ସୁଭଦ୍ରା ସ୍କିମକୁ ନେଇ କିଏ କହୁଛି ସତ ଆଉ କିଏ କହୁଛି ମିଛ !

ସୁଭଦ୍ରା ସ୍କିମକୁ ନେଇ କିଏ କହୁଛି ସତ ଆଉ କିଏ କହୁଛି ମିଛ। ନିର୍ବାଚନ ବେଳେ ବିଜେପି କଅଣ କହିଥିଲା। କ୍ଷମତାକୁ ଆସିବା ପରେ କଅଣ କହି ଭଣ୍ଡେଇଲା। କାଲିଠୁ ଫର୍ମ ସଂଗ୍ରହ ଆରମ୍ଭ ହେବ। ଆଉ ଆଜି ବିଧାନସଭାରେ ମୁଲତବୀ ପ୍ରସ୍ତାବ ଆଣି ସରକାରଙ୍କୁ ଘେରିଥିଲା ବିଜେଡି। ସୁଭଦ୍ରାରେ ସବୁ ମହିଳାଙ୍କୁ ସାମିଲ୍ ଦାବି କରି ସରକାରଙ୍କୁ ଆଇନା ଦେଖାଇବାକୁ ବିରୋଧୀ ପ୍ରୟାସ କରିଥିଲେ। ସେପଟେ ଉପ-ମୁଖ୍ୟମନ୍ତ୍ରୀ କହିଛନ୍ତି, ବିରୋଧୀଙ୍କ ଆରୋପ କପୋଳକଳ୍ପିତ ଓ ସତରୁ ବହୁ ଦୂରରେ। ମହିଳା ସଶକ୍ତିକରଣ କ୍ଷେତ୍ରରେ ଏହା ଇତିହାସ ରଚିବ। ସେଥିଲାଗି ବିରୋଧୀ ବିଚଳିତ।

ସୁଭଦ୍ରା ଭଳି ଲୋଭନୀୟ ସ୍କିମ୍ ନାଁରେ କ୍ଷମତାକୁ ଆସିଲା ବିଜେପି। କିନ୍ତୁ ନିର୍ବାଚନୀ ଇସ୍ତାହାରରେ ଦେଇଥିବା କଥାକୁ ଏବେ ଭୁଲି ଭୂଆଁ ବୁଲାଇବାରେ ଲାଗିଛି। ନଗଦ ୫୦ହଜାର ଟଙ୍କାର ଭାଉଚର ଦେଇ ଦୁଇ ବର୍ଷରେ ଏହାକୁ ଖର୍ଚ୍ଚ କରିବେ ବୋଲି କଥା ଦେଇଥିଲେ। କିନ୍ତୁ ଏବେ ୫ ବର୍ଷରେ ୫୦ହଜାରର କଥା କହିଲେଣି ସରକାର। ବର୍ଷକୁ ପୁଣି ଦୁଇଟି କିସ୍ତିରେ ୫ହଜାର ଲେଖାଏଁ ପଡ଼ୁଛି। ୫୦ ହଜାର ଏକକାଳୀନ ଦେଲେ ମହିଳାଟିଏ କିଛି କରିବାକୁ ସାହସ ଜୁଟାଇପାରନ୍ତା। ଏମିତିରେ ମହିଳାଟିଏ କେମିତି ଆର୍ଥିକ କ୍ଷେତ୍ରରେ ସଶକ୍ତ ହେବ। କେମିତି ଉଦ୍ୟୋଗୀ ହେବ। ନାନା ସମୟରେ ନାନା ଗାଇଡଲାଇନ ଆଣି ମହିଳାଙ୍କୁ ଭୂଆଁ ବୁଲାଇବାରେ ଲାଗିଛନ୍ତି। ସମସ୍ତ ମହିଳାଙ୍କ ଲାଗି ସୁଭଦ୍ରା ଆଣ। ତୃଟିପୂର୍ଣ୍ଣ ନୀତି, ଗାଇଡଲାଇନ ଓ ଆବେଦନ ପ୍ରକ୍ରିୟା ଲାଗି ବାଦ୍ ପଡ଼ିବାକୁ ଯାଉଛନ୍ତି ଲକ୍ଷ ଲକ୍ଷ ମହିଳା। ଡବଲ ଇଞ୍ଜିନ ସରକାର ମହିଳାଙ୍କ ଲାଗି ଏତେ ଉଦାର କାହିଁକି ବୋଲି ମୁଲତବୀ ପ୍ରସ୍ତାବ ଆଲୋଚନାରେ ସରକାରଙ୍କୁ ଘେରିଥିଲେ ବିରୋଧୀ। ବିଜେଡି ବିଧାୟକ ଅରୁଣ ସାହୁ କହିଥିଲେ, ଅଢ଼େଇ ମାସର ସରକାର ଆଉ ଶିଶୁ ହୋଇ ରହିନାହାନ୍ତି। ବହୁତ ଚତୁର ହୋଇଗଲେଣି। ନଗଦ ଭାଉଚର ସହ ମୋବାଇଲ ନମ୍ୱର ଲିଂକର ଆବଶ୍ୟକତା କଅଣ। ଏହା ପଛର ରଣନୀତି ଓ ରାଜନୀତି ବେଶ୍ ବୁଝାପଡ଼ୁଛି। ବାରମ୍ୱାର ସୁଭଦ୍ରାକୁ ନେଇ ମତ ପରିବର୍ତ୍ତନ କଅଣ ପାଇଁ। ୧୮ ବର୍ଷରେ ଭୋଟ ଦେବାକୁ ଯୋଗ୍ୟ ହେଉଥିବା ମହିଳା ହେଉ ବା ୬୦ ବର୍ଷରୁ ଉର୍ଦ୍ଧ୍ୱ ମହିଳା। ଏ ସରକାରଙ୍କ ଦୃଷ୍ଟିରେ ସେମାନେ କେଉଁ ବର୍ଗରେ ଯିବେ। କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ କହିଥିଲେ, ବୟସର ପରିଧିକୁ ଉଛେଦ କରି ସମସ୍ତଙ୍କୁ ଅନ୍ତର୍ଭୁକ୍ତ କରନ୍ତି। ଶେଷ ଭାଉଚର ମହିଳାଙ୍କୁ ମିଳିନପାରେ।କାରଣ ସେତେବେଳକୁ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଯାଇଥିବ। ୫୦ହଜାର ଏକକାଳୀନ ନ ଦେଲେ ଲକ୍ଷପତି ଦିଦି ସୃଷ୍ଟି ପ୍ରତିଶୃତିରେ ରହିଯିବ।

ସେପଟେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ବିରୋଧୀ ଯେଉଁ ଆରୋପ ଆଣୁଛନ୍ତି, ତାହା କପୋଳକଳ୍ପିତ ଓ ସତରୁ ବହୁ ଦୂରରେ। ସବୁଠୁ ଅଧିକ ହିତାଧିକାରୀ ସୁଭଦ୍ରାରେ ଲାଭାନ୍ୱିତ ହେବେ। ମହିଳା ସଶକ୍ତିକରଣ ଓ ସମୃଦ୍ଧିର ଇତିହାସ ରଚିବ। ଲୋକପ୍ରିୟ ମୋହନ ସରକାର ଶହେ ଦିନ ଆଗରୁ ସଂକଳ୍ପିତ ଯୋଜନାକୁ ପହଞ୍ଚାଇଥିବାରୁ ବିରୋଧୀ ବିଚଳିତ ହୋଇପଡ଼ିଲେଣି। ସୁଭଦ୍ରା ଯୋଜନା ପ୍ରତାରଣା ନୁହେଁ। ମହିଳା ସଶକ୍ତିକରଣର ପ୍ରତୀକ। ୪ ତାରିଖରୁ ଫର୍ମ ସଂଗ୍ରହ ହେବ। ପ୍ରଧାନମନ୍ତ୍ରୀ ମୋଦି ଓଡ଼ିଶା ଆସି ସେପ୍ଟେମ୍ୱର ୧୭ରେ ଏହାର ଶୁଭାରମ୍ଭ କରିବେ।

ସୁଭଦ୍ରା ଯୋଜନାରେ ସମସ୍ତଙ୍କୁ ସାମିଲ ନେଇ ବିରୋଧୀ ଦାବି କରିଆସୁଛନ୍ତି। ସୋମବାର ଓ୍ୱେବ ପୋର୍ଟାଲର ଶୁଭାରମ୍ଭ କରିଥିଲେ ଉପ-ମୁଖ୍ୟମନ୍ତ୍ରୀ।

 

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *