ନୂଆଦିଲ୍ଲୀ: ଥମୁନି ଶିବସେନାର ନାଁ ଏବଂ ନିର୍ବାଚନୀ ଚିହ୍ନକୁ ନେଇ ବିବାଦ। ଉଦ୍ଧବ ଠାକରେଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା। ସିନ୍ଦେ ଗୋଷ୍ଠୀକୁ ମିଳିଲା ଆରାମ। ଏକନାଥ ସିନ୍ଦେ ଗୋଷ୍ଠୀ ଦ୍ୱାରା ଶିବସେନାର ନିର୍ବାଚନୀ ଚିହ୍ନ ଏବଂ ନାମକୁ ବ୍ୟବହାର ରୋକିବା ଉପରେ ହୋଇଥିବା ଯାଚିକାକୁ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ।
ଶିବସେନାର ନାମ ଓ ପ୍ରତୀକକୁ ନେଇ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶକୁ ସୁପ୍ରିମକୋର୍ଟ ରଖିବାକୁ ମନା କରିବା ସହ ଦୁଇ ସପ୍ତାହ ମଧ୍ୟରେ ମାମଲାରେ ଜବାବ ରଖିବାକୁ ଉଭୟ ଗୋଷ୍ଠୀଙ୍କୁ କହିଛନ୍ତି ସର୍ବୋଚ୍ଚ ଅଦାଲତ। ନିର୍ବାଚନ କମିଶନଙ୍କ ନିଷ୍ପତ୍ତିରେ ଆମେ ରୋକ୍ ଲଗାଇ ପାରିବୁନି ବୋଲି କହିଛନ୍ତି କୋର୍ଟ।
ଦୁଇ ସପ୍ତାହ ପରେ ଏହି ମାମଲାର ଶୁଣାଣୀ ହେବ। ତେବେ ଏହି ନିଷ୍ପତ୍ତି ଗୋଟିଏ ପଟେ ସିନ୍ଦେ ଗୋଷ୍ଠୀ ପାଇଁ ଆଶ୍ୱସ୍ତି ଆଣିଥିବାବେଳେ , ଅନ୍ୟପଟେ ଉଦ୍ଧବ ଠାକରେଙ୍କୁ ପୁଣି ନିରାଶ କରିଛି। ଉଦ୍ଧବ ଗୋଷ୍ଠୀ ଦାବି କରିଥିଲା ଶେଷ ନିଷ୍ପତ୍ତି ହେବା ପର୍ଯ୍ୟନ୍ତ ଏକନାଥ ସିନ୍ଦେ ଗୋଷ୍ଠୀକୁ ଶିବସେନାର ନାମ ଏବଂ ଚିହ୍ନ ବ୍ୟବହାର କରିବାକୁ ରୋକାଯାଉ। କିନ୍ତୁ ଆବେଦନକୁ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ। ସେପଟେ କୋର୍ଟଙ୍କ ନିଷ୍ପତ୍ତକୁ ସ୍ୱାଗତ କରିଛନ୍ତି ଶିବସେନା ନେତା ରାହୁଲ ଶେବାଲେ।

Naxatra News is now on Whatsapp
Join and get latest news update delivered to you via whatsapp
Join Now