ଜନତା ମୈଦାନରେ ଆରମ୍ଭ ହୋଇଥିବା ଦୁଇ ଦିନିଆ ନିବେଶକ ସମ୍ମିଳନୀକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଓଡ଼ିଶାକୁ ଏକ ପ୍ରମୁଖ ନିବେଶସ୍ଥଳ ଭାବେ ଉପସ୍ଥାପନା କରି ଦେଶ ବିଦେଶର ପୁଞ୍ଜି ନିବେଶକଙ୍କୁ ଆକୃଷ୍ଟ ଲାଗି ଏହି ଶିଳ୍ପ ମହାକୁମ୍ଭର ଆୟୋଜନ ହୋଇଛି। ୧୬ ଦେଶରୁ ୭ହଜାର୫ଶହ ପ୍ରତିନିଧି ସାମିଲ୍ ହୋଇଛନ୍ତି। କନକ୍ଲେଭ ଜରିଆରେ ୫ଲକ୍ଷ କୋଟି ଟଙ୍କାର ପୁଞ୍ଜି ଯୋଗାଡ଼ର ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର। କନକ୍ଲେଭରେ ଷ୍ଟାର୍ଟଅପ ଓଡ଼ିଶା, ସ୍କିଲଡ୍ ଇନ୍ ଓଡ଼ିଶା ଓ ମହିଳା ଉଦ୍ୟମିତା ଉପରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ ହୋଇଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ପ୍ରାକୃତିକ ସମ୍ପଦ ଭରା ଓଡ଼ିଶାରେ ବହୁତ ସମ୍ଭାବନା ରହିଛି। ଏଠାରେ ରେଲଓ୍ୱେ, ହାଇଓ୍ୱେ ସହ ଯୋଡ଼ି ହୋଇଥିବା ଅନେକ ପ୍ରକଳ୍ପ ଚାଲିଛି। ବ୍ଲୁ-ଇକୋନୋମି ରାଜ୍ୟ ତାଲିକାରେ ଯୋଡ଼ିହୋଇଛି ଓଡ଼ିଶା। ଓଡ଼ିଶା ସଶକ୍ତ ଓ ସମୃଦ୍ଧ ହେବ। ବିକାଶ ଓ ବିରାସତଙ୍କ ଲାଗି ଓଡ଼ିଶା ହେଉଛି ଅଦ୍ଭୁତ ମଡେଲ। ପାରାଦୀପ, ଗୋପାଳପୁରରେ ପୁଞ୍ଜି ନିବେଶର ଅନେକ ସୁଯୋଗ ରହିଛି। ଚାହିଦା ଅନୁସାରେ ବଦଳିବାକୁ ପଡ଼ିବ ବୋଲି କହିଛନ୍ତି ମୋଦି। ଯେଉଁ ଶିଳ୍ପରେ ଥିଲେ ବି ଏମଏସଏମଇକୁ ସମର୍ଥନ କରନ୍ତୁ ବୋଲି ଅପିଲ୍ କରିଛନ୍ତି ପ୍ରଧାନମନ୍ତ୍ରୀ।
ଏବେକାର ଯୁଗ ଏଆଇର। ଭାରତ ଲାଗି ଏହା ଆକାଙ୍କ୍ଷିତ ଇଣ୍ଡିଆ ଆଉ ଯାହାକୁ ପ୍ରତିନିଧିତ୍ୱ କରୁ଼୍ଛି ଓଡ଼ିଶା। ଓଡ଼ିଶା ଖୁବ୍ ଶୀଘ୍ର ଉଚ୍ଚରେ ପହଞ୍ଚିବ ବୋଲି ମୋଦି କହିଥିଲା ବେଳେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶା ପୂର୍ବୋଦୟର ଇଞ୍ଜିନ ହେବାକୁ ଯାଉଛି। ଆଉ କିଛି ମାସ ଭିତରେ ରାଜ୍ୟରେ ବିକାଶର ଦିଗ ହିଁ ବଦଳିଯିବ। ଓଡ଼ିଶା ପ୍ରତି ମୋଦିଙ୍କ ଭିଜନକୁ ନେଇ କୃତଜ୍ଞତା ଜ୍ଞାପନ କରିଛନ୍ତି ମୁଖ୍ୟମନ୍ତ୍ରୀ।

Naxatra News is now on Whatsapp
Join and get latest news update delivered to you via whatsapp
Join Now