କେନ୍ଦ୍ର ସରକାରଙ୍କ ହର୍ ଘର୍ ତ୍ରିରଙ୍ଗା ଅଭିଯାନରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଜାତୀୟ ପତାକା କିଣି ନିଜ ଘରେ ଉଡ଼ାଇବାକୁ କୁହାଯାଇଛି। କିନ୍ତୁ ଏତିକିବେଳେ ଓଡ଼ିଶା ସରକାର ଏହାକୁ ମାଗଣାରେ ଦେବେ ବୋଲି ଘୋଷଣା କରିଛନ୍ତି। ୟୁପିରେ ରାସନ ପାଇଁ ତ୍ରିରଙ୍ଗାକୁ ବାଧ୍ୟ କରାଯାଉଥିବା ଭିଡିଓ ଭାଇରାଲ ପରେ ଏବେ ଏହାକୁ ନେଇ ଜାତୀୟ ରାଜନୀତି ସରଗରମ ଥିଲା ବେଳେ ଓଡ଼ିଶା ସରକାରଙ୍କ ମିଶନ ଶକ୍ତି ବିଭାଗର ଏଭଳି ନିଷ୍ପତ୍ତି ବିଜେପିକୁ କଡ଼ା କାଉଣ୍ଟର ସଦୃଶ ହୋଇଛି। ତ୍ରିରଙ୍ଗା କିଣ। ନଚେତ୍ ରାସନ ସାମଗ୍ରୀ ଦେବୁନି। ରାସନ ପାଇବା ପାଇଁ ତ୍ରିରଙ୍ଗା କିଣିବାକୁ ଗରିବ ହିତାଧିକାରୀଙ୍କୁ କିଭଳି ବାଧ୍ୟ କରାଯାଉଛି, ଏହାର ଏକ ପୋଷ୍ଟ ସୋସିଆଲ ମିଡିଆରେ ପୋଷ୍ଟ କରି ବିଜେପି ସାଂସଦ ବରୁଣ ଗାନ୍ଧୀ ସ୍ୱର ଉତ୍ତୋଳନ କରିଛନ୍ତି।
ବରୁଣଙ୍କ ପଛେ ପଛେ ରାହୁଲ ବି କେନ୍ଦ୍ର ସରକାର ଓ ଯୋଗୀଙ୍କୁ ଧିକ୍କାର କରିଛନ୍ତି। ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ବେଳେ ଏଭଳି ବିରଳ ଓ ବିକଳ ଚିତ୍ର ପଦାକୁ ଆସିଥିଲା ବେଳେ ଏତିକିବେଳେ ନବୀନ ସରକାର ମାଗଣାରେ ତ୍ରିରଙ୍ଗା ଦେବାକୁ ଘୋଷଣା କରିଛନ୍ତି। ମିଶନ ଶକ୍ତିର ସଦସ୍ୟାଙ୍କୁ ୩୦ ଲକ୍ଷ ତ୍ରିରଙ୍ଗା ତିଆରି କରି ମାଗଣାରେ ବାଣ୍ଟିବାକୁ ଦାୟିତ୍ୱ ଦିଆଯାଇଛି। ସେପଟେ କଟକରେ ତ୍ରିରଙ୍ଗାକୁ ଅସମ୍ମାନ ପ୍ରସଙ୍ଗରେ କଂଗ୍ରେସ ବି ଗର୍ଜିଛି। ଏ ଯାଏ କୌଣସି ଆକ୍ସନ ହୋଇନି କାହିଁକି ବୋଲି ପଚାରିଛି। ଜାତୀୟ ପତାକାକୁ ଅସମ୍ମାନ ହୋଇଥିବାରୁ ଏଥିଲାଗି ଆୟୋଜକ ବି ସମଦାୟୀ। ଆୟୋଜକ ଭୁଲ୍ ମାଗନ୍ତୁ ବୋଲି ଦାବି କରିଛି କଂଗ୍ରେସ। ଆଉ ରାଜ୍ୟ ସରକାରଙ୍କ ମାଗଣାରେ ତ୍ରିରଙ୍ଗା ବାଣ୍ଟିବା ଘୋଷଣା ସାଙ୍ଗକୁ ତ୍ରିରଙ୍ଗା ଅସମ୍ମାନ ଉପରେ ଆପତ୍ତି ଉଠାଇଥିବା କଂଗ୍ରେସ ଅଭିଯୋଗର ଉତ୍ତର ରଖିଛି ବିଜେପି। ସ୍ୱାଧୀନତାର ଅମୃତ ମହୋତ୍ସବ।
ହେଲେ କେଉଁଠି ଏହି ମହୋତ୍ସବକୁ ନେଇ ଉଲ୍ଲାସ, ଉଦ୍ଦୀପନା ତ କେଉଁଠି ବିକଳ ଚିତ୍ର ଆସୁଛି। ତ କେଉଁଠି ତ୍ରିରଙ୍ଗାକୁ ଅସମ୍ମାନ ତ କେଉଁଠି ମାଗଣାରେ ବାଣ୍ଟିବା ଭଳି ଘୋଷଣା ହେଉଛି। ସର୍ବୋପରି ଜାତୀୟ ପତାକାକୁ ନେଇ ରାଜନୀତି ଅଧିକା। ଆଉ ଦେଶପ୍ରେମ କମ୍ କି ବୋଲି ସାଧାରଣରେ ଚର୍ଚ୍ଚାକୁ ଖୋରାକ୍ ଯୋଗାଉଛି।
-ନବକିଶୋର ସାହୁ, ସ୍ୱରୂପା ମହାପାତ୍ର ଓ ପ୍ରଦୀପ ନାୟକଙ୍କ ରିପୋର୍ଟ
Naxatra News is now on Whatsapp
Join and get latest news update delivered to you via whatsapp
Join Now