମା’ ସୋନିଆଙ୍କୁ ଜୋତା ବାନ୍ଧୁଥିବାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଭାରତ ଯୋଡ ଯାତ୍ରାରେ ସାମିଲ ହେଲେ ସୋନିଆ ଗାନ୍ଧୀ। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କର୍ଣ୍ଣାଟକରେ ଆଜି ଭାରତ ଯୋଡ଼ ଯାତ୍ରାରେ ସାମିଲ ହୋଇଛନ୍ତି। କର୍ଣ୍ଣାଟକର ମାଣ୍ଡ୍ୟାରେ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ହେଉଥିବା ପଦଯାତ୍ରାରେ ସେ ଯୋଗ ଦେଇଛନ୍ତି। ପୁଅ ରାହୁଲଙ୍କ ସହ ସେ ମଧ୍ୟ ଚାଲି ଚାଲି ଯାଇଛନ୍ତି। ତେବେ ଏହି ସମୟରେ ଏକ ନିଆରା ଦୃଶ୍ୟ ସାମ୍ନାକୁ ଆସିଛି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଚିତ୍ରରେ ଦେଖିବାକୁ ମିଳିଛି ରାହୁଲ ଗାନ୍ଧୀ ମା ସୋନିଆ ଗାନ୍ଧୀଙ୍କ ଜୋତା ବାନ୍ଧୁଛନ୍ତି। ଭିଡିଓ ଦେଖି ରାହୁଲ ଗାନ୍ଧୀଙ୍କୁ ପ୍ରଶଂସା କରିଛନ୍ତି ୟୁଜର। କଂଗ୍ରେସ ନେତା ଶଶି ଥରୁର ମା’ପୁଅଙ୍କର ଏହି ବିରଳ ମୁହୂର୍ତ୍ତର ଫଟୋ ସେୟାର କରିଛନ୍ତି। ସେ ଲେଖିଛନ୍ତି ମା’ କେବଳ ମା’ ତାଙ୍କର କୌଣସି ବିକଳ୍ପ ନାହିଁ।

କଂଗ୍ରେସ ଅଧ୍ୟକ୍ଷ ପଦକୁ ନେଇ ଛକାପଞ୍ଝା ଚାଲିଥିବାବେଳେ ସୋନିଆ ଗାନ୍ଧୀ ଭାରତ ଯୋଡ଼ ଯାତ୍ରାରେ ସାମିଲ ହୋଇଛନ୍ତି। ଅକ୍ଟୋବର ୧୭ରେ କଂଗ୍ରେସ ସଭାପତି ପଦ ପାଇଁ ନିର୍ବାଚନ ହେବାକୁ ଥିବାବେଳେ ଦୀର୍ଘ ଦିନ ପରେ ସୋନିଆ ଏକ ସାଧାରଣ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ସ୍ୱାସ୍ଥ୍ୟଗତ କାରଣରୁ ସେ ନିର୍ବାଚନର ପ୍ରଚାର ଠାରୁ ଦୂରେଇ ରହିଥିଲେ। ଭାରତ ଯୋଡ଼ ଯାତ୍ରା ଆରମ୍ଭ ସମୟରେ ସୋନିଆ ବିଦେଶରେ ଚିକିତ୍ସିତ ହେଉଥିଲେ। ଆଉ ଏବେ ସୋନିଆ ସୁସ୍ଥ ହୋଇ ଭାରତ ଫେରିବା ପରେ ଭାରତ ଯୋଡ଼ ଯାତ୍ରାରେ ସାମିଲ ହୋଇଛନ୍ତି। ସୋନିଆ ଏହି ଯାତ୍ରାରେ ସାମିଲ ହେବା ପରେ କଂଗ୍ରେସ ନେତା ଓ କର୍ମୀଙ୍କ ଉତ୍ସାହ ବହୁଗୁଣିତ ହୋଇଛି। କର୍ଣ୍ଣାଟକ କଂଗ୍ରେସ ସଭାପତି ଡି.କେ ଶିବକୁମାର କହିଛନ୍ତି ଏଣିକି ରାଜ୍ୟରେ କଂଗ୍ରେସ ଜିତିବ। ୨୪ରେ ଆମେ ରାଜ୍ୟରେ କ୍ଷମତାକୁ ଆସୁଛୁ ଏବଂ ଭାଜପା ରାଜ୍ୟରେ ନିଜର ସତ୍ତା ହରାଇବାକୁ ଯାଉଛି।  ଆମେ ଗର୍ବିତ ଯେ ସୋନିଆ ଗାନ୍ଧୀ ରାଜରାସ୍ତାକୁ ଓହ୍ଳାଇଛନ୍ତି।

ତେବେ ସେପ୍ଟେମ୍ୱର ମାସରୁ ଆରମ୍ଭ ହୋଇଥିବା କଂଗ୍ରେସର ଏହି ଭାରତ ଯୋଡ଼ ଯାତ୍ରା ତାମିଲନାଡୁର କନ୍ୟାକୁମାରୀ ଠାରୁ ଆରମ୍ଭ ହୋଇଥିବାବେଳେ ଜାମ୍ମୁକାଶ୍ମୀରର ଶ୍ରୀନଗରେ ଶେଷ ହେବ। ଏହି ଯାତ୍ରା ୧୨ ରାଜ୍ୟ ଓ ୨ କେନ୍ଦ୍ରଶାସିତ ଅଞ୍ଚଳର ବିଭିନ୍ନ ସହର ଦେଇ ଯିବ। ସବୁ ସ୍ଥାନରେ କଂଗ୍ରେସର ତୁଙ୍ଗ ନେତା ଓ ବହୁ ସଂଖ୍ୟାରେ କର୍ମୀ ଏହି ଯାତ୍ରାରେ ସାମିଲ ହୋଇଛନ୍ତି। 

ପ୍ରେମଲତା ବାରିକଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *