ନାଟକକୁ ଜୀବନ୍ତ କରିବାକୁ ନୃଶଂସତାର ସୀମା ଟପିଗଲା। ଯାତ୍ରାରେ ଯେମିତି ଅଶ୍ଳୀଳତା ହିଁ ମୁଖ୍ୟ ଆଧାର ସାଜିଛି। ଠିକ୍ ସେମିତି ପୌରାଣିକ ନାଟକରେ ଖୋଲା ମଞ୍ଚରେ ଜୀଅନ୍ତା ଘୁଷୁରି ଓ କୁକୁଡ଼ା ଖାଇବା ଘଟଣା ସମସ୍ତଙ୍କୁ ହତବାକ୍ କରିଛି। ସାମାଜିକ ଗଣମାଧ୍ୟମରେ ଏହି ଦୃଶ୍ୟ ପ୍ରଘଟ ପରେ ସାଧାରଣରେ ଓ କଳାକାର ଜଗତରେ ତୀବ୍ର ଆଲୋଡ଼ନ ସୃଷ୍ଟି ହୋଇଥିଲା ବେଳେ ବିଧାନସଭାରେ ବି ଶାସକ ଦଳ ଏହାକୁ ନେଇ ତୀବ୍ର ପ୍ରତିବାଦ କରିଛି।
ସବୁ ସୀମା ଭୁଲିଗଲେ କଳାକାର। ନୃଶଂସତାର ସୀମା ଡେଇଁଲେ। ପ୍ରତିଯୋଗୀଙ୍କ ତୁଳନାରେ ନାଟକକୁ ଅଧିକ ଜୀବନ୍ତ କରିବାକୁ ବାଡ଼ବତା ଭୁଲିଗଲେ। ଖୋଲା ମଞ୍ଚରେ ଜୀଅନ୍ତା ଘୁଷୁରି ଓ କୁକୁଡ଼ା ଖାଇଲେ କଳାକାର। ଏତିକିରେ ସରିନଥିଲା। ବିଷଧର ସାପକୁ ବି ମଞ୍ଚରେ ଖେଳାଇଥିଲେ। ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅନ୍ତର୍ଗତ ରାଳବ ଗାଁରେ ଏଭଳି ଅଭାବନୀୟ ଘଟଣା ଦେଖି ସଭିଏଁ ହତବାକ୍ ହୋଇଯାଇଥିଲେ। ରାମାୟଣ ନାଟକକୁ ନେଇ ପ୍ରତିଦ୍ୱନ୍ଦିତା ବେଳେ ଜୀବଙ୍କ ପ୍ରତି ଦୟା ମନୋଭାବକୁ ଦଳିଚକଟି ଦେଇଥିଲେ କଳାକାର। ଏହାର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ ପରେ ପଶୁ ପ୍ରେମୀଙ୍କଠୁ ନେଇ କଳାକାର ଜଗତକୁ ବିଚଳିତ କରିଦେଇଛି। ଅଭିଯୁକ୍ତ କଳାକାରଙ୍କ ଉପରେ ଆକ୍ସନ ଲାଗି ଦାବି କରିବା ସହ ଆଗକୁ ଯେଭଳି ଏହାର ପୁନରାବୃତ୍ତି ନ ହେବ, ସେ ନେଇ ଦୃଷ୍ଟି ଦେବାକୁ ଦାବି ହୋଇଛି। ଜଣଙ୍କୁ ବି ଗିରଫ କରାଯାଇଛି। ଯାତ୍ରା ଓ ନାଟକରେ ଏଭଳି ଅପସଂସ୍କୃତିକୁ ଘୋର ବିରୋଧ କରାଯାଇଛି। ପ୍ରତିଯୋଗିତା ନାଁରେ ଏଭଳି ନୃଶଂସତା ଓ ଅଶ୍ଳୀଳତାକୁ କଦାପି ବରଦାସ୍ତ କରାଯିବା ଉଚିତ ନୁହେଁ। ଆୟୋଜକ ଓ କଳାକାର ଉଭୟ ଏ ଦିଗରେ ଯଥେଷ୍ଟ ଯତ୍ନବାନ ହେବାକୁ ପରାମର୍ଶ ଦିଆଯାଇଛି।
ସେପଟେ ଏଭଳି ପ୍ରସଙ୍ଗକୁ ନେଇ ବିଧାନସଭାରେ ଉଠିଛି ପ୍ରତିବାଦର ସ୍ୱର। ବିଶେଷ କରି ଶାସକ ଦଳ ଏହାକୁ ନେଇ ଉଦବେଗ ପ୍ରକାଶ କରିଛି। ଏହି ପ୍ରସଙ୍ଗ ଉଠାଇ ସଂସ୍କୃତିକୁ ନଷ୍ଟ ଓ ଅପଭ୍ରଂଶ କରୁଥିବା କଳାକାରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ବିଜେପି ବିଧାୟକ ସନାତନ ବିଜୁଳି ଓ ବାବୁ ସିଂ। ଯାତ୍ରା ପେଣ୍ଡାଲରେ ଏଭଳି ଦୃଶ୍ୟ ସଂସ୍କୃତି ପ୍ରତି କୁଠାରଘାତ। ଦିନକୁ ଦିନ ଯାତ୍ରାରେ ବଢ଼ୁଥିବା ଅଙ୍ଗ ପ୍ରଦର୍ଶନ ଲାଗି ଯେମିତି ସପରିବାର ଦେଖିବା ସମ୍ଭବ ହେଉନି। ସେମିତି ନାଟକ ମଞ୍ଚରେ ଅଭିନୟକୁ ଜୀବନ୍ତ କରିବାକୁ ଯାଇ କ୍ରୁରତାରୁ ସମାଜ ସ୍ତବ୍ଧ ହୋଇଗଲାଣି।
ମଞ୍ଚରେ ଏଭଳି ନୃଶଂସତା ପରେ ପଶୁପ୍ରେମୀ ପିସିସିଏଫଙ୍କୁ ଟ୍ୱିଟ୍ କରି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
Naxatra News is now on Whatsapp
Join and get latest news update delivered to you via whatsapp
Join Now